ନାବାଳକକୁ ଲଣ୍ଡା କରିବା ଘଟଣା : ଘଟଣାସ୍ଥଳରେ ମାନବାଧିକାରକର୍ମୀ

ଭୁବନେଶ୍ୱର : ମୋବାଇଲ ଚୋରି କଲା ବୋଲି ରାସ୍ତା ମଝିରେ ନାବାଳକକୁ ଲଣ୍ଡା କରିବା ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କମିସନରେଟ୍‌ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିବା ବେଳେ ଆଜି ମାନବାଧିକାର କର୍ମୀ ଅନୁପ ପରିଡ଼ାଙ୍କ ନେତୃତ୍ବରେ ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ରାଜଲକ୍ଷ୍ମୀ ମହାନ୍ତି, ତିଳୋତ୍ତମା ବାରିକ ଓ ସବିତା ଦାସଙ୍କ ସମେତ ଏକ ୭ ଜଣିଆ ଦଳ ଘଟଣାସ୍ଥଳରୁ ଭିଡିଓ କ୍ଲିପିଂ ଓ ଫଟୋ ସଂଗ୍ରହ କରିବା ସହ ମତାମତ ସଂଗ୍ରହ କରିଛନ୍ତି। ସମ୍ପୃକ୍ତ ନାବାଳକ ସ୍ଥାନୀୟ ଶବରପଲ୍ଲୀର ବୋଲି ଜଣାପଡ଼ିଛି। ଏଠାରେ ସେ ପରିବାର ସହ ଭଡ଼ାରେ ରହୁଥିବା ବେଳେ ପୂର୍ବରୁ କେତେକ ଛୋଟମୋଟ ଘଟଣାରେ ତା’ ବିରୋଧରେ ଅଭିଯୋଗ ରହିଥିବା ମଧ୍ୟ ଜଣାପଡ଼ିଛି। ଲଣ୍ଡା ହୋଇ ଅପମାନିତ ହୋଇଥିବାରୁ ତାକୁ ଠାବ କରାଯାଇ ପାରି ନାହିଁ। ଅନ୍ୟପଟେ ଖବର ପ୍ରକାଶ ପାଇବା ପରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ତେବେ ରାତି ସୁଦ୍ଧା ନାବାଳକକୁ ଠାବ କରଯାଇ ପାରି ନଥିଲା। ଅନ୍ୟପକ୍ଷରେ ତାକୁ ଲଣ୍ଡା କରିଥିବା ଅଭିଯୁକ୍ତଙ୍କ ପାଖରେ ମଧ୍ୟ ପୁଲିସ ପହଞ୍ଚି ପାରିନି। ମାନବାଧିକାର କର୍ମୀଙ୍କୁ ନେଇ ଗଠିତ ୭ ଜଣିଆ ଦଳ ଏ ନେଇ ଏସିପିଙ୍କୁ ଭେଟିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବଡ଼ଗଡ଼ ମାଛ ମାର୍କେଟ୍‌ରେ ଜଣେ ନାବାଳକ ଏକ ମୋବାଇଲ ଫୋନ୍‌ ଚୋରି କରିନେଇ ପଳାଉଥିବା ବେଳେ କିଛି ବ୍ୟବସାୟୀ ତାକୁ ଧରି ମାଡ଼ ମାରିବା ସହ ଲଣ୍ଡା କରିଥିଲେ। ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା‌ ପରେ ତନାଘନା ହୋଇଥିଲା।

ସମ୍ବନ୍ଧିତ ଖବର