ସିଆର୍‌ପି ଛକରେ ସମିତି ସଭ୍ୟଙ୍କ ଲଙ୍କାକାଣ୍ଡ

କାର୍ ଚାଳକଙ୍କୁ ପିଟିଲେ, ଗାଡ଼ି ଭଙ୍ଗାରୁଜା କଲେ, ୩ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର୍‌

ଭୁବନେଶ୍ବର : ବୁଧବାର ବିଳମ୍ବିତ ରାତିରେ ସାମାନ୍ୟ ଦୁର୍ଘଟଣାକୁ କେନ୍ଦ୍ର କରି ବଲାଙ୍ଗୀର ସଇଁତଳା ବ୍ଲକ ଡେଙ୍ଗ ପଞ୍ଚାୟତର ସମିତି ସଭ୍ୟ ସିମ୍‌ରନସିଂହ ଭୋଇ ଓ ତାଙ୍କ ସାଙ୍ଗମାନେ ସିଆର୍‌ପି ଛକରେ ତୁମୁଳକାଣ୍ଡ ଭିଆଇଛନ୍ତି। ନୂଆପଲ୍ଲୀ ବାଲିତୋଟା ସାହିର ରାକେଶ ମିଶ୍ରଙ୍କୁ ହକିଷ୍ଟିକ୍‌ରେ ପିଟିପିଟି ଗୁରୁତର କରିବା ସହ ତାଙ୍କ କାର୍‌କୁ ଭଙ୍ଗାରୁଜା କରିଛନ୍ତି। ଏହି ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସିମ୍‌ରନ୍‌ ଓ ଆଉ କିଛି ସହଯୋଗୀ ଫେରାର୍ ହୋଇଯାଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ୟୁନିଟ୍-୫ କେଶରୀନଗରର ଲିଙ୍ଗରାଜ ସ୍ବାଇଁ, ପୁରୁଣାଭୁବନେଶ୍ବର ବଢ଼େଇବାଙ୍କ ଛକ ବଡ଼ଦାଣ୍ଡସାହିର ସନ୍ତୋଷ କୁମାର ଶତପଥୀ ଓ ଡୁମୁଡୁମା ହାଉସିଂବୋର୍ଡ କଲୋନିର କେ. ଲୋକେଶ।

ଅଭିଯୋଗକାରୀ ରାକେଶଙ୍କ ଏତଲା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ସେ ଏକ ବିବାହ କାର୍ଯ୍ୟକ୍ରମରୁ ନୂଆପଲ୍ଲୀ ବାଲିତୋଟାସାହିସ୍ଥିତ ତାଙ୍କ ଘରକୁ ଫେରୁଥିଲେ। ସିଆର୍‌ପି ଛକ ନିକଟରେ ସୁଶାନ୍ତ ଫାଷ୍ଟଫୁଡ୍ ଷ୍ଟଲ୍‌ ସମ୍ମୁଖରେ ରାସ୍ତା ମଝିରେ ଥିବା ଏକ ସ୍କୁଟିରେ ତାଙ୍କ କାର୍‌ ବାଜିଯାଇଥିଲା। ସ୍କୁଟିର ସାମାନ୍ୟ କ୍ଷତି ହୋଇଥିଲା। କିନ୍ତୁ ରାକେଶ ସେଠାରୁ ପଳାଇ ନଯାଇ କାର୍‌ ଅଟକାଇଥିଲେ ଓ ବାହାରକୁ ଆସିଥିଲେ। ସ୍କୁଟି ମାଲିକଙ୍କ ସହ କଥା ହେବାକୁ ସେ ଅଟକିଥିଲେ। କିନ୍ତୁ ସିମରନ୍‌, ସନ୍ତୋଷ, ଲୋକେଶ, ଲିଙ୍ଗରାଜ ଓ ଆଉ ୩ ଜଣ ତାଙ୍କ ପାଖକୁ ଦୌଡ଼ି ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଗାଳିମନ୍ଦକୁ ରାକେଶ ବିରୋଧ କରିଥିଲେ। ଏଥିରେ ରାଗିଯାଇ ସିମରନ୍‌ଙ୍କ ଗୋଷ୍ଠୀ ହକି ଷ୍ଟିକ୍ ଓ ବେସ୍‌ବଲ୍ ଷ୍ଟିକ୍‌ରେ ରାକେଶଙ୍କୁ ପିଟିଥିଲେ। ଏମିତିକି ସେ ତଳେ ପଡ଼ିଯିବା ପରେ ବି ସେମାନେ ତାଙ୍କୁ ପିଟି ଚାଲିଥିଲେ ଓ କାର୍‌କୁ ଭଙ୍ଗାରୁଜା କରିଥିଲେ। ବଡ଼ କଥା ହେଉଛି ସିଆର୍‌ପି ଫାଣ୍ଡି ପୁଲିସ ସେମାନଙ୍କୁ ଅଟକାଇଥିଲେ ବି ସେମାନେ ଶୁଣିନଥିଲେ। ପରେ ଥାନାରୁ ଭ୍ୟାନ୍‌ ଆସିବା ଦେଖି ସେମାନେ ପଳାଇଥିଲେ। ପୁଲିସ ରାତାରାତି ୩ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସିମରନଜିତ୍ ଫେରାର୍ ହୋଇଯାଇଛି। ଜଣେ ଜନପ୍ରତିନିଧି ଓ ଜଣେ ପୂର୍ବତନ ବିଧାୟକଙ୍କ ପୁଅ ହୋଇ ବି ସିମରନ୍‌ଙ୍କ ଏହି କାଣ୍ଡକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର