ଭୁବନେଶ୍ବର କୋର୍ଟ: ୩ ଦିନରେ ୩ ଅଘଟଣ, କନେଷ୍ଟବଳଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ

ବଡ଼ଗଡ଼ ଥାନାରେ ମାମଲା ରୁଜୁ, ୨ ଆଇନଜୀବୀ ଅଟକ
୩୬ ଘଣ୍ଟା ପରେ ବି ନିଶାମାଫିଆ ବିଜୟକୁ ପାଉନି ପୁଲିସ

ଭୁବନେଶ୍ବର : ଅଘଟଣ ଭୁବନେଶ୍ବର କୋର୍ଟ ପିଛା ଛାଡ଼ୁନି। ଲଗାତାର ୩ ଦିନରେ ୩ଟି ଅଘଟଣ ପାଇଁ ଭୁବନେଶ୍ବର କୋର୍ଟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଶୁକ୍ରବାର ଓ ଶନିବାର କୋର୍ଟ ପରିସରରୁ ଦୁଇଜଣ କଏଦୀ ପୁଲିସ୍‌ ହେପାଜତରୁ ଚମ୍ପଟ ମାରିଥିଲେ। ତେବ‌େ ରବିବାର ଦିନ ଭିନ୍ନ ଏକ କାରଣରୁ ପୁଣିଥରେ କୋର୍ଟ ଚର୍ଚ୍ଚାକୁ ଆସିଛି। ରବିବାର ସଂଧ୍ୟା ପ୍ରାୟ ୭ଟା ବେଳେ କୋର୍ଟ ପରିସରରେ ଦୁଇଜଣ ଆଇନଜୀବୀ ଜଣେ କାର୍ଯ୍ୟରତ କନେଷ୍ଟବଳଙ୍କୁ ମାଡ଼ମାରି ରକ୍ତାକ୍ତ କରିଦେଇଛନ୍ତି। ଆହତ କନେଷ୍ଟବଳଜଣଙ୍କ ହେଲେ, ନୂଆପଲ୍ଲୀ ଥାନାର ବିକ୍ରମସେନ ବେହେରା। ଶ୍ରୀ ବେହେରା ରବିବାର ଦିନ ଏସ୍‌କର୍ଟ ଟିମ୍‌ ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ସିଏସ୍‌ଆଇଙ୍କ ପାଖରେ ହାଜର କରାଇବାକୁ ଯାଇଥିବା ବେଳେ ତାଙ୍କ ସହ ଏହି ଅଘଟଣ ଘଟିଥିଲା। ଦୁଇ ଆଇନଜୀବୀ ସେଠାରେ ଥିବା ଏକ ପଥରରେ ଶ୍ରୀ ବେହେରାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛି। ଅପରପକ୍ଷେ ଏହି ଘଟଣାରେ ବଡ଼ଗଡ଼ ଥାନା ପୁଲିସ ଦୁଇ ଆଇନଜୀବୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ବିଳମ୍ବିତ ରାତିରେ କନେଷ୍ଟବଳ ଶ୍ରୀ ବେହେରା ଏନେଇ ଲିଖିତ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ ସୂଚନାନୁଯାୟୀ, ଗତ ଏପ୍ରିଲ ୪ରେ ନୂଆପଲ୍ଲୀ ଜ୍ୟୋତ୍ସ୍ନା ଏନକ୍ଲେଭ୍‌ରେ ରହୁଥିବା ସ୍ବାଗତ ମହାନ୍ତିଙ୍କ ଘରୁ ଚୋରି ହୋଇଥିଲା। ଘରୋଇ ସହାୟିକା ପୂର୍ଣ୍ଣିମା ଦାସ ତାଙ୍କ ଘରୁ ୪ଥର‌ରେ ଟଙ୍କା ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ନୂଆପଲ୍ଲୀ ପୁଲିସ ଆଜି ପୂର୍ଣ୍ଣିମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନୂଆପଲ୍ଲୀ ଥାନାର ୨ଜଣିଆ ଏସକର୍ଟ ଟିମ୍‌ ପୂର୍ଣ୍ଣିମାଙ୍କୁ ସାଥିରେ ନେଇ ଭୁବନେଶ୍ବର କୋର୍ଟ ଯାଇଥିଲେ। ସେଠାରେ ପୂର୍ଣ୍ଣିମାଙ୍କୁ ସିଏସ୍‌ଆଇଙ୍କ ପାଖରେ ହାଜର କରାଯାଇଥିଲା। ସେତିକିବେଳେ ଦୁଇଜଣ ଆଇନଜୀବୀ ପୂର୍ଣ୍ଣିମାଙ୍କୁ ଦେଖା କରିବାକୁ ଆସିବାରୁ ଶ୍ରୀ ବେହେରା ତାଙ୍କୁ ବାରଣ କରିଥିଲେ। ଏନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ଆଇନଜୀବୀଦ୍ବୟ କନେଷ୍ଟବଳ ଶ୍ରୀ ବେହେରାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ। ଏହି ଘଟଣାରେ ଭୁବନେଶ୍ବର ଓକିଲ ସଂଘର ସଂପାଦକ ରାଜକିଶୋର ଦାସ କହିଛନ୍ତି, ଭୁଲ୍ ବୁଝାମଣା ଯୋଗୁଁ ଆଜି କୋର୍ଟ ପରିସରରେ ଏପରି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ତେବ‌େ ଏହାର ଆପୋସ ବୁଝାମଣା ଚାଲିଛି। ବାର୍ ଆସୋସିଏସନ୍ ଅଭିଯୁକ୍ତ ଆଇନଜୀବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

ଅପରପକ୍ଷେ, ଗତକାଲି କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ନିଶାମାଫିଆ ବାଲିପାଟଣାର ବିଜୟ ମାଣିଆ ଫେରାର୍‌ ହେବା ଘଟଣାକୁ ୩୬ ଘଣ୍ଟାରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ଏଯାବତ୍‌ ପୁଲିସ୍‌ ତା’ର ଟେର୍‌ ପାଇ ପାରିନାହିଁ। ସୂଚନାଯୋଗ୍ୟ, ଗତକାଲି ଏଡିଜେ-୩ କୋର୍ଟରେ ବିଜୟକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଲକ୍ଷେ ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଥିଲା। ଦଣ୍ଡାଦେଶ ପରେ ତାକୁ କୋର୍ଟ ରୁମ୍ ବାହାରକୁ ଅଣାଯାଇଥିଲା। ପୁଲିସ ତାକୁ ଜେଲ୍‌ ନେବାକୁ ପ୍ରସ୍ତୁତି କରୁଥିବା ବେଳେ ସେ ଏସକର୍ଟ ଟିମ୍‌କୁ ଧକ୍କା ମାରି ଫେରାର୍ ହୋଇଯାଇଥିଲା। ସେହିପରି ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଗତ ୨୪ ତାରିଖରେ ନୂଆପଲ୍ଲୀ ଥାନା ପୁଲିସ୍‌ ଏକ ଗଣ୍ଡଗୋଳ ମାମଲାରେ ଜଣେ ସିକ୍ୟୁରିଟି ଗାର୍ଡ ସମେତ ୩ଜଣଙ୍କୁ କୋର୍ଟ ଚାଲାଣ କରିଥିଲା। କୋର୍ଟ ଚାଲାଣ ସମୟରେ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ନୂଆପଲ୍ଲୀ ଥାନା ପୁଲିସର ଏସକର୍ଟ ଟିମ୍‌କୁ ଧକ୍କା ଦେଇ କୋର୍ଟ ପରିସରରୁ ଚମ୍ପଟ୍ ମାରିଥିଲା। ଅବଶ୍ୟ ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ପୁଲିସ୍‌ ତାକୁ ଧରି ପକାଇଥିଲା।

ସମ୍ବନ୍ଧିତ ଖବର