ପୁଣି ନୂଆପଲ୍ଲୀ ଥାନା ପୁଲିସକୁ ଆକ୍ରମଣ

ଗାଡ଼ି ଯାଞ୍ଚ ବେଳେ ଅମାନିଆଙ୍କ ଉତ୍ପାତ, ୨ଅଟକ, ଗାଡ଼ି ଜବତ

ଭୁବନେଶ୍ବର : ୪ ଦିନ ପରେ ପୁଣି ଥରେ ନୂଆପଲ୍ଲୀ ଥାନା ପୁଲିସ ଆକ୍ରମଣର ଶିକାର ହୋଇଛି। ମଙ୍ଗଳବାର ଦିନ ହେଲମେଟ୍‌ ଯାଞ୍ଚ ବେଳେ କିଛି ଅମାନିଆ ପୁଲିସକୁ ମାଡ଼ ମାରିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି।

ଖବର ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ସିଆର୍‌ପି ଛକରେ ପୁଲିସ ଗାଡ଼ି ଯାଞ୍ଚ୍ କରୁଥିଲା। ଏକ ବାଇକ୍‌ରେ ୨ଜଣ ଯୁବକ ବିନା ହେଲମେଟ୍‌ରେ ନୂଆପଲ୍ଲୀ ଆଡ଼କୁ ଆସୁଥିଲେ। ସେମାନେ ପୁଲିସକୁ ଦେଖି ଗାଡ଼ି ବୁଲାଇ ରଙ୍ଗ୍‌ ରୁଟ୍‌ରେ ଖସିଯିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ଓ ଚାଲାଣ କାଟିବାକୁ କହିଥିଲା। ଉତ୍‌କ୍ଷିପ୍ତ ହୋଇ ୨ ଯୁବକ ପୁଲିସକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜଣେ ପୁଲିସ କର୍ମଚାରୀଙ୍କୁ ଧକ୍କା ମାରିଥିଲେ। ଏହି ମଉକାରେ ପୂର୍ବରୁ ଅଟକ ଥିବା ଅମାନିଆମାନେ ମିଳିତ ଭାବେ ପୁଲିସକୁ ଆକ୍ରମଣ କରିଥିଲେ। ତେବେ ଖବର ପାଇ ଥାନାରୁ ଅଧିକାରୀମାନେ ସଦଳବଳେ ସେଠାରେ ପହଞ୍ଚିଥିଲେ। ଗଣ୍ଡଗୋଳ ଆରମ୍ଭ କରିଥିବା ଉଭୟ ଯୁବକଙ୍କୁ ପୁଲିସ ଅଟକ ରଖିଛି।

ସୂଚନାଯୋଗ୍ୟ, ଗତ ୪ ଦିନ ପୂର୍ବେ ଏକ ଦୁଷ୍କର୍ମ ମାମଲା‌ରେ ଥାନା ନିକଟସ୍ଥ ଏକ ବସ୍ତିର ଲୋକମାନେ ଥାନାରେ ପଶି ଗଣ୍ଡଗୋଳ କରିଥିଲେ।

ସମ୍ବନ୍ଧିତ ଖବର