କ୍ୟାପିଟାଲ ହସ୍ପିଟାଲ‌ରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍‌ : ୪ ପୁଲିସଙ୍କୁ ସଂଘବଦ୍ଧ ଆକ୍ରମଣ

ରାତିରେ ରହିବେ ଷ୍ଟ୍ରାଇକିଂ ଫୋର୍ସ: ଡିସିପି

ଭୁବନେଶ୍ବର : ସାଧାରଣ ଲୋକଙ୍କ କଥା ଛାଡ଼, ପୁଲିସ ବି ଅସୁରକ୍ଷିତ। ପୁଲିସକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ଆକ୍ରମଣ କରୁଛନ୍ତି। ତାହା ପୁଣି ଆଉ କେଉଁଠି ନୁହେଁ, କମିସନରେଟ୍‌ ପୁଲିସର ଏକ ପ୍ରମୁଖ ଫାଣ୍ଡି ଭିତରେ ପଶି ଘଟାଇଛନ୍ତି ଏଭଳି କାଣ୍ଡ। ଯାହାକି ପୁଲିସର ଦକ୍ଷତା ଓ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ଏ ନେଇ ପୁଲିସ କର୍ମଚାରୀମାନେ ନିଜ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ମାମଲା ରୁଜୁ କରିବା ପରିବର୍ତେ ପୁଲିସର ବଡ଼ବାବୁମାନେ ଆପୋସ ସମାଧାନ କରିବାକୁ ନିଜ କର୍ମଚାରୀଙ୍କ ଉପରେ ଚାପ ପକାଉଛନ୍ତି।

ବୁଧବାର ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ କେତେକ ଯୁବକ ପୁଲିସ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏଥିରେ ୪ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନେ ହେଲେ, ଫାଣ୍ଡି ହାବିଲଦାର ସ୍ମୃତିରଂଜନ ଭୂୟାଁ, କନଷ୍ଟେବଲ ଅଜିତ କୁମାର ସ୍ବାଇଁ, ସିପାହୀ ମାନସ ଗିରି ଓ ପ୍ରଶାନ୍ତ ମଲ୍ଲିକ। ଏ ନେଇ ସେମାନେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଲାଗିଥିବା ସିସି କ୍ୟାମେରା ଫୁ‌‌ଟେଜ ସଂଗ୍ରହ କରି ତଦନ୍ତ ଚଳାଇଛି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ବୁଧବାର ରାତି ପାଖାପାଖି ସାଢ଼େ୧ଟା ବେଳେ ପୁରୁଣା ଭୁବନେଶ୍ବର ଓ ୟୁନିଟ-୬ ଅଞ୍ଚଳର କେତେକ ଯୁବକ ଚିକିତ୍ସା ହେବାକୁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। କୌଣସି କାରଣକୁ ନେଇ ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କ ସହ ଜଣେ ଯୁବକଙ୍କ ଯୁକ୍ତିତର୍କ ହୋଇଥିଲା। ପରେ ସେହି ଯୁବକଜଣକ ଫୋନ୍‌ କରି ତାଙ୍କର କିଛି ସହଯୋଗୀଙ୍କୁ ଡକାଇଥିଲେ। ୧୦/୧୨ଜଣ ଯୁବକ ୩/୪ଟି ବାଇକରେ ଆସି ହଠାତ ସିକ୍ୟୁରିଟି ଗା‌ର୍ଡ ସହ ଯୁକ୍ତିତର୍କ କରିଥିଲେ। ଏହି ଘଟଣା ଫାଣ୍ଡି ପୁଲିସର ନଜରକୁ ଆସିବାରୁ ସେମାନେ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକମାନେ ଫାଣ୍ଡି ପୁଲିସ ସହ ଯୁକ୍ତିତର୍କ କରିବା ସହ ମାଡ଼ ମାରିଥିଲେ। ଏଥିରେ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସମସ୍ତଙ୍କ ସମ୍ମୁଖରେ ପୁଲିସକୁ ଏଭଳି ମାଡ଼ ମାରିବା ଘଟଣା କ୍ୟାପିଟାଲ ହସ୍ପିଟାଲ୍‌‌‌ରେ ଆତଙ୍କର ବାତାବରଣ ଖେଳାଇ ଦେଇଥିଲା। କ୍ୟାପିଟାଲ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଥିବା ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଜୀବନ ବିକଳରେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ। ରୋଗୀ ଓ ସମ୍ପର୍କୀୟମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଥିଲେ। ଯୁବକମାନେ ପାଖାପାଖି ଅଧଘଣ୍ଟା କାଳ ଏଭଳି ଭୟର ବାତାବରଣ ସୃଷ୍ଟି କରି କେଉଁଆଡ଼େ ଫେରାର୍‌ ହୋଇଯାଇଥିଲେ।

କ୍ୟାପିଟାଲ ହସ୍ପିଟାଲରେ ଏଭଳି ଘଟଣା ଘଟିବା ନୂଆ ନୁହେଁ। ବିଭିନ୍ନ ସମୟରେ ରୋଗୀଙ୍କ ସମ୍ପର୍କୀୟମାନେ ହସ୍ପିଟାଲକୁ ଆସି ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ନଜିର ରହିଛି। ଏ ନେଇ ବାରମ୍ବାର ହସ୍ପିଟାଲ କର୍ତ୍ତୃପକ୍ଷ କ୍ୟାପିଟାଲ ଥାନା ଓ ଡିସିପିଙ୍କ ନିକଟରେ ଅଭି‌ଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗତକାଲି ରାତିରେ ଆକ୍ରମଣର ଶିକାର ହୋଇଥିବା ପୁଲିସ କର୍ମଚାରୀମାନେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କ ନିକଟକୁ ଯାଇ ନିଜର ସୁରକ୍ଷା ମାଗିଛନ୍ତି। ଆଉ କେତେକ କର୍ମଚାରୀ ସେମାନଙ୍କ ବଦଳି ଫାଣ୍ଡିରୁ ଅନ୍ୟତ୍ର କରିଦେବାକୁ ଡିସିପି ଅନୁପ ସାହୁଙ୍କ ନିକଟରେ ଗୁହାରି କରିବେ ବୋଲି କହିଛନ୍ତି।

ସେହିପରି ଗତକାଲି ଗଣ୍ଡଗୋଳ ବେଳେ ଫାଣ୍ଡି କର୍ମଚାରୀମାନେ ଥାନାକୁ ଯୋଗାଯୋଗ କରିପାରିଲେ ନାହିଁ। ଫାଣ୍ଡିରେ ଲ୍ୟାଣ୍ଡ ଲାଇନ୍‌ ନ ଥିବାରୁ ଏଭଳି ସମସ୍ୟା ଦେଖା ଦେଇଥିଲା ବୋଲି ଫାଣ୍ଡି କର୍ମଚାରୀମାନେ କହିଛନ୍ତି। ତେଣୁ ଲ୍ୟାଣ୍ଡଲାଇନ୍‌ କନେକ୍ସନ୍‌ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଆକ୍ରମଣକାରୀ ଯୁବକଙ୍କ ଚାପରେ ପଡ଼ି ପୁଲିସ ମାମଲାକୁ ଆପୋସ ସମାଧାନ କରିବାକୁ ବସିଛି ବୋଲି ଅଭିଯୋଗକାରୀମାନେ କହିଛନ୍ତି।

ଡିସିପି ଅନୁପ ସାହୁ କହିଛନ୍ତି, ଏନେଇ କନଷ୍ଟେବଲ ଅଜିତ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରରେ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲ କତୃର୍ପକ୍ଷ ଆମକୁ ଡାକ୍ତରଙ୍କ ସୁରକ୍ଷା ନେଇ ଲେଖି କରି ଦେଲେ ଆମେ କ୍ୟାପିଟାଲ ଥାନା କିମ୍ବା ଏଜି ଛକ ଟ୍ରାଫିକ୍‌ ଥାନାରେ ୨୪ ଘଣ୍ଟା ରହୁଥିବା ଷ୍ଟ୍ରାଇକିଂ ଫୋର୍ସକୁ ରାତିରେ କ୍ୟାପିଟାଲ ହସ୍ପିଟାଲ ପଠାଇଦେବୁ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର