ଦାଦାବଟି ନ ଦେବାରୁ ଫ୍ୟାକ୍ଚ୍ରି ମାଲିକଙ୍କୁ ଆକ୍ରମଣ; ୨ ଗିରଫ

ଭୁବନେଶ୍ବର : ପାର୍ବଣ ଋତୁ ସରିସରି ଆସିବା ବେଳକୁ ରାଜଧାନୀରେ ଦାଦାମାନଙ୍କ ଉତ୍ପାତ ବଢ଼ିବଢ଼ି ଯାଉଛି। ବଟି ପାଇଁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଉଠା ଦୋକାନୀ, ଫ୍ୟାକ୍ଟ୍ରି ମାଲିକ ଏବଂ ବିଭିନ୍ନ ହୋଟେଲ୍ ମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହାନ୍ତି। ଗତକାଲି ମଞ୍ଚେଶ୍ବର ଥାନା ଅଧୀନରେ ଜଣେ ଫ୍ୟାକ୍ଟ୍ରି ମାଲିକ ଦାଦାବଟି ନ ଦେବାରୁ ସ୍ଥାନୀୟ କିଛି ଯୁବକ ଲୁହା ରଡ୍ ଓ ବହ୍ଲାରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ମଞ୍ଚେଶ୍ବର ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ମଞ୍ଚେଶ୍ବର ଭୋଟପଡ଼ାର ଅଭିରାଜ ଶ୍ରୀଚନ୍ଦନ ଓରଫ ମିଲୁ(୨୯) ଓ ଚକେଇସିହାଣିର ରଜତ କୁମାର ଦାସ ଓରଫ ରିକି(୨୩)।

ଅଭିଯୋଗକାରୀ ବାବୁରାମ ସ୍ବାଇଁଙ୍କ ଏତଲା ମୁତାବକ, ଗତକାଲି ରାତି ୭ଟାରେ ସେ ତାଙ୍କ ଫ୍ୟାକ୍ଟ୍ରିରେ ବସିଥିବା ବେଳେ ମିଲୁ ତାଙ୍କ ପାଖକୁ ଆସିଥିଲା ଏବଂ ୫ଶହ ଟଙ୍କା ମାଗିଥିଲା। ବାବୁରାମ କାହିଁକି ଟଙ୍କା ଦେବେ ବୋଲି ପଚାରିବାରୁ ମିଲୁ ତାଙ୍କୁ ଧମକ ଦେଇଥିଲେ। ଫଳରେ ବାବୁରାମ ଭୟରେ ତାଙ୍କୁ ଦାବି ମୁତାବକ ୫ଶହ ଟଙ୍କା ଦେଇଥିଲେ। ଏହା ପରେ ପୁଣି କିଛି ସମୟରେ ମିଲୁ ତାଙ୍କର ଆଉ ଜଣେ ସହଯୋଗୀ ରିକିକୁ ସାଙ୍ଗରେ ଆଣି ୫ହଜାର ଟଙ୍କା ଦେବାକୁ କହିଥିଲା। ବାବୁରାମ ଏତେ ଗୁଡ଼ାଏ ଟଙ୍କା ଦେଇପାରିବେନି ବୋଲି ସିଧାସଳଖ ମନା କରିବାରୁ ୨ ଅଭିଯୁକ୍ତ ତାଙ୍କୁ ମୁହଁ ଓ ମୁଣ୍ଡକୁ ବଲ୍ଲା ଓ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ବାବୁରାମଙ୍କ ଭାଇ ଗଜେନ୍ଦ୍ର ସେତିକିବେଳେ ପହଞ୍ଚିଥିଲେ ଏବଂ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଅଭିଯୋଗ ପରେ ପୁଲିସ ୨ ଆକ୍ରମଣକାରୀଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର