ପିସିଆର୍‌କୁ ତଡ଼ିଦେଲେ

ଖଣ୍ଡଗିରି : ରବିବାର ରାତିରେ ଜଟଣୀ ଥାନା ଯାଁଳା ଫାଣ୍ଡି ଓଗାଳପଡ଼ାରେ ପିସିଆର୍‌ କର୍ମଚାରୀମାନେ ଏକ ଅଭାବନୀୟ ପରିସ୍ଥିତିର ଶିକାର ହୋଇଛନ୍ତି। ଗଣେଶ ଭସାଣିରେ ଶୋଭାଯାତ୍ରାକାରୀମାନେ ପିସିଆର୍‌ କର୍ମଚାରୀମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇବାରୁ ଭୟରେ ପୁଲିସ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ଏ ନେଇ ଯାଁଳା ଫାଣ୍ଡି ପୁଲିସ ଏକ ମାମଲା ରୁଜୁ କରିଥିବା ଫାଣ୍ଡି ସୂତ୍ରରୁ ଜଣାପଡ଼ିଛି। ସୂଚନାନୁସାରେ ରବିବାର ରାତିରେ ଯାଁଳା ଫାଣ୍ଡି ଓଗାଳପଡ଼ା ଗାଁର ଏକ ସାହିରେ ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ଚାଲିଥିଲା। କିନ୍ତୁ ଏଥିପାଇଁ ସେମାନେ କମିସନରେଟ୍‌ ପୁଲିସଠାରୁ ଅନୁମତି ନେଇ ନଥିଲେ। ଖବର ପାଇ ଯାଁଳା ଫାଣ୍ଡି ପିସିଆର୍‌ ଗାଁରେ ପହଞ୍ଚି ଶୋଭାଯାତ୍ରା ବନ୍ଦ କରିବାକୁ ନିର୍ଦେଶ ଦେଇଥିଲା। କିନ୍ତୁ ଶୋଭାଯାତ୍ରାରେ ଥିବା ଯୁବକମାନେ ପୁଲିସ ନିର୍ଦେଶକୁ ଫୁ’ କରି ଉଡ଼ାଇ ଦେଇଥିଲେ। ତେବେ ଏଥିରୁ କଥା କଟାକଟି ହୋଇଥିଲା। ରାଗରେ ଉତ୍ତ୍ୟକ୍ତ ଯୁବକମାନେ ସଂଘବଦ୍ଧଭାବେ ପୁଲିସ କର୍ମଚାରୀମାନଙ୍କୁ ଘେରି ଯାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଗଣ୍ଡଗୋଳ ବଢ଼ିବା ଦେଖି ପୁଲିସ କର୍ମଚାରୀମାନେ ପଛଘୁଞ୍ଚା ଦେଇଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏଣିକି ସବୁ ପୂଜା ଭସାଣି ବେଳେ ପୁଲିସ ଅନୁମତିକୁ କଡ଼ାକଡ଼ି କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର