ଅଟୋ ଡ୍ରାଇଭରଙ୍କୁ ଶାବଳରେ ଆକ୍ରମଣ, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର: ଜଣେ ଅଟୋ ଡ୍ରାଇଭର୍‌ଙ୍କୁ ଶାବଳରେ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ସେହି ଥାନା ଅଧୀନ ମଇଁଷିଆ ଖାଲ ବସ୍ତିର ଟୁନା ଓରଫ ଉପେନ୍ଦ୍ର ଦାସ(୨୮)। ପୁଲିସ ସୂଚନା ଅନୁଯାୟୀ ମଇଁଷିଆ ଖାଲ ବସ୍ତିରେ ରହୁଥିବା ବସନ୍ତ ସିଂ ଜଣେ ଅଟୋ ଡ୍ରାଇଭର୍‌। ଆଜି ସକାଳୁ ଟୁନା ସେହି ବସ୍ତିର ରାସ୍ତାରେ ଗାତ ଖୋଳୁଥିବା ବେଳେ ବସନ୍ତ ଏକ ଜାର୍‌କିନ୍‌ରେ ପେଟ୍ରୋଲ ନେଇ ଅଟୋକୁ ଯାଉଥିଲା। ତେବେ ଜାରକିନ୍‌ଟି ଟୁନା ଦେହରେ ବାଜିଥିଲା। ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିବାରୁ ସେଠାରେ ପାଟତୁଣ୍ଡ ହୋଇଥିଲା। ଟୁନା ରାଗରେ ବସନ୍ତର ମୁଣ୍ଡକୁ ଶାବଳରେ ପିଟିଥିଲା। ଏ ନେଇ ବସନ୍ତ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଟୁନାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର