ଚନ୍ଦ୍ରଶେଖରପୁର : ନାରୀଙ୍କୁ ସମ୍ମାନ ଓ ସୁରକ୍ଷା ଦେବାକୁ ସରକାର ଗୁରୁତ୍ବ ଦେଉଛନ୍ତି। ସେମାନଙ୍କ ସୁରକ୍ଷା ନେଇ ବିଭିନ୍ନ ଯୋଜନା କରାଯାଉଛି। ହେଲେ ରାଜଧାନୀରେ ଜଣେ ମହିଳାଙ୍କୁ ଅପମାନିତ କରାଯାଇଛି। ସମସ୍ତଙ୍କ ଆଗରେ ନିର୍ଯାତନା ଦିଆଯାଇଛି। ଟଣା ଓଟରା କରି ଉଲଗ୍ନ କରାଯାଇଛି। ମହିଳା ଜଣଙ୍କ ଜଣେ ଶିକ୍ଷୟିତ୍ରୀ। ଜଣେ ଶିକ୍ଷୟିତ୍ରୀଙ୍କୁ ଏପରି ଅପମାନିତ କରିବା ଘଟଣାକୁ ସାଧାରଣରେ ଘୋର ନିନ୍ଦା କରାଯାଇଛି। ମାତ୍ର ପୁଲିସ ସବୁ ଜାଣି ଚୁପ୍ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିଯୋଗ କରିବାରେ ୭୨ ଘଣ୍ଟା ବିତି ଯାଇଥିଲେ ହେଁ ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମହିଳାଙ୍କୁ ଉଲଗ୍ନ କରିବାର ଭିଡିଓକୁ କିଛି ଖଳ ପ୍ରକୃତିର ଯୁବକ ମନ୍ଦ ଉଦ୍ଦେଶ୍ୟ ରଖି ଭାଇରାଲ୍‌ କରିଦେଇଛନ୍ତି। ଫଳରେ ମହିଳା ଜଣଙ୍କ ଲୋକମାନଙ୍କ ଟାହି ଟାପରା ସହି ନପାରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏପରି ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଅଧୀନ ଧିରିକୁଟି ଲାଇନ୍ ସାହିରେ। ଏହି ଘଟଣାକୁ ବୁଦ୍ଧିଜୀବୀଙ୍କ ମହଲରେ ନିନ୍ଦା କରାଯିବା ସହିତ ଏପରି କାଣ୍ଡ କରିଥିବା ଅସାମାଜିକ ତତ୍ତ୍ବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ ଉଭୟ ସ୍ବାମୀ-ସ୍ତ୍ରୀ କୋଚିଂ ସେଣ୍ଟର କରିଛନ୍ତି। ଗତ ୨୮ ତାରିଖ ରାତିରେ ଉଭୟ ବସ୍ତିର ଜଣେ ଛାତ୍ରୀଙ୍କ ଘରକୁ ଯାଇ ଟ୍ୟୁସନ୍‌ ଫି’ ମାଗିଥିଲେ। ମାତ୍ର ଛାତ୍ରୀଙ୍କ ବାପା-ମା’ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏହା ଶୁଣି ଲାଇନ୍ ସାହିର କିଛି ଯୁବକ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ। ଶିକ୍ଷକଙ୍କ ପତ୍ନୀ ଏହାକୁ ବିରୋଧ କରିବାରୁ ଲୋକମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଶାଢ଼ିକୁ ଟଣା ଓଟରା କରିଥିଲେ। ସମସ୍ତଙ୍କ ସମ୍ମୁଖରେ ନିର୍ଯାତନା ଦେଇଥିଲେ। ଶିକ୍ଷକଙ୍କୁ ଲଣ୍ଡା କରି ଚୁନକାଳି ଲଗାଇ ବସ୍ତିରେ ବୁଲାଇଥିଲେ। ଏହି ସମୟରେ କିଛି ଯୁବକ ମୋବାଇଲ୍‌ରେ ତାଙ୍କ ଭିଡିଓ ସୁଟିଂ କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ପରଦିନ ଛାତ୍ରୀଙ୍କ ପରିବାର ଲୋକ ଶିକ୍ଷକଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟପକ୍ଷରେ ଶିକ୍ଷକଙ୍କ ପତ୍ନୀ ଥାନାରେ ପାଲଟା ଅଭିଯୋଗ କରିଥିଲେ ଯେ ଦରମା ଟଙ୍କା ମାଗିବାରୁ ତାଙ୍କ ସ୍ବାମୀଙ୍କୁ ଫସାଇ ଦିଆଯାଇଛି। ଏନେଇ ‌ମଞ୍ଚେଶ୍ବର ଥାନା ଅଧିକରୀଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ, ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଚଢ଼ଉ କରାଯାଉଛି। ମାତ୍ର ସମସ୍ତେ ଫେରାର ଅଛନ୍ତି। ଖୁବ୍‌ଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।