ବେଲଚାରେ ପିଟି ପିଟି ଠିକାଦାରଙ୍କୁ ହତ୍ୟା

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ନଖରା ଅଞ୍ଚଳରେ ରଙ୍ଗ କାମ କରୁଥିବା ଜଣେ ଠିକାଦାରଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ, ଅରୁଣ କୁମାର ଦାସ(୩୫)। ମିଳିଥିବା ଆଧାର କାର୍ଡର ଠିକଣାରୁ ତାଙ୍କ ଘର ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ରଜନୀ ସାହୁ କଲୋନି ଅଞ୍ଚଳରେ। କିନ୍ତୁ ଗତ ୪/୫ ବର୍ଷ ହେଲା ସେ ନଖରା ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଏହି ଘଟଣା ଆଜି ପୂର୍ବାହ୍ନରେ ପ୍ରଘଟ ହେବା ପରେ ଜୋନ୍‌-୪ ଏସିପି ଅମରେନ୍ଦ୍ର ପଣ୍ଡା, ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତ ଓ ପାହାଳ ଫାଣ୍ଡି ଅଧିକାରୀ କାଶୀନାଥ ହାଂସଦା ପ୍ରମୁଖଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଛି। ଘଟଣାସ୍ଥଳରୁ ପୁଲିସ ଗୋଟିଏ ରକ୍ତଲଗା ବେଲଚା ଓ ୪ ଇଞ୍ଚ ଲମ୍ବ, ୩ ଇଞ୍ଚ ଚଉଡ଼ାର ରକ୍ତଲଗା ଲୁହା ଆଙ୍ଗେଲକୁ ଜବତ କରିଛି। ଏହାକୁ ପରୀକ୍ଷା ପାଇଁ ଫୋରେନସିକ୍‌ ଲାବରେଟୋରିକୁ ପଠାଯାଇଛି। ଅପରପକ୍ଷେ ପୁଲିସ ଅରୁଣଙ୍କ ଶବକୁ ବ୍ୟବଚ୍ଛେଦ କରାଇବା ସହ ଏନେଇ ଏକ ମାମଲା ରୁଜୁ କରିଛି। ଶବ ପଡ଼ିଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଅରୁଣଙ୍କୁ ବେଲଚା ଓ ଲୁହା ଆଙ୍ଗେଲରେ ମାଡ଼ ମାରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅରୁଣଙ୍କ ସାମନା ପାର୍ଶ୍ବ ମୁହଁ ଓ ପଛପାର୍ଶ୍ବ ମୁଣ୍ଡ ଗଭୀର ଭାବେ କ୍ଷତ ହୋଇଛି। ସେ ଶୋଇଥିବା ବେଳେ ଏକାଧିକ ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଛନ୍ତି ବୋଲି ପୁଲିସ ଅନୁମାନ କରୁଛି। ଅପରପକ୍ଷେ ଅରୁଣଙ୍କ ପାଖରେ ଶୋଉଥିବା ତାଙ୍କର ଜଣେ ଅତି ଘନିଷ୍ଠ ସହକର୍ମୀ ଫେରାର୍‌ ଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ ୩/୪ଜଣ ରଙ୍ଗ ମିସ୍ତ୍ରିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ସୂଚନାନୁଯାୟୀ, ଅରୁଣ ଯେଉଁ ବିଲ୍ଡିଂକୁ ନେଇ ରଙ୍ଗକାମ କରୁଥିଲେ ସେହି ବିଲ୍ଡିଂରେ ସମସ୍ତେ ଏକାଠି ଶୋଉଥିଲେ। ତେବ‌େ ୯ ଦିନ ହେଲା ଅରୁଣ ତାଙ୍କର ଅନ୍ୟ ଜଣେ ଘନିଷ୍ଠ ସହକର୍ମୀ ଚିକୁ ସହ ଚତୁର୍ଥ ମହଲାରେ ଶୋଉଥିଲେ। ସବୁ ଦିନ ଭଳି ଗତକାଲି କାମ ସରିବା ପରେ ଉଭୟ ଅରୁଣ ଓ ଚିକୁ ବାହାରକୁ ବୁଲିବାକୁ ପଳାଇଥିଲେ। ବିଳମ୍ବିତ ରାତିରେ ଫେରି ଗେଟ୍‌ରେ ତାଲା ପକାଇ ଛାତ ଉପରେ ଶୋଇଥିଲେ। କିନ୍ତୁ ଆଜି ସକାଳେ ଗେଟ୍‌ ତାଲା ଖୋଲିବାରେ ବିଳମ୍ବ ହେବା ଦେଖି ତଳ ମହଲାରେ ଶୋଇଥିବା ଅନ୍ୟ ମିସ୍ତ୍ରିମାନେ ଛାତ ଉପରକୁ ଯାଇଥିଲେ। ସେଠାରେ ଅରୁଣଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଶ୍ରମିକମାନେ ଏ ସଂପର୍କରେ ପ୍ରଥମେ ଘର ମାଲିକଙ୍କୁ ଜଣାଇବା ସହ ବାଲିଅନ୍ତା ଥାନାକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର