ମାଗଣା ଔଷଧ ପାଇଁ ଡାକ୍ତର, କର୍ମଚାରୀଙ୍କୁ ଦୁର୍ବ୍ୟବହାର

ଔଷଧ ବିତରଣ କେନ୍ଦ୍ର କବାଟ ଭାଙ୍ଗିଲେ

ବାଲିପାଟଣା : ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ଯୁବକ କାର୍ଯ୍ୟରତ ଡାକ୍ତର ଏବଂ ନର୍ସଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମେଡିକାଲ ପରିସରରେ ଥିବା ସରକାରୀ ଔଷଧ ବିତରଣ କେନ୍ଦ୍ର କବାଟ ଭାଙ୍ଗିଛନ୍ତି। ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ନିର୍ଦେଶରେ ମେଡିକାଲ ତରଫରୁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ବାଲିଅନ୍ତା ବ୍ଲକ କାକରଦ୍ରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା। ୮/୧୦ ଜଣ ଯୁବକ ଅପରାହ୍‌ଣ ୨ଟା ବେଳେ ତାଙ୍କୁ ମେଡିକାଲ ଆଣି ଆସିଥିଲେ। ସେ ସମୟରେ ଡାକ୍ତର ରତିରଞ୍ଜନ ସ୍ୱାଇଁ ଡ୍ୟୁଟିରେ ଥିଲେ। ଆହତ ଯୁବକଙ୍କ ପ୍ରାଥମିକ ଚିକିତ୍ସା କରି ଔଷଧ ଏବଂ ଇଞ୍ଜେକ୍ସନ ଲେଖିଥିଲେ। ମାଧ୍ୟାହ୍ନ ଭୋଜନ ସମୟ ହେତୁ ଔଷଧ ବିତରଣ କେନ୍ଦ୍ର ବନ୍ଦ ଥିଲା। ହେଲେ ରୋଗୀଙ୍କ ସମ୍ପର୍କୀୟମାନେ ମାଗଣା ମେଡିସିନ ପାଇଁ ହୋ ହଲ୍ଲା କରିଥିଲେ। ମେଡିକାଲ ନିୟମ ଅନୁସାରେ ସକାଳ ୮ଟା ରୁ ୧୨ଟା ଏବଂ ଅପରାହ୍‌ଣ ୩ଟାରୁ ୫ଟା କେନ୍ଦ୍ର ଖୋଲା ରହୁଥିବା ଡାକ୍ତର ଏବଂ ନର୍ସ କହିଥିଲେ। ହେଲେ କେତେଜଣ ଯୁବକ ଡାକ୍ତର ଏବଂ ନର୍ସଙ୍କ ସହ ଯୁକ୍ତିତର୍କ କରିବା ସହ ଦୁର୍ବ୍ୟବହାର କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଔଷଧ ବିତରଣ କେନ୍ଦ୍ର କବାଟକୁ ଗୋଇଠା ମାରି ଭାଙ୍ଗି ଦେଇଥିଲେ। ବାଲିପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନେ ଚାଲି ଯାଇଥିଲେ। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର