ଭୁବନେଶ୍ବର : ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା। ହାତରେ ବାଡ଼ି ଓ ଶାବଳ ଧରି ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସଂଘବଦ୍ଧ ଭାବେ ମାଡ଼ି ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ବଳପୂର୍ବକ ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ୍‌ରେ ଥିବା ଶାରଳା ମେଡିସିନ୍‌ ଷ୍ଟୋର, ପଣ୍ଡା ଡ୍ରଗ୍‌ ହାଉସ୍‌ ଓ ତାରିଣୀ ମେଡିସିନ୍‌ ଷ୍ଟୋର ଭଳି ୩ଟି ‌ଔଷଧ ‌ଦୋକାନ ଭିତରକୁ ପଶି ଯାଇଥିଲେ। ଦୋକାନ ଭିତରେ ଥିବା ଔଷଧକୁ ଫୋପାଡ଼ି ଦେବା ସହ ଫ୍ରିଜ୍‌ ଓ ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ନିମିଷକ ମଧ୍ୟରେ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ କରି ଦେଇଥିଲେ। ଏତିକିରେ ଶାନ୍ତ ପଡ଼ି ନଥିଲେ, ଆକ୍ରମଣ କରି ଔଷଧ ଦୋକାନର ୫ କର୍ମଚାରୀଙ୍କୁ ଆହତ କରିଥିଲେ। ପାଖରେ ବହୁ ଲୋକ ଏହା ଦେଖୁଥିଲେ ହେଁ ସେମାନଙ୍କୁ ଅଟକାଇବା ପାଇଁ ସାହସ ଜୁଟାଇ ପାରି ନଥିଲେ। ସବୁଠାରୁ ବଡ଼ କଥା ହେଲା, ଦିନ ଦ୍ବିପହରେ ପୁଲିସର ଉପସ୍ଥିତିରେ ଏଭଳି କାଣ୍ଡ ଘଟିଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଥିଲା।

Advertisment

ତେବେ ପରେ ଏନେଇ ଔଷଧ ଦୋକାନ ମାଲିକ ରାମଚନ୍ଦ୍ର ବେହୁରା, ପ୍ରଶାନ୍ତ ପଣ୍ଡା, ଅଶୋକ ପଟ୍ଟନାୟକ, ପ୍ରଶାନ୍ତ ପରିଡ଼ା ଓ ପ୍ରଭାତ ବେବର୍ତ୍ତା ଥାନାରେ ଅଭିଯୋଗ ପରେ ନୂଆପଲ୍ଲୀ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦ ବର୍ଷରୁ ଊର୍ଧ୍ବ ହେବ, ଘର ମାଲିକ ଭବାନୀ ଶଙ୍କର ତ୍ରିପାଠୀ ଓ ଗିରିଜା ଶଙ୍କର ତ୍ରିପାଠୀଙ୍କ ସହ ବୁଝାମଣା ପରେ ସେମାନେ ଦୋକାନ ଆରମ୍ଭ କରିଥିଲେ। ହେଲେ କିଛି ଦିନ ହେବ ଜାଗାବାଡ଼ିକୁ ନେଇ ଘର ମାଲିକ ଓ ତାଙ୍କ ମାମୁଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ୮ ଦିନ ତଳେ ଏନେଇ ବିଷ୍ଣୁ ମିଶ୍ର ଓ ଅଭୟ ମିଶ୍ର ନାମରେ ଦୁଇ ବ୍ୟକ୍ତିଙ୍କ ପ୍ରତିନିଧି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଯେ ରାମଚନ୍ଦ୍ର ବେହୁରା ଓ ଅନ୍ୟମାନେ ଜୋରଜବରଦସ୍ତ ଉକ୍ତ ସ୍ଥାନରେ ଭଡ଼ା ନ ଦେଇ ଦୋକାନ କରିଛନ୍ତି। ଅଭିଯୋଗ ପରେ ପୁଲିସ ଶ୍ରୀ ବେହୁରା ଓ ଅନ୍ୟମାନଙ୍କୁ ଡାକି ତାଗିଦ୍‌ କରିଥିଲା। ହେଲେ ହଠାତ୍‌ ଆଜି ଏଭଳି ପରିସ୍ଥିତି ଉପୁଜିବା ପରେ ଏହା ପଛରେ ବିଷ୍ଣୁଙ୍କ ହାତ ଥିବା ଶ୍ରୀ ବେ‌ହୁରା ଅଭିଯୋଗ କରିଛନ୍ତି। ସେ ତାଙ୍କର ପ୍ରତିନିଧିଙ୍କୁ ପଠାଇ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଉକ୍ତ ସ୍ଥାନର ମାଲିକାନା ସ୍ବତ୍ବ ପାଇଁ ଗିରିଜା ଓ ଭବାନୀ କୋର୍ଟର ଆଶ୍ରୟ ଦେଇଛନ୍ତି।