ଭୁବନେଶ୍ୱର : ଆଜି ଭୋର୍ ସମୟରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ପୁଣି ଲୁଟେରାମାନଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ବାଇକ୍ରେ ଥିବା ଦୁଇ ଲୁଟେରା ଜଣେ ସରକାରୀ ଅଧିକାରୀଙ୍କୁ ଖଣ୍ଡାରେ ହାଣି ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଛନ୍ତି। ଲୁଟ୍ର ଶିକାର ଅଧିକାରୀ ହେଲେ ଶୈଳଶ୍ରୀ ବିହାର ଜିଏ ୨୪୯ ନୀଳାଦ୍ରି ଏନ୍କ୍ଲେଭ୍ରେ ରହୁଥିବା ସେଣ୍ଟ୍ରାଲ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟରର ବରିଷ୍ଠ ପରିଚାଳକ ସତ୍ୟନାରାୟଣ ମିଶ୍ର। ଲୁଟ୍ବେଳେ ଶ୍ରୀ ମିଶ୍ର ସାହସର ସହ ଦୁର୍ବୃତ୍ତମାନଙ୍କ ସହ ଲଢ଼ି କ୍ଷତବିକ୍ଷତ ଅବସ୍ଥାରେ ଖଣ୍ଡା ଛଡ଼ାଇ ରଖିବାରେ ସକ୍ଷମ ହୋଇଥିଲେ ହେଁ ଦୁର୍ବୃତ୍ତଦ୍ବୟ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଛନ୍ତି। ପୁଲିସ ଖଣ୍ଡାକୁ ଜବତ କରିବା ସହ ସ୍ଥାନୀୟ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଛାନ୍ଭିନ୍ କରିଥିଲେ ହେଁ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ।
ସୂଚନାନୁସାରେ ଶ୍ରୀ ମିଶ୍ର ଆଜି ଭୋର୍ ସମୟରେ ନିଜ ଘର ପାଖରୁ ଫୁଲ ତୋଳି ଘରକୁ ଫେରୁଥିଲେ। ସେ ତାଙ୍କ ଘର ସମ୍ମୁଖରେ ପହଞ୍ଚିଥିବାବେଳେ ହଠାତ୍ ଦୁଇ ଜଣ ଯୁବକ ବାଇକ୍ରେ ଆସି ସେଠାରେ ବ୍ରେକ୍ ମାରିଥିଲେ। ଶ୍ରୀ ମିଶ୍ର କିଛି ବୁଝିବା ପୂର୍ବରୁ ପଛରେ ବସିଥିବା ଦୁର୍ବୃତ୍ତ ଓହ୍ଲାଇପଡ଼ି ଖଣ୍ଡାରେ ତାଙ୍କୁ ଚୋଟ ମାରିଥିଲା। ପ୍ରଥମ ଚୋଟ ତାଙ୍କ କାନ୍ଧରେ ବାଜିବା ପରେ ସେ ବୁଲି ପଡ଼ିଥିଲେ ଓ ଦୁର୍ବୃତ୍ତ ଆଉ ଗୋଟେ ଚୋଟ ପକାଇବାକୁ ବସିଥିବାବେଳେ ସେ ଖଣ୍ଡାକୁ ଧରି ପକାଇଥିଲେ। ଫଳରେ ତାଙ୍କ ହାତ କଟି ଯାଇଥିଲା। ତଥାପି ସେ ଖଣ୍ଡାକୁ ଛାଡ଼ିନଥିଲେ। ତେଣୁ ଦୁଇ ଜଣଙ୍କ ମଧ୍ୟରେ ଗଡ଼ାପଡ଼ା ଚାଲିଥିଲା। ଶ୍ରୀ ମିଶ୍ର ଦୁର୍ବୃତ୍ତ ସହ ମୁକାବିଲା କରିବା ସହ ବଡ଼ ପାଟିରେ ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ। ସେତିକିବେଳେ ଅନ୍ୟ ଲୁଟେରା ବାଇକ୍ରୁ ଓହ୍ଲାଇ ତାଙ୍କ ବେକରୁ ସୁନାଚେନ୍ଟି ଛିଡ଼ାଇ ନେଇଥିଲା। ସେ ବାଇକ୍ ଷ୍ଟାର୍ଟ କରିବା ମାତ୍ରେ ଶ୍ରୀ ମିଶ୍ରଙ୍କ ସହ ଲଢ଼ୁଥିବା ଦୁର୍ବୃତ୍ତ ଖଣ୍ଡା ଛାଡ଼ି ଦୌଡ଼ି ବାଇକ୍ ପଛରେ ବସି ପଡ଼ିଥିଲା। ଶ୍ରୀ ମିଶ୍ର ତଳୁ ଉଠି ତାକୁ ଧରିବା ପାଇଁ ଉଦ୍ୟମ କଲାବେଳକୁ ଦୁର୍ବୃତ୍ତଦ୍ବୟ ଦ୍ରୁତବେଗରେ ବାଇକ୍ ନେଇ ଚମ୍ପଟ ମାରିଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବାବେଳକୁ ଦୁର୍ବୃତ୍ତଦ୍ବୟ ପାର୍ ହୋଇ ସାରିଥିଲେ। ପରେ ସେମାନେ ଆହତ ଶ୍ରୀ ମିଶ୍ରଙ୍କୁ ମେଡିକାଲ ନେଇଥିଲେ। ତାଙ୍କ କାନ୍ଧ ଓ ହାତ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହୋଇଛି।
ପ୍ରାତଃଭ୍ରମଣ ଓ ଅନ୍ୟାନ୍ୟ କାମରେ ସେହି ରାସ୍ତା ଦେଇ ଅନେକ ଲୋକ ଯାଉଥିଲେ। ସେମାନଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ୍ ଧରି ଧସ୍ତାଧସ୍ତି ଚାଲିଥିଲା। ତେବେ ଠିକ୍ ସେହି ସମୟରେ କେହି ସେଠାରେ ପହଞ୍ଚି ପାରିନଥିଲେ। ତେଣୁ ଦୁର୍ବୃତ୍ତଦ୍ବୟ ସହଜରେ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲେ। ପ୍ରାତଃଭ୍ରମଣ ସମୟରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏଭଳି ଲୁଟ୍ପାଟ୍ ହେଉଥିଲେ ହେଁ ପୁଲିସର ପାଟ୍ରୋଲିଂ ନଥିବାରୁ ଦୁର୍ବୃତ୍ତମାନେ ପୁଣି ଏଭଳି କାଣ୍ଡ କରିପାରିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଶ୍ରୀ ମିଶ୍ରଙ୍କ ବୟାନ ରେକର୍ଡ କରିଛି ଓ ଦୁର୍ବୃତ୍ତଦ୍ବୟଙ୍କ ଚେହେରା ବାବଦରେ ପଚରାଉଚରା କରିଛି। ସୂଚନାଯୋଗ୍ୟ, ଗତ ୨୦ ତାରିଖ ଦିନ ଏହି ଅଞ୍ଚଳରେ ଶାନ୍ତିଲତା ବେହେରା ନାମକ ଜଣେ ବୃଦ୍ଧା ଫୁଲ ତୋଳୁଥିବା ବେଳେ ଲୁଟ୍ର ଶିକାର ହୋଇଥିଲେ। ବାଇକ୍ରେ ଦୁଇ ଲୁଟେରା ଆସି ତାଙ୍କ କାନ ଫୁଲ ଝାମ୍ପି ନେଇଥିଲେ। ସେହିଭଳି ୨୩ ତାରିଖରେ ଡମଣା ହାଟ ନିକଟରୁ ଜଣେ ମହିଳାଙ୍କ ବେକରୁ ଲୁଟେରା ଚେନ୍ ଛଡାଇ ନେଇଥିଲେ। ଏହି ଦିନ ହିଁ ପଟିଆ ଅଞ୍ଚଳରେ ଜଣେ ବ୍ୟକ୍ତି ମଧ୍ୟ ଚେନ୍ ଛିନ୍ତାଇର ଶିକାର ନେଇଥିଲେ। ଗତ ଜୁଲାଇ ମାସରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହାଣି ଲୁଟେରାମାନେ ଚେନ୍ ଓ ମୁଦି ନେଇ ଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ସେହି ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା। ଏ ସବୁ ଘଟଣାରେ ପୁଲିସକୁ ସଫଳତା ମିଳିନାହିଁ। ଦୁର୍ବୃତ୍ତମାନେ ଗୋଟିକ ପରେ ଗୋଟିଏ ଭୟଙ୍କର କାଣ୍ଡ ଘଟାଇ ଫେରାର୍ ହୋଇପାରୁଥିବାରୁ କମିସନରେଟ୍ ପୁଲିସ ଉପରୁ ଲୋକଙ୍କ ଆସ୍ଥା ତୁଟି ଯାଉଥିବା ଚର୍ଚ୍ଚା ହେଉଛି।