ଭୁବନେଶ୍ବର : କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୬ ଅଞ୍ଚଳରେ ଏବେ ନିଶାଡ଼ିଙ୍କ ଉତ୍ପାତ ବଢ଼ି ଯାଇଛି। ନିଶା ଖାଇବା ପାଇଁ ଲୁଟପାଟ୍‌ କରିବାକୁ ସେମା‌ନେ ପଛାଉ ନାହାନ୍ତି। ଆଜି ୟୁନିଟ୍‌-୬ ଅଞ୍ଚଳରେ ରହୁଥିବା ଜଣେ ଅତିରିକ୍ତ ସଚିବଙ୍କୁ ମରଣାନ୍ତକ ଆକ୍ରମଣ ପଛରେ ଏମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଆକ୍ରମଣର ଶିକାର ବ୍ୟକ୍ତିଜଣଙ୍କ ହେଲେ, ବଟକୃଷ୍ଟ ଦେହୁରୀ। ସେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ। ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ‌ରେ ଚିକିତ୍ସା କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ଶ୍ରୀ ଦେହୁରୀ ଆସନ୍ତାକାଲି କ୍ୟାପିଟାଲ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।

Advertisment

ଶ୍ରୀ ଦେହୁରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସଂଧ୍ୟାରେ ସେ କାର୍ଯ୍ୟାଳୟରୁ ୟୁନିଟ୍‌-୬ସ୍ଥିତ କ୍ବାର୍ଟର୍ସକୁ ଆସୁଥିଲେ। ସେ କାର୍‌ରୁ ଓହ୍ଲାଇ କ୍ବାର୍ଟର୍ସ ଭିତରକୁ ପଶିବା ବେଳେ ଦୁଇଜଣ କଳାମୁଖା ପିନ୍ଧା ଯୁବକ ହଠାତ ଏକ କାଠ ଫାଳିଆରେ ତାଙ୍କ ଗୋଡ଼କୁ ପଛପଟୁ ପିଟିଥିଲା। ଶ୍ରୀ ଦେହୁରୀଙ୍କ ଚିତ୍କାର ଶୁଣି ଆଖପାଖର ଲୋକ ଦୌଡ଼ି ଆସିବାରୁ ଯୁବକ ଦୁହେଁ ଘଟଣାସ୍ଥଳରୁ ଏକ କଳାରଙ୍ଗର ପଲସରରେ ଖସି ପଳାଇଥିଲେ। ତେବେ କେଉଁ କାରଣରୁ ତାଙ୍କ ଏଭଳି ଅତର୍କିତ ଆକ୍ରମଣ ହେଲା, ସେ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଲାଗିଥିବା ସିସି କ୍ୟାମେରାରୁ ଆକ୍ରମଣକାରୀ ଯୁବକଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛି।

ଆପାର୍ଟମେଣ୍ଟ ତଳୁ ବଲେରୋ ଚୋରି

ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅଧୀନ ଗୀତାଞ୍ଜଳି ଆପାର୍ଟ‌େମଣ୍ଟ ତଳୁ ଏକ ବଲୋରୋ ଚୋରି ହୋଇଛି। ଏନେଇ ବଲେରୋ ମାଲିକ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରିଛି। ସହିଦନଗରରେ ରହୁଥିବା କିରଣ ସାହୁ ନାମକ ଜଣେ ଯୁବକ ଗୀତାଞ୍ଜଳି ଆପାର୍ଟମେଣ୍ଟରେ ରହୁଥିବା ତାଙ୍କ ସା‌ଙ୍ଗ ଘରେ ରାତିରେ ରହିଥିଲେ। ସକାଳୁ ଉଠି ଦେଖନ୍ତି ତ ତାଙ୍କ ବଲେରୋ ଚୋରି ହୋଇଯାଇଛି। ଆପାର୍ଟମେଣ୍ଟରେ ଲାଗିଥିବା ସିସି କ୍ୟାରୋରେ ମଧ୍ୟ ଚୋରି ବେଳର ଦୃଶ୍ୟ ରହିଛି। ପୁଲିସ ସେହି ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।