ରାଜଧାନୀର ଶିରିପୁରରେ ଦିନ ଦି’ପହରେ ଆତଙ୍କରାଜ : ଦାଦାବଟି ପାଇଁ ଗୋଡ଼ାଇ ହାଣିଲେ

ଭୁବନେଶ୍ବର : ଦାଦାବଟି ନ ଦେବାରୁ ଦୋକାନୀଙ୍କୁ ହାଣିଲେ। ରାତି ଅଧ କିମ୍ବା କେଉଁ ଗଳି ଭିତରେ ନୁହେଁ, ବରଂ ରାଜଧାନୀର ଶିରିପୁର ଓୟୁଏଟି ଫାର୍ମଗେଟ ଜନଗହଳିପୂର୍ଣ୍ଣ ଲକ୍ଷ୍ମୀବଜାର ନିକଟରେ ଦୁର୍ବୃତ୍ତ ଜଣେ ଦୋକାନୀଙ୍କୁ ହାଣି ପକାଇଛନ୍ତି। ଆକ୍ରମଣରେ ଆହତ ହୋଇଥିବା ଜଳଖିଆ ଦୋକାନୀ ହେଉଛନ୍ତି ନିରଞ୍ଜନ ସାହୁ। ତାଙ୍କ ପିଠି ଓ ମୁଣ୍ଡରେ ଭୁଜାଲି ଚୋଟ ବସିଛି। ୫ଜଣ ଅଭିଯୁକ୍ତ ସମ୍ପୃକ୍ତ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଆଜି ଅପରାହ୍ନ ୩ଟାରେ ଶହ ଶହ ଲୋକଙ୍କ ସାମ୍ନାରେ ଏହି ଅଭାବନୀୟ କାଣ୍ଡ ଘଟିଛି। ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ଫେରାର ହୋଇଯିବାକୁ ସକ୍ଷମ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ନିକଟ ଅତୀତରେ ଜଣେ ପରିବା ବ୍ୟବସାୟୀ ଘରକୁ ଫେରିବା ବେଳେ ଦୁଇଜଣ ତାଙ୍କୁ ମାଡ଼ି ବସି ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଠାରୁ ଗାଡ଼ି ସହ ଟଙ୍କା ଲୁଟି ପଳାଇଥିଲେ। ତେବେ ଘଟଣାର ୮ ଦିନ ପରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଆଜିର ଘଟଣା ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି। ଏତଲା ଦିଆଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ସମଗ୍ର ଶିରିପୁର ଅଞ୍ଚଳରେ ତନାଘନା କରୁଛି। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଧରିପାରି ନାହିଁ।

ନିରଞ୍ଜନଙ୍କର ଶିରିପୁର ଛକରେ ଜଳଖିଆ ଦୋକାନ ରହିଛି। ଅପରାହ୍ନ ୩ଟା ବେଳେ ୫ ଜଣ ଯୁବକ ତିନୋଟି ବାଇକ୍‌ରେ ଆସି ନିରଞ୍ଜନଙ୍କ ପୁଅ କାହ୍ନାଙ୍କୁ ବଟି ମାଗିଥିଲେ। ହେଲେ କାହ୍ନା ନ ଦେବାରୁ ତାଙ୍କୁ ମାଡ଼ ମାରିଥିଲେ। ଏଣୁ କାହ୍ନା ଥାନାରେ ଏତଲା ଦେବାପାଇଁ ଯାଇଥିଲେ। କିଛି ସମୟ ପରେ ଯୁବକମାନେ ପୁଣି ଥରେ ମାରଣାସ୍ତ୍ର ଧରି ଆସି ଦୋକାନରେ ପହଞ୍ଚିଥିଲେ। ସେତେବେଳେ ନିରଞ୍ଜନ ଦୋକାନରେ ଥିଲେ। ଟଙ୍କା ନ ଦେଇ କାହିଁକି ଥାନାକୁ ଗଲୁ ବୋଲି କହି ୫ ଜଣ ଯାକ ଅତର୍କିତ ଆକ୍ରମଣ କରିଥିଲେ। ସେ ଚିତ୍କାର କରି ଦଉଡ଼ୁଥିବା ବେଳେ ସେମାନେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ନିରଞ୍ଜନ ରାସ୍ତାରେ ପଡ଼ିଯିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କ ମୁଣ୍ଡ, ହାତ ଓ ପିଠି‌ରେ ୧୫ଟି ଜାଗାରେ ଷ୍ଟିଚ୍‌ ହୋଇଥିଲା। ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରେ ସଂଗ୍ରାମ, ପ୍ରତାପ ଓ ମୁନା ରହିଥିବା ନିରଞ୍ଜନ କହିଛନ୍ତି। ସେମାନେ ନିୟମିତ ଏଭଳି କାଣ୍ଡ ଘଟାନ୍ତି ବୋଲି ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର