ଓସ୍କାର ସିଟିରେ ବୁଲିଲା ଖଣ୍ଡା: ଗୋଡ଼ାଇ ଗୋଡ଼ାଇ ଘର ଭିତରେ ହାଣିଲେ, କଲୋନିରେ ବ୍ୟାପକ ଭଙ୍ଗାରୁଜା

ବାର୍‌ରେ ଯୁବତୀଙ୍କୁ ଅସଦାଚରଣ କରିଥିବା ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ

ଭୁବନେଶ୍ବର : ଗୁରୁବାର ବିଳମ୍ବିତ ରାତିରେ ହଠାତ୍ ଲକ୍ଷ୍ମୀସାଗର ଥାନା ଅଧୀନ ଓସ୍କାର ସିଟିରେ ଦୁର୍ବୃତ୍ତମାନଙ୍କ ଆତଙ୍କରାଜ୍ ଦେଖିବାକୁ ମିଳିଥିଲା। ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଧରିଥିବା ୪/୫ ଜଣ ଯୁବକ କଲୋନି ଭିତରକୁ ଧସେଇ ପଶି ମଣ୍ଟୁ ବେହେରାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ। ଆଉ କିଛି ଦୁର୍ବୃତ୍ତ କଲୋନି ଭିତରେ ଥିବା କାର୍, ବାଇକ୍‌ ଆଦି ଭଙ୍ଗାରୁଜା କରିଥିଲେ। ଜୀବନ ବଞ୍ଚାଇବାକୁ ମଣ୍ଟୁ ସହାୟତା ପାଇଁ ଚିତ୍କାର କରୁଥିଲେ ବି ଦୁର୍ବୃତ୍ତମାନଙ୍କ ସମ୍ମୁଖକୁ କେହି ଆସିନଥିଲେ। ଶେଷରେ ଘରେ ପଶି ଦୁର୍ବୃତ୍ତମାନେ ମଣ୍ଟୁଙ୍କୁ ଖଣ୍ଡା ଓ ଭୁଜାଲିରେ ହାଣି ଅଧମରା କରି ପକାଇଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ପାର୍ ହୋଇ ଯାଇଥିଲେ। କଲୋନିର ସିସି କ୍ୟାମେରାରେ କଏଦ ହୋଇଥିବା ଫୁଟେଜ୍‌ରୁ ପୁଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିଛି ଏବଂ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ବାର୍‌ ଗାୟିକାମାନଙ୍କୁ ଅସଦାଚରଣ କରୁଥିବା ଦୁର୍ବୃତ୍ତମାନଙ୍କୁ ପ୍ରତିରୋଧ କରିବାରୁ ମଣ୍ଟୁଙ୍କ ଉପରେ ଏହି ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ଆକ୍ରମଣକାରୀ ଦୁର୍ବୃତ୍ତମାନେ କଳ୍ପନା ରୋଡ୍‌ସ୍ଥିତ ଏକ ବାର୍‌କୁ ଯାଇଥିଲେ। ସେଠାରେ ସେମାନେ ଗୀତ ଗାଉଥିବା ଯୁବତୀମାନଙ୍କ ଉପରକୁ ଟଙ୍କା ଫୋପାଡ଼ିଥିଲେ। ଏତିକିରେ ସେମାନଙ୍କ କାଣ୍ଡ ସରିନଥିଲା। ମଦ ନିଶା ବାହାନାରେ ସେମାନେ ଗାୟିକାମାନଙ୍କୁ ଭିଡ଼ାଟଣା କରିଥିଲେ। ତେଣୁ ବାର୍‌ କର୍ମଚାରୀ ମଣ୍ଟୁ ବେହେରା ସେମାନଙ୍କୁ ପ୍ରତିବାଦ କରିଥିଲେ ଓ ପରେ କର୍ମଚାରୀମାନେ ଯୁବକମାନଙ୍କୁ ବାର୍‌ରୁ ବାହାର କରି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେହି ଯୁବକମାନେ ମଣ୍ଟୁଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ବାର୍‌ ବାହାରେ ଜଗି ରହିଥିଲେ। ବାର୍‌ ବନ୍ଦ ହେବା ପରେ ମଣ୍ଟୁ ଘରକୁ ବାହାରିବାରୁ ଜଗିଥିବା ଯୁବକମାନେ ତାଙ୍କୁ ପିଛା କରିଥିଲେ। ସେ ଓସ୍କାର୍‌ ସିଟିରେ ପଶିବା ପୂର୍ବରୁ ଯୁବକମାନେ ତାଙ୍କୁ ଘେରି ଯାଇଥିଲେ। ସେମାନେ ମଣ୍ଟୁଙ୍କୁ ଆକ୍ରମଣ କରିବା ବେଳେ କୌଶଳକ୍ରମେ ସେ କଲୋନି ଭିତରକୁ ଦୌଡ଼ି ପଳାଇଥିଲେ। ଯୁବକମାନେ ତାଙ୍କୁ ପିଛା କରି କଲୋନି ଭିତରେ ଧସେଇ ପଶିଥିଲେ ଏବଂ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ମଣ୍ଟୁଙ୍କ ଚିତ୍କାର ଶୁଣି କଲୋନିର କିଛି ଲୋକ ଘରୁ ବାହାରି ଆସିଥିଲେ ବି ମାରଣାସ୍ତ୍ରରେ ସଜ୍ଜିତ ଦୁର୍ବୃତ୍ତମାନଙ୍କୁ ଦେଖି ପଞ୍ଚଘୁଞ୍ଚା ଦେଇଥିଲେ। ଦୁର୍ବୃତ୍ତମାନେ କଲୋନିବାସୀଙ୍କୁ ଗାଳିମନ୍ଦ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେମାନଙ୍କ ସମ୍ମୁଖକୁ ଆସିବାକୁ କାହାର ଜୁ’ ନଥିଲା। ମଣ୍ଟୁ ନିଜ ଘର ଭିତରକୁ ପଶି ଯାଇଥିଲେ ବି ଦୁର୍ବୃତ୍ତମାନେ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଘରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମଣ୍ଟୁଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲା। ଘଟଣାକୁ ନେଇ କଲୋନିରେ ଚାପା ଉତ୍ତେଜନା ଲାଗି ରହିଥିଲା। ଦୁର୍ବୃତ୍ତମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର