ଏମିତି ସୁରକ୍ଷିତ ଆମ ରାଜଧାନୀ : ଛାତ୍ରୀଙ୍କୁ ତଳେ ପକାଇ ପିଟିଲେ

ଯୁବକଙ୍କ ନିର୍ଘାତ ମାଡ଼ରେ ସମ୍ପର୍କୀୟ ଗୁରୁତର
ମାସେ ହେଲା କମେଣ୍ଟ ମାରୁଥିଲେ
ଥାନାରେ ମାମଲା, ବୁଲେଟ୍ ଜବତ, ଅଭିଯୁକ୍ତ ଫେରାର

ଭୁବନେଶ୍ବର : ସାଧାରଣ ଲୋକଙ୍କ ପାଇଁ ରାଜଧାନୀ କେତେ ସୁରକ୍ଷିତ? ତାକୁ ନେଇ ଉଠିଛି ପ୍ରଶ୍ନ। ଗର୍ଭବତୀ ମହିଳା, ବୃଦ୍ଧା, ଯୁବକ, ଛାତ୍ରୀ, ବରିଷ୍ଠ ନାଗରିକ ଏବେ ଲୁଟେରାଙ୍କ ଟାର୍ଗେଟରେ। କେଉଁଠି ବନ୍ଧୁକ ମୁନରେ ତ ଆଉ କେଉଁଠି ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ୍‌ପାଟ୍‌ ଚଳାଇଛନ୍ତି ଅପରାଧୀ। ଏକାଧିକ ଲୁଟ୍, ଚୋରି ଘଟଣାରେ ଅପରାଧୀ ଧରା ପଡ଼ି ନଥିବା ବେଳେ ଅସାମାଜିକଙ୍କ କାର୍ଯ୍ୟକଳାପ ଅତିଷ୍ଠ କଲାଣି। କେଉଁଠି ହଣାକଟା ତ ଆଉ କେଉଁଠି ଆକ୍ରମଣ ରାଜଧାନୀ ଭୁବନେଶ୍ବରକୁ ଅସୁରକ୍ଷିତ କରି ଦେଲାଣି। ରସୁଲଗଡ଼ ଭୋଇସାହି ମଙ୍ଗଳା ମନ୍ଦିର ନିକଟରେ ଜଣେ ଛାତ୍ରୀ ଓ ତାଙ୍କର ସମ୍ପର୍କୀୟ ଭାଇଙ୍କୁ ଆକ୍ରମଣ ଘଟଣା ଏହାର ଏକ ଜ୍ବଳନ୍ତ ଉଦାହରଣ।

ଜଣେ ଛାତ୍ରୀଙ୍କୁ ରାସ୍ତାରେ ଗଡ଼ାଇତଡ଼ାଇ ଆକ୍ରମଣ କରିବା ସହ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ତାଙ୍କ ପୋଷାକ ଚିରି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବୁଲେଟ୍ ଜବତ କରିଛି।

ଅଭିଯୋଗରୁ ଜଣାପଡ଼ିଛି, ଛାତ୍ରୀଜଣଙ୍କ ଭୋଇ ସାହି ମଙ୍ଗଳା ମନ୍ଦିର ନିକଟରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହି ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଛନ୍ତି। ଗତ ମାସେ ହେଲା ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ଛାତ୍ରୀଙ୍କୁ କମେଣ୍ଟ ମାରି ଆସୁଥିଲେ। ଗତକାଲି କଲେଜ କାମରେ ଛାତ୍ରୀଜଣଙ୍କ ତାଙ୍କର ସମ୍ପର୍କୀୟ ଭାଇ ସୁଧାଂଶୁ ଶେଖର ଖୁଣ୍ଟିଆଙ୍କ ସହ ଯାଇଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଛାତ୍ରୀ ଘରକୁ ଫେରିଥିଲେ। ସେଠାରେ ଛିଡ଼ା ହୋଇଥିବା ଦୁଇ ଯୁବକ ଛାତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ କରିଥିଲେ। ସୁଧାଂଶୁ ଏହାର ପ୍ରତିବାଦ କରିବାରୁ ସେମାନଙ୍କ ଭିତରେ ବଚସା ଓ ଠେଲାପେଲା ହୋଇଥିଲା। ଏହା ପରେ ଦୁଇ ଯୁବକ ସୁଧାଂଶୁଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲେ। ଛାତ୍ରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଛାତ୍ରୀଙ୍କୁ ରାସ୍ତାରେ ପକାଇ ଆକ୍ରମଣ କରିଥିଲେ। ଏପରିକି ତାଙ୍କ ପୋଷାକ ଚିରି ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଗଣ୍ଡଗୋଳ ହେଉଥିବା ଦେଖିବା ପରେ ଛାତ୍ରୀଙ୍କ ଘର ମାଲିକ ସୁରେଶ ରାଉତରାୟ ଏହାର ପ୍ରତିବାଦ କରିଥିଲେ। ସେ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରିଥିଲେ। ଏହାପରେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏ ନେଇ ସୁରେଶ ଗତକାଲି ରାତିରେ କମିସନରେଟ ପୁଲିସକୁ ମେଲ୍ ମାଧ୍ୟମରେ ଓ ଆଜି ମଞ୍ଚେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଛି। ସେଠାରୁ ଅଭିଯୁକ୍ତଙ୍କ ବୁଲେଟ୍‌ (ଓଡି୦୨ଏଏକ୍ସ-୧୫୪୪) ଜବତ କରିଛି। ମାତ୍ର ଅଭିଯୁକ୍ତଙ୍କ ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର