ଉତ୍ପାତ କଲେଣି ଅପରାଧୀ : ପୋ‌ଷ୍ଟମ୍ୟାନ୍‌ଙ୍କୁ ହାଣିଲେ

ଥାନା ଘେରିଲେ ଡାକ କର୍ମଚାରୀ

ଭୁବନେଶ୍ୱର : ଉତ୍ପାତ କଲେଣି ଅପରାଧୀ। ଗତକାଲି ସ୍ପଷ୍ଟ ଦିବା‌ଲୋକରେ ବାପୁଜୀନଗରରେ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାକୁ ୨୪ ଘଣ୍ଟ ନ ପୂରୁଣୁ ଆଜି ସହିଦନଗର ଥାନା ଅଞ୍ଚଳରେ ଅନୁରୂପ ଘଟଣା ଘଟିଛି। ଲକ୍‌ଡାଉନ୍‌ ଚାଲିଥିବା ବେଳେ ସହର ଶୂନ୍‌ଶାନ୍‌ ଓ ପୁଲିସ କଡ଼ା ପହରା ଥିଲେ ମଧ୍ୟ ଅପରାଧୀ ତାଙ୍କର ସ୍ଥିତି ଜାହିର କରିଛନ୍ତି। ବିନା କାରଣରେ ଜଣେ ପୋଷ୍ଟମ୍ୟାନ୍‌ଙ୍କୁ ହାଣିଛନ୍ତି ଦୁର୍ବୃତ୍ତ। ଅନ୍ୟ ଏକ ଗୋଷ୍ଠୀକୁ ମାରଣାସ୍ତ୍ର ଧରି ଛକି ବସିଥିବା ବେଳେ ସେହି ରାସ୍ତାଦେଇ ଯାଉଥିବା ପୋଷ୍ଟମ୍ୟା‌ନ୍‌ ସେମାନଙ୍କୁ ଚାହିଁ ଦେବାରୁ ଏହି ଦଣ୍ଡ ପାଇଛନ୍ତି। କାହିଁକି ଚାହିଁଲୁ ବୋଲି କହି ୫ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଛନ୍ତି। ଜୀବନ ବିକଳରେ ସେ ମୁଖ୍ୟ ରାସ୍ତାକୁ ଦଉଡ଼ିଥିଲେ ମଧ୍ୟ ଦୁର୍ବୃତ୍ତ ଛାଡ଼ି ନାହାନ୍ତି। ସେ ଖାଲରେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଖଣ୍ଡା ବାଜିଛି। ଦୁର୍ବୃତ୍ତ ୫ ଜଣ ଥିବା ବେଳେ ମଦ୍ୟପାନ କରି ଉନ୍ମତ୍ତ ଅବସ୍ଥାରେ ଥିବାରୁ ପାଖକୁ କେହି ଯିବା ସାହସ କରିନାହାନ୍ତି। ଏଭଳି ଏକ ଅଭାବନୀୟ କାଣ୍ଡ ଅପରାହ୍ନ ୪ଟା ବେଳେ ସହିଦନଗର ଅଞ୍ଚଳର ଜନଗହଳିପୂର୍ଣ୍ଣ ଭୋଇନଗରରେ ଘଟିଛି।

ଗୁରୁତର ଆହତ ହୋଇଥିବା ପୋଷ୍ଟମ୍ୟାନ୍‌ ହେଉଛନ୍ତି ସାଲେପୁରର ରାକେଶ ମିଶ୍ର। ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଆକ୍ରମଣ ପରେ ମଧ୍ୟ ଦୁର୍ବୃ୍ତ୍ତମାନେ କିଛି ସମୟ ବସି ମଦ ପିଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନିକଟ ଅତୀତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଛାତ୍ରକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଠିକ୍‌ ସେହି ଜାଗାରେ ଆଜି ସରକାରୀ ଡ୍ୟୁଟିରେ ଥିବା ଜଣେ ପୋ‌ଷ୍ଟମ୍ୟାନ୍‌କୁ ଦୁର୍ବୃତ୍ତ ହାଣିଛନ୍ତି। ଗୋଟିଏ ଜାଗାରେ ବାରମ୍ବାର ଏଭଳି ଘଟଣା ଘଟିବା ଓ ପୁଲିସ ଏହି ସ୍ଥାନ ଉପରେ ନଜର ନ ରଖିବା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇଛି। ଅନ୍ୟପଟେ ୨୦ରୁ ଊର୍ଦ୍ଧ୍ବ ଡାକ କର୍ମଚାରୀ ଆଜି ସନ୍ଧ୍ୟାରେ ସହିଦନଗର ଥାନା ଘେରାଉ କରିଥିଲେ। ଦିନ ଦ୍ବିପ୍ରୟହରରେ ଅପରାଧୀ ମାତିବା, ବିନା କାରଣରେ ସରକାରୀ ଡ୍ୟୁଟି କରୁଥିବା ବେଳେ ଏଭଳି ହାଣିବା ଘଟଣାରେ ସେମାନେ ପୁଲିସକୁ ଦାୟୀ କରିଥିଲେ। ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବା ସହ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଥିଲେ।

ସୂଚନା ମୁତାବକ, ରାକେଶ ଆଜି ଅପରାହ୍ନ ୪ଟା ବେଳେ ଭୋଇନଗର ଅଞ୍ଚଳକୁ ଚିଠି ବାଣ୍ଟିବା ପାଇଁ ଯାଇଥିଲେ। ସେଠ‌ାରେ ଥିବା ଏକ ମନ୍ଦିର ପଛରେ ୫ ଜଣ ବସି ମଦ୍ୟପାନ କରୁଥିଲେ। ତାଙ୍କ ପାଖରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଥୁଆ ହୋଇଥିଲା। ରାକେଶ ଯିବା ବେଳେ ଏଡି ମାରଣାସ୍ତ୍ର ଆଡ଼କୁ ଅନାଇ ଦେଇଥିଲେ। ବାସ୍‌, ଏତିକିରେ ସେମାନଙ୍କର ରାଗ ମୁଣ୍ଡ ଉପରକୁ ଚଢ଼ି ଯାଇଥି‌ଲା। ‘କାହିଁକି ଅନେଇଲୁ’ ବୋଲି କହି ପ୍ରଥମେ ଗାଳି ଗୁଲଜ କରିଥିଲେ। ଜଣେ ତାଙ୍କ ଭିତରୁ ‘ମାର ୟାକୁ’ ବୋଲି କହିବାରୁ ସମସ୍ତେ ରାକେଶଙ୍କ ଉପରକୁ ଝପଟି ପଡ଼ିଥିଲେ। ଏକ ଖଣ୍ଡା ଭଳି ଏକ ଲୁହା ପାତରେ ଜଣେ ଆକ୍ରମଣ କରିବାରୁ ରାକେଶ ଦଉଡ଼ିଥିଲେ। ପରେ ସମସ୍ତେ ରାକେଶଙ୍କୁ ପିଛା କରିଥିଲେ। ରାକେଶ ଖାଲରେ ପଡ଼ିଯିବାରୁ ତାଙ୍କ ମୁଣ୍ଡକୁ ଚୋଟ ମାରିଥିଲେ। ବିନା କାରଣରେ ଏଭଳି ଆକ୍ରମଣ ଏବେ ରାଜଧାନୀବାସୀଙ୍କୁ ଭୟଭୀତ କରିଛି। ଦିନ ଦ୍ବିପ୍ରହରରେ ରାସ୍ତାରେ ଚାଲିବା ଆଉ ନିରାପଦ ନୁହେଁ ବୋଲି ଅନେକ ବାସିନ୍ଦା ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର