କୋର୍ଟ ପରିସରରେ କନେଷ୍ଟବଳଙ୍କୁ ଆକ୍ରମଣ: ଗଞ୍ଜେଇ ମାଫିଆ ମାନସ ସମେତ ୩ ଗିରଫ

ଜଟଣୀ: ମଙ୍ଗଳବାର ଜଟଣୀ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଇନ୍‌ଫୋଭ୍ୟାଲି ଥାନାର ଜଣେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ୩ ପେସାଦାର ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ବିକାଶନଗରର ରାକେଶ ଦଳେଇ ଓରଫ୍ ମାନସ (୪୨), ଉପରବସ୍ତର ସଞ୍ଜୀବ ବାଗସିଂହ (୪୦) ଓ ସତ୍ୟବାନ ବାଗସିଂହ ଓରଫ୍ ସତିଆ (୪୫)। ଅଭିଯୁକ୍ତ ମାନସ ଜଣେ ଜଣାଶୁଣା ଗଞ୍ଜେଇ ମାଫିଆ ଓ ତା’ ନାଁରେ ଡକାୟତି, ଲୁଟ୍‌, ଛିନ୍‌ତାଇ ଭଳି ବହୁ ଅପରାଧିକ ମାମଲା ରହିଛି। ଗତକାଲି ଏକ ଆକ୍ରମଣ ଓ ଲୁଟ୍‌ ମାମଲାରେ ଇନ୍‌ଫୋଭ୍ୟାଲି ଥାନା ପୁଲିସ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କୋର୍ଟ ଚାଲାଣ କରୁଥିବା ବେଳେ ଉପରୋକ୍ତ ୩ ଅଭିଯୁକ୍ତ ଜଣେ କନେଷ୍ଟବଳଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ପୁଲିସ ସୂଚନାନୁସାରେ ଗତକାଲି ଇନ୍‌ଫୋଭ୍ୟାଲି ଥାନା ପୁଲିସ ଯାଁଳା ଫାଣ୍ଡି ଅଞ୍ଚଳର ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଦିନ ଦି’ପହରରେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ସେମାନେ ତାଙ୍କଠାରୁ ପ୍ରାୟ ୧୫ ହଜାର ଟଙ୍କା ଲୁଟିନେଇଥିଲେ। ଇନ୍‌ଫୋଭ୍ୟାଲି ଥାନାର କର୍ମଚାରୀମାନେ ସେମାନଙ୍କୁ ନେଇ ଜଟଣୀ ‌ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲେ। କୋର୍ଟରେ ରେକର୍ଡପତ୍ର କାମ ଚାଲିଥିବା ବେଳେ ୬ ଅଭିଯୁକ୍ତଙ୍କ ସହଯୋଗୀ କୁହାଯାଉଥିବା ମାନସ ଓ ତା’ର ୪/୫ ଜଣ ସହଯୋଗୀ କୋର୍ଟରେ ପଶିଥିଲେ। ଅଭିଯୋଗକାରୀ କନେଷ୍ଟବଳ ଓ ଅନ୍ୟମାନେ ୬ ଅଭିଯୁକ୍ତଙ୍କୁ ଘେରି ରହିଥିବାରୁ ମାନସ ଗ୍ୟାଙ୍ଗ୍‌ ସେମାନଙ୍କୁ ଗାଳିମନ୍ଦ କରି ଗଣ୍ଡଗୋଳ ଆରମ୍ଭ କରିଥିଲେ। ପୁଲିସ କର୍ମଚାରୀମାନେ ସେମାନଙ୍କୁ ପ୍ରତିରୋଧ କରିବାରୁ ମାନସ ନିଜେ କନେଷ୍ଟବଳଙ୍କ କଲର୍‌ ଧରି ଧକ୍କା ମାରିଥିଲା। ଗଣ୍ଡଗୋଳ ବଢ଼ିବା ଖବର ପାଇ ସଙ୍ଗେସଙ୍ଗେ ଜଟଣୀ ଥାନା ପୁଲିସ ସେଠାରେ ପହଞ୍ଚି ମାନସ ଗ୍ୟାଙ୍ଗ୍‌କୁ ଘେରି ଯାଇଥିଲା। ଘଟଣାସ୍ଥଳରୁ ପୁଲିସ ମାନସ, ସତିଆ ଓ ସଞ୍ଜୀବକୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଚମ୍ପଟ ମାରିଥିଲେ। କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ମାନସ ନାଁରେ ୧୬ ମାମଲା ଥିବା ବେଳେ ସେ ଜଣେ ପେସାଦାର ଅପରାଧୀ ହୋଇଥିବାରୁ ତା’ ବିରୋଧରେ ୧୧୦ ଦଫା ଲାଗୁ ହୋଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର