ବେଗୁନିଆ ତହସିଲ ଅଫିସରେ ଭଙ୍ଗାରୁଜା ୧୬ ଗିରଫ, ଗ୍ରାମରେ ଉତ୍ତେଜନା

ବେଗୁନିଆ: ବେଗୁନିଆ ବ୍ଲକ ବାଘମାରୀ ଥାନା ପଙ୍ଗାରସିଂହ ପଞ୍ଚାୟତ ଅନ୍ତର୍ଗତ ଗୋଡିପୋଖରୀ ଗ୍ରାମରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦକୁ କେନ୍ଦ୍ର କରି ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ବେଗୁନିଆ ତହସିଲଦାର ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରିବାରେ ଟାଳଟୁଳ ନୀତି ଆପଣେଇଥିବା ଅଭିଯୋଗ କରି ଗ୍ରାମର କେତେକ ‌ଲୋକ ବେଗୁନିଆ ତହସିଲ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି। ଏ ନେଇ ବେଗୁନିଆ ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଅଭିଯୋଗ ଭିତ୍ତି‌ରେ ପୁଲିସ ଏକ ମାମଲା ରୁଜୁ କରି ୧୬ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଘଟଣାରୁ ପ୍ରକାଶ ଯେ ଗୋଡ଼ପୋଖରୀ ଗ୍ରାମର ବିଶ୍ବନାଥ ସିଂହଙ୍କ ପୁଅ ଦଣ୍ତପାଣି ସିଂହଙ୍କ ସେହି ଗ୍ରାମରେ ନିଜର ପୈତୃକ ବାସଗୃହ ଥିବା ବେଳେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଏକ ସରକାରୀ ଘର ପାଇଛନ୍ତି। ଏସବୁ ସତ୍ତ୍ବେ ସେ ଗ୍ରାମମଝିରେ ଅବସ୍ଥିତ ମା’ ମଙ୍ଗଳା ମନ୍ଦିର ସଂଲଗ୍ନ ଏକ ସର୍ବସାଧାରଣ ଉପଯୋଗୀ ଜମି( ଖାତା ନମ୍ବର ୨୭୪, ପ୍ଲଟ ନଂ ୩୭୮) ରେ ଥିବା ୩୩୫ ଡିସିମିଲ ଜାଗାରେ ଗତ ଦୁଇ ବର୍ଷହେଲା ଘର କରିବା ସହ ଏଠାରେ ଥିବା ଏକ କୂଅକୁ ଏକଚାଟିଆ ଭାବେ ନିଜ ବ୍ୟବହାରରେ ଲଗାଇ ଆସୁଛନ୍ତି। ଏନେଇ ଗ୍ରାମବାସୀମାନେ ବିଭିନ୍ନ ସମୟରେ ତହସିଲଦାର, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଏହି ସର୍ବସାଧାରଣ ସ୍ଥାନରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବି କରିଥିଲେ। ମାତ୍ର କିଛି ସୁଫଳ ନ ମିଳିବାରୁ ଗ୍ରାମବାସୀମାନେ ଏ ନେଇ ମାନ୍ୟବର ଉଚ୍ଚ ନ୍ୟାୟଳୟରେ ଏକ ମକଦ୍ଦମା ରୁଜୁ କରିଥିଲେ। ମାମଲାର ବିଚାର କରି ଜବରଦଖଲ ଉଚ୍ଛେଦ ପାଇଁ ମାନ୍ୟବର ହାଇକୋର୍ଟ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଏ ଦିଗ‌େର ପଦକ୍ଷେପ ନେବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲ୍ଲାପାଳ ଜବରଦଖଲ ଉଚ୍ଛେଦ ପାଇଁ ବେଗୁନିଆ ତହସିଲଦାରଙ୍କୁ ନିଦ୍ଦେର୍ଶ ଦେବା ପରେ ତହସିଲଦାର ବିବେକାନନ୍ଦ ପରିଡ଼ା ଆଜି ଜବରଦଖଲ ଉଚ୍ଛେଦ ହେବ ବୋଲି ଗ୍ରାମବାସୀଙ୍କୁ ଜଣାଇବା ସହ ପୁଲିସ ବରାଦ ମଧ୍ୟ କରିଥିଲେ। ମାତ୍ର କୌଣସି କାରଣରୁ ତହସିଲଦାର ଜବରଦଖଲ ଉଚ୍ଛେଦ ସ୍ଥଗିତ ରଖିଥିଲେ ମଧ୍ୟ ଏ ନେଇ ଗ୍ରାମବାସୀଙ୍କୁ କିଛି ଜଣାଇ ନଥିଲେ। ବହୁ ସମୟ ପରେ ଅପେକ୍ଷାରତ ଗ୍ରାମବାସୀମାନେ ଏକାଠି ହୋଇ ଏ ସମ୍ପର୍କରେ ତହସିଲଦାରଙ୍କଠାରୁ ଜାଣିବା ପାଇଁ ବେଗୁନିଆ ଅଫିସକୁ ଆସିଥିଲେ। ଅଫିସରେ ତହସିଲଦାରଙ୍କୁ ନପାଇବାରୁ ଉତ୍ତ୍ୟକ୍ତ ଲୋକେ ତହସିଲଦାରଙ୍କ ଅଫିସର ଆସବାବପତ୍ର ଭଙ୍ଗାରୁଜା କରିବା ସହ ତହସିଲଦାରଙ୍କ ବିରୋଧରେ ନାରାବାଜି କରିଥିଲେ। ପରେ ଏହାକୁ ନେଇ ତହସିଲ ଅଫିସ ପକ୍ଷରୁ ବେଗୁନିଆ ଥାନାରେ ହୋଇଥିବା ଏକ ଅଭିଯୋଗକ୍ରମେ ପୁଲିସ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର