ନିସ୍‌ କଲେଜ ଛାତ୍ରଙ୍କୁ ଆକ୍ରମଣ ମାମଲା : ଆକ୍ରମଣକାରୀଙ୍କ ଟେର୍ ପାଉନି ପୁଲିସ

ଖଣ୍ଡଗିରି : ୨୪ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ବି ନିସ୍‌ କଲେଜ ଛାତ୍ର ଜଗଜିତ୍‌ ଗଜେନ୍ଦ୍ରଙ୍କ ଆକ୍ରମଣକାରୀମାନଙ୍କ ଟେର୍ ପାଇନି କମିସନରେଟ୍ ପୁଲିସ। ଦୁର୍ଦାନ୍ତ ଅପରାଧୀ ଅଗ୍ନି ଷଡ଼ଙ୍ଗୀ ଓ ତା’ ଗ୍ୟାଙ୍ଗ୍‌ ଏହି କାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଥିଲେ ବି ପୁଲିସ ସେମାନଙ୍କୁ ଗିରଫ କରିବା ସମ୍ଭବ ହୋଇନାହିଁ। ତିନି ଥାନା ଏୟାରଫିଲ୍‌ଡ, ଖଣ୍ଡଗିରି ଓ ଜଟଣୀର ବଛା ବଛା ପୁଲିସ ଅଧିକାରୀଙ୍କ ମିଳିତ ପ୍ରୟାସ ସତ୍ତ୍ବେ ଅପରାଧୀମାନେ ଫେରାର୍ ରହିବାରେ ସକ୍ଷମ ହୋଇଛନ୍ତି। ଫଳରେ ଏୟାରଫିଲ୍‌ଡ ଥାନା ସୁନ୍ଦରପଦା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ଦୀପାବଳି ରାତିରେ ହତ୍ୟାର ଶିକାର ହୋଇଥିବା ଅମରେଶ ନାୟକଙ୍କ ଗୋଷ୍ଠୀ ଓ ପ୍ରତିପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ସୂଚନା ମିଳିଛି।

ଗତକାଲି ଅପରାହ୍‌ଣ ସାଢ଼େ ୧୨ଟାବେଳେ ଯାଁଳା ଫାଣ୍ଡି ମଦନପୁରସ୍ଥିତ ନିସ୍‌ କଲେଜ ସମ୍ମୁଖରେ ଜଗଜିତ୍‌ଙ୍କ ଉପରେ ଏହି ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଯୁକ୍ତ ତିନି ଦ୍ବିତୀୟ ବାର୍ଷିକ ବାଣିଜ୍ୟର ଛାତ୍ର ଜଗଜିତ୍‌ଙ୍କୁ ୧୦/୧୨ଜଣ ଦୁର୍ବୃତ୍ତ ଖଣ୍ଡା ଓ ଭୁଜାଲିରେ ହାଣି ଫେରାର୍‌ ହୋଇଯାଇଥିଲେ। ଏହି ଆକ୍ରମଣରେ ଖଣ୍ଡଗିରି ସରକନ୍ତରା ଗାଁର ଅପରାଧୀ ଅଗ୍ନି ନେତୃତ୍ବ ନେଇଥିବା ଅଭିଯୋଗ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଏୟାରଫିଲ୍‌ଡ ଥାନା ଅମରେଶ ନାୟକ ହତ୍ୟାକାଣ୍ଡର ପ୍ରତି‌ଶୋଧ ବୋଲି ଜଣାପଡ଼ିଥିଲା। ପୁଲିସ ଅଗ୍ନି ସହ ସାମିଲ୍ ଥିବା ସୁନ୍ଦରପଦା ଅଞ୍ଚଳର ଅନ୍ୟ ଯୁବକମାନଙ୍କ ନାମ ମଧ୍ୟ ଜାଣି ପାରିଥିଲା। ତେଣୁ ଜୋନ୍‌-୩ ଏସିପି ପ୍ରାଣବନ୍ଧୁ ରାଉତଙ୍କ ନେତୃତ୍ବରେ ଜଟଣୀ, ଖଣ୍ଡଗିରି ଓ ଏୟାରଫିଲ୍‌ଡ ଥାନା ପକ୍ଷରୁ ମିଳିତ ଚଢ଼‌ଉ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର