ମୋବାଇଲ ଚୋରି ପାଇଁ ନାବାଳକକୁ ଦଣ୍ଡ : ନିର୍ଧୁମ ଛେଚିଲେ, ଲଣ୍ଡା କଲେ

ଭୁବନେଶ୍ୱର : ରାସ୍ତା ମଝିରେ ନାବାଳକକୁ ଧରି ନିର୍ଧୁମ ଛେଚିଲେ। ମାଡ଼ି ବସି ଲଣ୍ଡା କଲେ। ବିଧା, ଗୋଇଠା, ଚାପୁଡ଼ା ଯାହା ପାରିଲେ, ମାରିଲେ। ମୋବାଇଲ୍‌ ଚୋରେଇ ନେବା ବେଳେ ଧରାପଡ଼ିବାରୁ ଜଣେ ନାବଳକ ପ୍ରତି ଏପରି ନିଷ୍ଠୁର ଆଚରଣ ଦେଖାଇଛନ୍ତି କିଛି ଯୁବକ। ଆଇନକୁ ହାତକୁ ନେଇ ସ୍ପଷ୍ଟ ଦିବାଲୋକରେ ରାସ୍ତା ମଝିରେ ଜଣେ ନାବାଳକକୁ ଏଭଳି ପାଶବିକ ନିର୍ଯାତନା ଦେଇଛନ୍ତି। କୌଣସି ଉପାନ୍ତ କି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ, ବରଂ ଶିକ୍ଷିତ ନଗରୀ ଭୁବନେଶ୍ବରରେ ଘଟିଛି ଏହି ଅମାନବୀୟ କାଣ୍ଡ।

ଘଟଣାଟି ଘଟିଛି ବଡ଼ଗଡ଼ ଥାନା ଅଞ୍ଚଳ ମାଛ ମାର୍କେଟ୍‌ ନିକଟରେ। ମିଳିଥିବା ସୂଚନା ମୁତାବକ, ନାବାଳକଜଣକ ଜଣେ ଯୁବକଙ୍କ ମୋବାଇଲ୍‌ ଛଡ଼ାଇ ନେଇ ପଳାଉଥିଲେ। ଏହି ସମୟରେ ‌ବ୍ୟକ୍ତି ଜଣକ ଚିତ୍କାର କରିବାରୁ କିଛି ସ୍ଥାନୀୟ ଯୁବକଙ୍କ ସମେତ ବଜାରକୁ ମାଛ କିଣିବାକୁ ଆସିଥିବା ବ୍ୟକ୍ତିବିଶେଷ ରୁଣ୍ଡ ହୋଇଯାଇଥିଲେ। ତେବେ ୧୦ରୁ ଅଧିକ ଯୁବକ ଏତେ ରାଗି ଯାଇଥିଲେ ଯେ ଆଇନକୁ ହାତକୁ ନେବାକୁ ପଛାଇନଥିଲେ। ପ୍ରଥମେ ତାକୁ ମାଡ଼ ମାରିବା ପରେ ଜଣେ ବାରିକକୁ ଡାକି ତାକୁ ନଣ୍ଡା କରିଥିଲେ। ସେଠାରେ ଏ ଦୃଶ୍ୟକୁ କିଛି ଲୋକ ମୋବାଇଲ୍‌ରେ ସୁଟିଂ କରିବା ବେଳେ ଉତ୍ତ୍ୟକ୍ତ ଯୁବକମାନେ ତାଙ୍କ‌ ମୋବାଇଲ୍‌ ଟାଣି ଆଣି ଭଙ୍ଗାରୁଜା କରି ଦେଇଥିଲେ। ମାତ୍ର ଏ ଘଟଣାରେ ପୁଲିସକୁ ଖବର ଦିଆଗଲା ନାହିଁ କି ପୁଲିସ ମଧ୍ୟ ଖବର ପାଇ ଘଟଣାସ୍ଥଳକୁ ଆସିବା ଉଚିତ୍‌ ମନେକଲା ନାହିଁ। ଅନେକ ସମୟରେ ପୁଲିସ ହାତଗୁଞ୍ଜା ନେଇ ନିରବ ରହୁଥିବାରୁ ଲୋକେ ଏଭଳି ଆଇନକୁ ହାତକୁ ନେଉଥିବା ଜଣେ ଉତ୍ତ୍ୟକ୍ତ ଯୁବକ କହିଥିଲେ। କିଛି ସମୟ ପରେ ଅପମାନ ପାଇ ନାବାଳକ ଜଣକ ଫେରି ଯାଇଥିଲେ। ସମ୍ପୃକ୍ତ ଉତ୍ତ୍ୟକ୍ତ ଯୁବକମାନେ ମଧ୍ୟ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ପୁଲିସ ପାଖରେ ଏନେଇ ଅଭିଯୋଗ ହୋଇନାହିଁ। ମାତ୍ର ମାନବାଧିକାର କର୍ମୀ ଅନୁପ ପରିଡ଼ା ରାଜ୍ୟ ମାନବାଧିକାର କମିସନଙ୍କୁ ଏନେଇ ଅଭିଯୋଗ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ନାବାଳକ ମୋବାଇଲ୍‌ ଚୋରି କରିବା ଅଭିଯୋଗରେ ପୁଲିସ ଜିମା ଦିଆଯାଇ ପାରିଥାଆନ୍ତା। କିନ୍ତୁ ସମସ୍ତ ମାନବିକତାକୁ ଜଳାଞ୍ଜଳି ଦେଇ ଏଭଳି କାଣ୍ଡ ଭିଆଇବା ଆଦୌ ଗ୍ରହଣୀୟ ନୁହେଁ। ପୁଲିସ ଉପରୁ ଜନସାଧାରଣଙ୍କ ଭରସା ତୁଟି ଯାଉଥିବାରୁ ଏଭଳି ଘଟଣାର ପୁନରାବୃତ୍ତି ହେଉଛି। ତେବେ ଲୋକେ ଆଇନକୁ ହାତକୁ ନେବାର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର