ପୁଲିସକୁ ମାଡ଼ ଘଟଣା : ଘର ଛାଡ଼ି ପଳାଇଲେ ପରିବାର

ବାଲିଅନ୍ତା : ବାଲିଅନ୍ତା ଥାନା କାକରୁଦ୍ରଦୁର ପଞ୍ଚାୟତ ଅଧୀନ ପଞ୍ଚଳ ଗ୍ରାମରେ ଦୁଇଟି ମାମଲାରେ ଅଭିଯୁକ୍ତ ଥିବା ଦୁଇଟି ପରିବାର ଓ ସେମାନଙ୍କର ସମର୍ଥକଙ୍କ ବାଲିଅନ୍ତା ଥାନା ପୁଲିସ ଟିମ୍‌କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ପୁଲିସ ଏଯାଏ ଉକ୍ତ ଘଟଣାରେ ଅଭିଯୁକ୍ତ ଥିବା ପରିବାରର ସଦସ୍ୟ ଓ ସେମାନଙ୍କର ସହଯୋଗୀମାନଙ୍କୁ ଗିରଫ କରି ପାରିନି। ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ରାଜ୍ୟ ସଂଗଠନର ବରିଷ୍ଠ କର୍ମକର୍ତ୍ତାମାନେ ଏ ସଂପର୍କରେ ଖବର ପାଇଁ ଏହି ପରିବାର ଲୋକଙ୍କ ସହିତ ଆଲୋଚନା କରି ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଷଡ଼ଯନ୍ତ୍ର ଚଳାଇଥିବା ସୂଚନା ମିଳିଛି। ଏପଟେ ନ୍ୟାୟ ପାଇବା ପାଇଁ ବାଲିଅନ୍ତା ଥାନାର ଆଶ୍ରୟ ନେଇଥିବା ବିପକ୍ଷ ପରିବାର ନିରଞ୍ଜନ ଦାସ ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନଙ୍କ ମାଡ଼ରେ ଜଣେ ପୁଲିସ ଅଧିକାରୀଙ୍କ ସମେତ କର୍ମଚାରୀମାନେ କ୍ଷତାକ୍ତ ହେବା ପରେ ନିରଞ୍ଜନ ଭୟଭୀତ ହୋଇ ତାଙ୍କ ଦୁଇ ପତ୍ନୀଙ୍କ ସହିତ ୪ ପୁଅ ଝିଅଙ୍କୁ ନେଇ ଘରଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ଦୁଇ ପରିବାରଙ୍କ ବିରୋଧରେ ନିରଞ୍ଜନ କୁକୁର କାମୁଡ଼ା ଘଟଣାକୁ ନେଇ ଥାନାରେ ଲିଖିତ ଭାବେ ଅଭିଯୋଗ  କରିଥିବା ବେଳେ ଜାଗାବାଡ଼ି ସତ୍ୱକୁ କେନ୍ଦ୍ର କରି ଗ୍ରାମର କାଳନ୍ଦୀ ପ୍ରଧାନଙ୍କ  ମଧ୍ୟରେ ବିବାଦ ଲାଗି ରହିଛି । ଗତକାଲି ରାତିରେ  ପୁଲିସ ଏହି ମାମଲରେ ପରିବାରର ଜଣେ ବ୍ୟକ୍ତିକୁ ଉଠାଇ ନେବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ମିଳିତ ଆକ୍ରମଣର ଶିକାର ହୋଇଥିଲେ। ଠେଙ୍ଗା ମାଡ଼ରେ ଜଣେ ପୁଲିସ ଅଧିକାରୀଙ୍କ ମୁହଁ ଫାଟିଯାଇ ପ୍ରଚୁର ରକ୍ତସ୍ରାବ ହେବା ସହିତ ଆଉ ଜଣେ ପୁଲିସ ଏଏସ୍‌ଆଇ ମହେନ୍ଦ୍ର ମଲ୍ଲିକ୍‌ଙ୍କ ସହିତ ୩ ଜଣ କର୍ମଚାରୀ ମାଡ଼ ଖାଇ ଜୀବନ ବିକଳରେ ସେଠାରୁ ଖସି ପଳାଇଥିଲେ। ଅନ୍ୟପକ୍ଷରେ ସଂପୃକ୍ତ ଦୁଇ ପରିବାର ପକ୍ଷରୁ ସଂଗଠନର କର୍ମକର୍ତ୍ତାମାନଙ୍କ ସହାୟତାରେ ବାଲିଅନ୍ତା ଥାନାରେ ପୃଥକ ଅଭିଯୋଗ ହେବ ବୋଲି ବୈଠକରେ ଉପସ୍ଥିତ ଥିବା ପ୍ରମୋଦ ଭୋଇ ଜଣାଇଛନ୍ତି।

ସମ୍ବନ୍ଧିତ ଖବର