ବିଜେପି କର୍ମୀଙ୍କୁ ମାଡ଼ ଅଭିଯୋଗ

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ହିଂସା, ୯ ଆହତ

ଚନ୍ଦ୍ରଶେଖରପୁର : ପ୍ରଚାର କରୁଥିବା ବେଳେ ଆଜି ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଉତ୍ତରର ବିଜେପି ବିଧାୟକ ପ୍ରାର୍ଥିନୀ ଅପରାଜିତା ମହାନ୍ତିଙ୍କ ସମର୍ଥକମାନେ ନୀଳାଦ୍ରିବିହାର ନିକଟ ମଙ୍ଗଳା ବସ୍ତିରେ ପ୍ରଚାର କରୁଥିବା ସମୟରେ ବିରୋଧୀଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି। ଏଥିରେ ୯ ଜଣ ଆହତ ହୋଇଛନ୍ତି। ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଅଭିଯୋଗ ହୋଇଛି। ଚିକିତ୍ସା ପାଇଁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଶ୍ରୀମତୀ ମହାନ୍ତିଙ୍କ ସପକ୍ଷରେ ପ୍ରଚାର ଲାଗି ବିଜେପି କର୍ମୀମାନେ ନୀଳାଦ୍ରି ବିହାରସ୍ଥିତ ମଙ୍ଗଳା ବସ୍ତିକୁ ଯାଇଥିଲେ। ସେଠାରେ କିଛି ଲୋକ ପ୍ରଚାର ଗାଡ଼ିକୁ ବସ୍ତି ଭିତରକୁ ପୂରାଇ ଦେଇନଥିଲେ। ଏହି ସମୟରେ ଅନ୍ୟ କିଛି ଅସାମାଜିକ ବ୍ୟକ୍ତି ବିଜେପି କର୍ମୀଙ୍କୁ ମାଡ଼ ମାରିଥିଲେ। ଏଥିରେ ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାନେତ୍ରୀ ମାନସୀ ମଞ୍ଜରୀ ରାୟ ପାଢ଼ୀ ଗୁରୁତର ଆହତ ହୋଇଥିଲେ। ଏମାନଙ୍କ ବ୍ୟତୀତ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି। ଯେଉଁମାନେ ଆକ୍ରମଣ କରିଛନ୍ତି, ସେମାନଙ୍କୁ ବିଭିନ୍ନ ସମୟରେ ବିଜେଡିର କିଛି ନେତାଙ୍କ ସହ ଦେଖିବାକୁ ମିଳିଥାଏ ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି।

ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ବରଞ୍ଜନ ନାୟକଙ୍କ କହିବାନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ନାମରେ ଅଭିଯୋଗ ହୋଇଛି ସେ ଫେରାର ଅଛନ୍ତି। ପୁଲିସର ଏକ ଟିମ୍‌ ମଙ୍ଗଳା ବସ୍ତିକୁ ଯାଇ ଘଟଣାର ତଦନ୍ତ କରୁଛି। କେଉଁ କାରଣରୁ ଗଣ୍ଡଗୋଳ ହୋଇଥିଲା, ତାହାର ତଦନ୍ତ ଚାଲିଛି। ଘଟଣା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ପାଟ୍ରୋଲିଂକୁ କଡ଼ାକଡ଼ି ହୋଇଛି। ଏଥିସହ ପୁଲିସର ଏକ ସ୍ବତନ୍ତ୍ର ଦଳକୁ ସେଠାରେ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ କେତେଜଣ ଯୁବକ ମଙ୍ଗଳା ବସ୍ତିରେ ଥିବା ଏକ ଦୋକାନ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି। ବାଇକ୍‌ରେ ଆସିଥିବା ଦୁର୍ବୃତ୍ତମାନେ ଦୋକାନରେ ଥିବା ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିବା ସହ ଜଣଙ୍କୁ ମାଡ଼ ମାରିଥିଲେ। ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆଜି ଦିନତମାମ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପକ୍ଷରୁ ରାତିରେ ୨ଟି ପିସିଆର୍‌ ଭ୍ୟାନ୍‌କୁ ମଙ୍ଗଳାବସ୍ତି ଅଞ୍ଚଳରେ ମୁତୟନ କରାଯାଇଛି। ସକାଳ ଘଟଣାର ପ୍ରତିଶୋଧ ନେବା ପାଇଁ ବିଜେପି କର୍ମୀମାନେ ଏଭଳି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର