ବିଚ୍‌ ରାସ୍ତାରେ ଅଧ୍ୟାପକଙ୍କୁ ଗୋଡ଼େଇ ହାଣିଲେ

ଟ୍ରାଫିକ୍ ପୁଲିସ ନିରବଦ୍ରଷ୍ଟା

ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ମାଉସୀ ମା’ ଛକ ନିକଟରେ ଆଜି ବିଚ୍‌ ରାସ୍ତା ଉପରେ ଜଣେ ଅଧ୍ୟାପକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ୩ଜଣ ଦୁର୍ବୃତ୍ତ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗୋଡ଼େଇ ଗୋଡ଼େଇ ଏକ କଟୁରିରେ ହାଣିଛନ୍ତି। ଆକ୍ରମଣର ଶିକାର ବ୍ୟକ୍ତିଜଣଙ୍କ ହେଲେ, ବିକାଶ କୁମାର ସାମଲ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଡ଼ଗଡ଼ ଥାନା ପୁଲିସ ତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଆପରାଧିକ ଘଟଣା ଘଟିବା ସମୟରେ ସେଠାରେ ଜଣେ ଟ୍ରାଫିକ୍‌ ପୁଲିସ ଉପସ୍ଥିତ ଥିଲେ ହେଁ ଦୁର୍ବୃତ୍ତମାନଙ୍କ କବଳରୁ ତାଙ୍କୁ ରକ୍ଷା କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିଲେ ବୋଲି ବିକାଶ କହିଛନ୍ତି। ସେହିପରି ବଡ଼ଗଡ଼ ଥାନା ପୁଲିସ ଜାଣିଶୁଣି ଅଭିଯୁକ୍ତମାନଙ୍କ ବିରୋଧରେ କୋହଳ ଦଫାରେ ମାମଲା ରୁଜୁ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ବଡ଼ଗଡ଼ ଥାନା ଅଧିକାରୀ ଦିଲ୍ଲୀପ ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଛି।

ପୁଲିସ ସୂଚନା ଅନୁଯାୟୀ, ବଡ଼ଗଡ଼ ଥାନା ଅଧୀନ ବିଜେବି ନଗରରେ ରହୁଥିବା ଅଧ୍ୟାପକ ବିକାଶ ଆଜି ସନ୍ଧ୍ୟାରେ ଏକ ବାଇକ୍‌ରେ ମାଉସୀ ମା’ ଛକ ଉଭରବ୍ରିଜ୍‌ ଉପରେ କଳ୍ପନା ଆଡ଼କୁ ଯାଉଥିଲେ। ଓଭରବ୍ରିଜ୍‌ ନିକଟରେ ପଛପଟୁ ଏକ ଇଣ୍ଡିକା କାର୍‌ ତାଙ୍କୁ ଧକ୍କା ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ସେ କାର୍‌ ଚାଳକଙ୍କୁ ଟ୍ରାଫିକ୍ କର୍ମଚାରୀଙ୍କ ପାଖକୁ ଯିବାକୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କାର୍‌ରୁ ୩ଜଣ ଯୁବକ ବାହାରି ଆସି ବିକାଶଙ୍କୁ ମାଡ଼ ମାରିଥିଲେ। ଜୀବନ ବିକଳରେ ବିକାଶ ଦୌଡ଼ିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ମାଉସୀ ମା’ ଛକରେ ଥିବା ଏକ ମେଡିସିନ୍ ଦୋକାନ ନିକଟରେ ସେମାନେ ତାଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲେ। ଖବର ପାଇ ପିସିଆର୍‌ ଭ୍ୟାନ୍‌ ସେଠାରେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ। ବିକାଶ ଅଭିଯୋଗ କରିଛନ୍ତି ଯେ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ ପଛଘୁଞ୍ଚା ଦେଉଛି।

ସମ୍ବନ୍ଧିତ ଖବର