ଭୁବନେଶ୍ବର : ବସ୍ତିକୁ ଚାଲ ଯୋଜନାରେ ପୁଲିସ୍ ବାରମ୍ବାର ବିଫଳ ହେଉଛି। କେତେବେଳେ ଚୋରକୁ ଗିରଫ କରିବାକୁ ଯାଇ ବସ୍ତି ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ତ କେତେବେଳେ ବିଭିନ୍ନ ମାଦକ ଦ୍ରବ୍ୟ ଜବତ କରିବାକୁ ଯାଇ ଲୋକଙ୍କଠାରୁ ମାଡ଼ ଖାଉଛନ୍ତି। ପୂର୍ବରୁ ମଧ୍ୟ ଅନେକବାର ଏହିଭଳି ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ ସୁଦ୍ଧା ଆଜି ଭରତପୁର ଥାନା ଅଞ୍ଚଳରେ ଏଭଳି ଘଟଣା ସବୁ ସୀମାକୁ ପାର୍ କରିଛି।
ଆଜି ସକାଳ ପ୍ରାୟ ୯ଟା ବେଳେ ଭରତପୁର ବସ୍ତି ନିକଟସ୍ଥ ହରପାର୍ବତୀ ସାହିରେ ମଦ, ଗଂଜେଇ ଓ ବ୍ରାଉନ୍ ସୁଗାର ଭଳି ମାଦକ ଦ୍ରବ୍ୟର ଚୋରା କାରବାର ଚାଲୁଥିବା ଅବକାରୀ ବିଭାଗ ଖବର ପାଇଥିଲା। ଖବର ପାଇ ସାହିର ସୁନିତା ନାୟକଙ୍କ ଘରେ ଚଢ଼ଉ କରିବାରୁ ତାଙ୍କ ପରିବାରଲୋକେ ମିଶି କର୍ମଚାରୀଙ୍କୁ ଆକ୍ରମଣ କରିଥଲେ। ସେମାନେ ଠେଙ୍ଗା, ଲୁହା ରଡ୍ରେ ପୁଲିସ୍କୁ ପିଟିବା ସହିତ ପଥର ଫୋପାଡ଼ି ଗାଡ଼ିର କାଚ ଭାଙ୍ଗିଥିଲେ। ଅବକାରୀ କର୍ମଚାରୀମାନେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ କରିବାରୁ ସେମାନେ ଗାଡ଼ି ଚକ ତଳେ ଶୋଇବା ସହିତ ବାଟ ଛାଡ଼ିନଥିଲେ। ଫଳରେ ବାଧ୍ୟ ହୋଇ ଚଢ଼ଉ ପାଇଁ ଆସିଥିବା କର୍ମଚାରୀମାନେ ସ୍ଥାନୀୟ ଭରତପୁର ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ସେମାନେ ଘଟଣାସ୍ଥଳରୁ ଛାଡ଼ି ପଳାଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ଭରତପୁର ପୁଲିସ୍ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି, ହରପାର୍ବତୀ ସାହିର ଅରୁଣ ନାୟକ(୨୯), ଧୁସା ନାୟକ(୧୯), ସୁନୀତା ନାୟକ(୨୦) ଓ ଅଳି ନାୟକ(୪୫)।
ଅବକାରୀ ବିଭାଗର ଜଣେ କର୍ମଚାରୀଙ୍କ କହିବାନୁଯାୟୀ, ଅବକାରୀ ବିଭାଗ ଜୋନ୍-୩ର ଏସ୍ଆଇ ନୀଳିମା ଜୟନ୍ତୀ ସ୍ବାଇଁଙ୍କ ନେତୃତ୍ବରେ ଦୁଇଟି ଗାଡ଼ିରେ ୧୭ଜଣ କର୍ମଚାରୀ ହରପାର୍ବତୀ ସାହିରେ ଆସି ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଦେଶୀ ମହୁଲି ମଦ ପ୍ଲାଷ୍ଟିକ୍ ଡ୍ରମ୍ରେ ଥିବା ଦେଖିଥିଲେ। ମଦକୁ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିବାରୁ ତାଙ୍କ ପରିବାର ଲୋକେ ଆକ୍ରମଣ କରିଥିଲେ। ଅପରପକ୍ଷରେ ସୁନୀତାଙ୍କ ଆଉ ଜଣେ ପୁଅଙ୍କ କହିବା କଥା, ସାହିରେ ତାଙ୍କ ପରିବାର ସମେତ ଆହୁରି ୮ରୁ ୧୦ ପରିବାର ଚୋରା ମଦ କାରବାର କରନ୍ତି। ମାତ୍ର ଅବକାରୀ ବିଭାଗ କର୍ମଚାରୀ ସବୁବେଳେ ଜାଣିଶୁଣି କେବଳ ତାଙ୍କ ଉପରେ ଚଢ଼ଉ କରୁଛନ୍ତି। ଯାହାକୁ କେନ୍ଦ୍ର କରି ଆଜି ଉତ୍ତେଜନା ସୃଷ୍ଟି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/bharatpur.jpg)