ଇଂଜିନିୟରିଂ ଛାତ୍ରଙ୍କୁ ଆକ୍ରମଣ: ୨ ସହପାଠୀଙ୍କ ସମେତ ୩ ଗିରଫ

ଅଭିଯୁକ୍ତଙ୍କ ମଧ୍ୟରେ କେବିଏନ୍ ଗ୍ୟାଙ୍ଗ୍‌ର ସଦସ୍ୟ ଅମ୍ଳାନ, ୨ଟି କ୍ରିକେଟ୍ ଷ୍ଟମ୍ପ୍ ଜବତ

ଭୁବନେଶ୍ବର: ଖଣ୍ଡଗିରିସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଆଜି ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ବିହାର କଙ୍କଡ଼ାବାଘର ନିହାଲ କୁମାର ସିଂହ(୨୨), ଝାଡ଼ଖଣ୍ଡ ଧୁରୁଵାର ବିକାଶ ସିଂହ(୨୨) ଓ ଡୁମୁଡୁମାର ଅମ୍ଳାନ ମହାନ୍ତି(୨୧)। ପୁଲିସ ଅଭିଯୁକ୍ତଙ୍କ ପାଖରୁ ୨ଟି କ୍ରିକେଟ୍ ଷ୍ଟମ୍ପ୍ ଜବତ କରିଛି।

ସୂଚନାନୁଯାୟୀ, ରାଉରକେଲାର କିଷାନ କୁମାର ସାହୁ ଖଣ୍ଡଗିରିସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢ଼ନ୍ତି। ଗତକାଲି ଅପରାହ୍‌ଣ ପ୍ରାୟ ୩ଟାରେ ସାଙ୍ଗ ମନସୁନ୍‌ ସହ ସେ କଲେଜ ହଷ୍ଟେଲ୍‌କୁ ଯାଉଥିବା ବେଳେ ସହପାଠୀ ନିହାଲ, ବିକାଶ, ଆଲୋକଙ୍କ ସମେତ କିଛି ଯୁବକ ତାଙ୍କୁ ଅଟକାଇଥିଲେ। ପୁରୁଣା କଥାକୁ ନେଇ ସେମାନେ କିଷାନକୁ ମାଡ଼ ମାରିଥିଲେ। କିଷାନ ଓ ମନସୁନ୍ ପ୍ରତିବାଦ କରିବାରୁ ନିହାଲ କେବିଏନ୍ ଗ୍ୟାଙ୍ଗ୍‌ ତା’ର ଚିହ୍ନା ବୋଲି କହିଥିଲା ଓ ଡୁମୁଡୁମାର ଅମ୍ଳାନକୁ ଡାକି ଆଣିଥିଲା। ଅମ୍ଳାନ ଆସିବା ପରେ ସେମାନେ ମିଳିତ ଭାବେ କ୍ରିକେଟ୍ ଷ୍ଟମ୍ପ୍‌ରେ କିଷାନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। କିଷାନ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ଏନେଇ କିସାନ ଖଣ୍ଡଗିରି ଥାନାରେ ଅଭିଯୋଗ ଦେବା ପରେ ପୁଲିସ ମାମଲାର ତଦନ୍ତ କରିଥିଲା।

ପୁଲିସ ତଦନ୍ତରୁ ଜଣାପଡ଼ିଛି, ଅମ୍ଳାନ କେବିଏନ୍ ଗ୍ୟାଙ୍ଗ୍‌ ନାଁରେ ଉତ୍ପାତ କରି ଉକ୍ତ ଘରୋଇ ଇଂଜିନିୟରିଂ କଲେଜରେ ଭାଇଗିରି ଚଳାଇଥିଲା। ଗଣ୍ଡଗୋଳ ହେଲେ ସେଠାରେ ପହଞ୍ଚି ସମାଧାନ କରିବା ଆଳରେ ଗୁଣ୍ଡାଗର୍ଦ୍ଦି କରୁଥିଲା। ଘଟଣା ଦିନ ମଧ୍ୟ ଅମ୍ଳାନ ଖଣ୍ଡଗିରିସ୍ଥିତ ଉକ୍ତ କଲେଜକୁ ଆସି କିଷାନକୁ ନିସ୍ତୁକ ମାଡ଼ ମାରିଥିଲା। ପୁଲିସ ଘଟଣାର ତଦନ୍ତ କରି ୩ଜଣଙ୍କୁ ଗିରଫ କରିଛି।

ପୂର୍ବରୁ ଆଗୁଆ ଜାମିନ ଆଣି ଖସିଯାଇଥିଲା ଅମ୍ଳାନ

କେବିଏନ୍ ଗ୍ୟାଙ୍ଗ୍‌ର ଆତଙ୍କ ସୃଷ୍ଟିକାରୀ ଭିଡିଓ ପଛରେ ଅମ୍ଳାନ ମାଷ୍ଟରମାଇଣ୍ଡ୍ ଥିଲା। ପୁଲିସ ତନାଘନା କରି ଚଢ଼ଉ କରିବାରୁ ପ୍ରାୟ ୬ମାସ କାଳ ରାଜ୍ୟ ବାହାରକୁ ଫେରାର୍ ହୋଇଯାଇଥିଲା। ପରେ କୋର୍ଟରୁ ଆଗୁଆ ଜାମିନ୍ ଆଣି ପୁଣି ଉତ୍ପାତ ଆରମ୍ଭ କରିଥିଲା। ଗତକାଲି ଘରୋଇ ଇଂଜିନିୟରିଂ କଲେଜରେ ଛାତ୍ରଙ୍କୁ ଆକ୍ରମଣ କରିବା ପରେ ପୁଣି କୋର୍ଟରେ ଆଗୁଆ ଜାମିନ ଆବେଦନ ପାଇଁ ଚିନ୍ତା କରିଥିଲା। ମାତ୍ର ସେ କୋର୍ଟକୁ ଯିବା ପୂର୍ବରୁ ଖଣ୍ଡଗିରି ଥାନା ପୁଲିସ ତାକୁ ଡୁମୁଡୁମାର ଏକ ଖଟିରୁ ଗିରଫ କରିଥିଲା। ଫଳରେ ତା’ ସବୁ ଯୋଜନା ଫସର ଫାଟିଯାଇଥିଲା।

ସମ୍ବନ୍ଧିତ ଖବର