ହସ୍ପିଟାଲ‌‌ରେ ନବବଧୂଙ୍କ ମୃତ୍ୟୁ; ଚିକିତ୍ସା ଅବହେଳା ଅଭିଯୋଗରେ ହଙ୍ଗାମା

ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଡାକ୍ତର, ସୁରକ୍ଷା କର୍ମୀ ଲହୁଲୁହାଣ

ଭୁବନେଶ୍ବର : ବରମୁଣ୍ଡା ଗାଁର ଅଜିତ ରଣସିଂହଙ୍କ ସ୍ତ୍ରୀ ପ୍ରିୟଙ୍କା। ହାତରୁ ମେହେନ୍ଦି ଛାଡ଼ି ନଥିଲା କି ଗୋଡ଼ରୁ ଅଳତା ଲିଭି ନଥିଲା। ବାହା ହୋଇ ଶାଶୂଘରକୁ ଆସିବାର ମାତ୍ର ୧୦ ଦିନ ପୂରିଥିଲା। ମାତ୍ର ବେକ ଓ କାନ୍ଧରେ ସାମାନ୍ୟ ଯନ୍ତ୍ରଣା ପାଇଁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା। ଏକ ସାମାନ୍ୟ ରୋଗର ଚିକିତ୍ସା କରୁକରୁ ପ୍ରିୟଙ୍କାଙ୍କ ମୃତ୍ୟୁ ଘଟିବା ଘଟଣାକୁ ସହଜରେ ଗ୍ରହଣ କରି ପାରିନଥିଲେ ସମ୍ପର୍କୀୟମାନେ। ଚିକିତ୍ସା ଅବହେଳା ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ପରିବାରଲୋକ ଓ ସମ୍ପର୍କୀୟମାନେ ଦୁଇଦୁଇଟି ହସ୍ପିଟାଲ୍ ଭଙ୍ଗାରୁଜା କରିବା ସହ ଡାକ୍ତର, ହସ୍ପିଟାଲ୍ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ମାଡ଼ ମାରି ଲହୁଲୁହାଣ କରି ପକାଇଲେ। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଗଣ୍ଡଗୋଳ ଥମିଥିଲା। ମୃତା ପ୍ରିୟଙ୍କା ପରିବାର ଓ ହସ୍ପିଟାଲ ପକ୍ଷରୁ ହୋଇଥିବା ଦୁଇଟି ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି। ପୁଲିସ ଶବ ବ୍ୟବଚ୍ଛେଦ ରି‌ପୋର୍ଟକୁ ଅପେକ୍ଷା କରିଥିବା ସୂଚନା ଦେଇଛି।

ସୂଚନାନୁସାରେ, ଗତ ଜୁନ୍ ୨୩ରେ ମେଣ୍ଢାଶାଳ ଗ୍ରାମର ସନାତନ ପଟ୍ଟନାୟକଙ୍କ ଝିଅ ପ୍ରିୟଙ୍କା ଅଜିତ୍‌ଙ୍କୁ ବିବାହ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ହଠାତ୍ ପ୍ରିୟଙ୍କା ଅସୁସ୍ଥ ହୋଇପଡ଼ିଥିଲେ। ବାମ ପାଖ କାନ୍ଧ ଓ ବେକରେ ଯନ୍ତ୍ରଣା ହେବାରୁ ପରିବାରଲୋକେ ତାଙ୍କୁ ରାତି ପ୍ରାୟ ସାଢ଼େ ୪ଟାରେ ସ୍ଥାନୀୟ ବିବେକାନନ୍ଦ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ପ୍ରାଥମିକ ପରୀକ୍ଷା କରିବା ପରେ ତାଙ୍କୁ ୩ଟି ଇଞ୍ଜେକ୍ସନ୍ ଦେଇଥିଲେ। ହେଲେ ଯନ୍ତ୍ରଣା କମିବା ପରିବର୍ତ୍ତେ କିଛି ସମୟ ପରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଏକ ଅପ୍ରତ୍ୟା‌ଶିତ ମୃତ୍ୟୁକୁ ପରିବାରଲୋକେ ଗ୍ରହଣ କରି ପାରିନଥିଲେ। ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ପ୍ରିୟଙ୍କାଙ୍କ ମୃତ୍ୟୁ ଘଟିଲା ବୋଲି ପରିବାରଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ହସ୍ପିଟାଲ୍‌ ଭିତରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା।

ହସ୍ପିଟାଲ୍‌ର କିଛି କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡମାନେ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କୁ ଖରାପ ବ୍ୟବହାର କରିଥିଲେ। ଖବର ପାଇ ବରମୁଣ୍ଡା ଗାଁ’ର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚିବା ପରେ ଗଣ୍ଡଗୋଳ ବଢ଼ି ଯାଇଥିଲା। ଉତ୍ତ୍ୟକ୍ତ ଲୋ‌କେ ଡାକ୍ତର ଓ କର୍ମଚାରୀଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ସେମାନଙ୍କ ଆକ୍ରମଣରେ ଡା. ସଂଜୟ କୁମାର ପଣ୍ଡା, ମୁଖ୍ୟ ଫାର୍ମାସିଷ୍ଟ ରଘୁନାଥ ସାହୁ ଓ ହସ୍ପିଟାଲ୍‌ର ସୁରକ୍ଷାକର୍ମୀମାନେ ଲହୁଲୁହାଣ ହୋଇଥିଲେ। ଦୁଇ ସୁରକ୍ଷାକର୍ମୀଙ୍କୁ ଆଣ୍ଠେଇ ଠେଙ୍ଗା, ରଡ୍‌ରେ ପିଟି ପକାଇଥିଲେ। ଖବର ପାଇ ନୂଆପଲ୍ଲୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲା ଓ ପ୍ରିୟଙ୍କାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ ପଠାଇଥିଲା। ମୃତଦେହ ବ୍ୟବଚ୍ଛେଦ ସମୟରେ ପରିବାର ଲୋକେ ବ୍ୟବଚ୍ଛେଦ ଗୃହରେ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ଅଟକାଇବାରୁ ସେଠାରେ ମଧ୍ୟ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ବଡ଼ କଷ୍ଟରେ ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲା ଓ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏକ ଶୋକାକୁଳ ପରିବେଶରେ ବରମୁଣ୍ଡା ଗାଁ ଶ୍ମଶାନରେ ପ୍ରିୟଙ୍କାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ପ୍ରିୟଙ୍କାଙ୍କ ଶ୍ବଶୁର ଭଗବାନ ରଣସିଂହ ବିବେକାନନ୍ଦ ହସ୍ପିଟାଲ୍‌ର ଦାୟିତ୍ବହୀନତା ଓ ଚିକିତ୍ସା ଅବହେଳା ପାଇଁ ତାଙ୍କ ବୋହୂର ମୃତ୍ୟୁ ଘଟିଛି ବୋଲି ନୂଆପଲ୍ଲୀ ଥାନାରେ ଏତଲା ଦେଇଛନ୍ତି। ପୂର୍ବରୁ କିଛି ରୋଗ ନଥିବା ବେଳେ ପ୍ରିୟଙ୍କା ନିଜେ ହସ୍ପିଟାଲ୍ ଭିତରକୁ ଚାଲି ଚାଲି ଯାଇଥିଲେ। କିନ୍ତୁ ଡାକ୍ତର ଚିକିତ୍ସା କରିବା ପରିବର୍ତ୍ତେ ଫାର୍ମାସିଷ୍ଟ ଇଂଜେକ୍ସନ ଦେଲେ। ଏହା ପରେ ପ୍ରିୟଙ୍କା ଯନ୍ତ୍ରଣାର ଛଟପଟ ହେଉଥିଲେ ବି ତାଙ୍କୁ ଅଧିକ ଚିକିତ୍ସା କରାଗଲା ନାହିଁ ବୋଲି ଏତଲାରେ ଦର୍ଶାଯାଇଛି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ପ୍ରିୟଙ୍କାଙ୍କୁ ଜରୁରୀକାଳୀନ ଚିକିତ୍ସା କରାଯାଇଥିଲା। ମାତ୍ର ହଠାତ୍ ତାଙ୍କ ଶରୀରରୁ ଅମ୍ଳଜାନସ୍ତର ହ୍ରାସ ପାଇବା ସହ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ଘଟିଥିଲା। ବୋଧ ହୁଏ ପୂର୍ବରୁ ତାଙ୍କର ହୃଦ୍‌ଘାତଜନିତ ସମସ୍ୟା ଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର