ସଂଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ

୮ ବ୍ୟବସାୟୀ ତଣ୍ଡ ଗଣିଲେ

ବାଲିଅନ୍ତା : ବାଳକାଟି ପ୍ରତାପଶାସନ ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ଆଜି ସଂଧ୍ୟାରେ ଗଣ୍ଡଗୋଳ ହୋଇଛି। ଉକ୍ତ ସଂଗରୋଧ କେନ୍ଦ୍ର ତଦାରଖ ଦାୟିତ୍ବରେ ଥିବା ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ଦୁଇଜଣ ଯୁବକ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଛନ୍ତି। ଆକ୍ରମଣର ଶିକାର ପୁରୁଷ ସ୍ବାସ୍ଥ୍ୟକର୍ମୀଜଣଙ୍କ ହେଲେ, ଉକ୍ତ ଫାଣ୍ଡି ଅଧୀନ ନାଗପୁର ଗ୍ରାମର ସଞ୍ଜୟ କାଣ୍ଡି। ଏ ସଂପର୍କରେ ସଂଜୟ ଆଜି ରାତିରେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ବାଲିଅନ୍ତା ତହସିଲଦାର, ବିଡିଓ ଏବଂ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଥିବା କହିଛନ୍ତି। ହେଲେ ପୁଲିସ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରିବାରେ ସଫଳ ହୋଇପାରିନି। ପ୍ରତାପଶାସନ ସଂଗରୋଧ କେନ୍ଦ୍ରରେ ୮ ଜଣ ପ୍ରବାସୀ ଓଡ଼ିଆ ଅଛନ୍ତି। ସେମାନଙ୍କ ମଧ୍ୟରୁ ଝିଣ୍ଟି ଶାସନ ପଞ୍ଚାୟତ ଅଞ୍ଚଳରୁ ଜଣେ ବାହାର ଫେରନ୍ତା ଯୁବକ ୮ ଦିନ ହେଲା ସଂଗରୋଧରେ ଅଛନ୍ତି। ଆଜି ସଂଧ୍ୟା ୭ଟା ବେଳେ ସେ ହଠାତ ଗୃହ ସଂଗରୋଧରେ ରହିବା ପାଇଁ ଦାୟିତ୍ବରେ ଥିବା କର୍ମଚାରୀ ସଞ୍ଜୟଙ୍କୁ କହିଥିଲେ। ହେଲେ ସଞ୍ଜୟ ଏହାକୁ ବିରୋଧ କରିଥିଲେ। ଏହାପରେ ସଂପୃକ୍ତ ପ୍ରବାସୀ ଓଡ଼ିଆ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ଫୋନ କରି ଡକାଇ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି।

୮ ବ୍ୟବସାୟୀ ତଣ୍ଡ ଗଣିଲେ
ବାଲିଅନ୍ତା : ଆଜି ଅପରାହ୍‌ଣ ସାଢ଼େ ୪ଟା ବେଳେ ବାଲିଅନ୍ତା ତହସିଲଦାର ସଂଯୁକ୍ତା ସ୍ବାଇଁ ପ୍ରତାପଶାସନ ପଞ୍ଚାୟତ ଅଧୀନ ରଥିଜେମା ଏବଂ ବଇଁଚୁଆ ଅଞ୍ଚଳରେ ଖୋଲାଥିବା ଦୋକାନରେ ଅତର୍କିତ ଚଢ଼ଉ କରିଥିଲେ। ସଟ୍‌ଡାଉନ୍‌ ସମୟରେ କିଛି ଦୋକାନୀ ଦୋକାନ ଖୋଲା ରଖିଥିବାରୁ ସେମାନଙ୍କଠାରୁ ଜରିମାନା ଆଦାୟ କରିଥିଲେ। ଉପରୋକ୍ତ ପଞ୍ଚାୟତରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୮ ଜଣ ବ୍ୟବସାୟୀଙ୍କଠାରୁ ୩୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଆଇନ ଉଲ୍ଲଂଘନକାରୀ ସଂପୃକ୍ତ ବ୍ୟବସାୟୀଙ୍କ ମଧ୍ୟରେ ଅଛି ତେଜରାତି ଦୋକାନ, ମନୋହରି ଦୋକାନ, ଫାଷ୍ଟଫୁଡ଼ ଓ ଚା’ ପାନ ଦୋକାନ। ଏହି ସ୍କ୍ବାଡ୍‌ରେ ୪ଜଣ ରାଜସ୍ବ ନିରୀକ୍ଷକ ମଧ୍ୟ ସାମିଲ ଥିଲେ।

ସମ୍ବନ୍ଧିତ ଖବର