ସୁରକ୍ଷାକର୍ମୀଙ୍କୁ ଲୁହାରଡ୍‌ରେ ପିଟିଲେ, ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

ସିସିଟିଭିରେ ଆକ୍ରମଣର ଫୁଟେଜ୍

ଭୁବନେଶ୍ବର: ରାଜଧାନୀରେ ଜାରି ରହିଛି ଅପରାଧୀଙ୍କ ଆତଙ୍କ। ଗୋଟିଏ ପଟେ ଚୋର, ଲୁଟେରା ପୁଲିସର ନିଦ ହଜାଇ ଦେଇଥିବା ବେଳେ ଅନ୍ୟପଟେ ଅସାମାଜିକ ଖେଳାଇ ଚାଲିଛନ୍ତି ଆତଙ୍କ। ଖଣ୍ଡଗିରି ଥାନା ଜାଗମରାରେ ଗତକାଲି ବିଳମ୍ବିତ ରାତିରେ ଜଣେ ସୁରକ୍ଷା କର୍ମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁରକ୍ଷା କର୍ମୀ ଏସ୍.ଏସ୍ ବାହିନୀପତି ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଦୁର୍ବୃତ୍ତ ତାଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ୍ ଓ ୮୦୦ ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି। ପୂରା ଘଟଣା ସିସିଟିଭିରେ କଏଦ ହୋଇ ରହିଛି। ଆକ୍ରମଣକାରୀ ଦୁଇ ଭାଇ ବୋଲି ପୁଲିସ ଜାଣିବାକୁ ପାଇଛି।

ମିଳିଥିବା ସୂଚନା ଅନୁସାରେ, ସୁରକ୍ଷାକର୍ମୀ ଶ୍ରୀ ବାହିନୀପତି ଜାଗମରାରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ଗତରାତିରେ ସେ ଡ୍ୟୁଟି କରୁଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ସେହି ସଂସ୍ଥାକୁ ଲାଗି ଥିବା ପଡ଼ିଆ ନିକଟରେ ବସିଥିଲେ। ଦୁଇ ଜଣ ଯୁବକ ଏକ ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ସେମାନେ ବାହିନୀପତିଙ୍କୁ ମଦ ପିଇବା ଲାଗି ୨ଶହ ଟଙ୍କା ମାଗିଥିଲେ। କିନ୍ତୁ ସେ ମନା କରିବାରୁ ଦୁଇ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିବା ସହ ଜଣେ ଲୁହାରଡ୍‌ରେ ପିଟିଥିଲେ। ଆକ୍ରମଣରେ ସୁରକ୍ଷା କର୍ମୀଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଦୁର୍ବୃତ୍ତ ତାଙ୍କ ପକେଟରୁ ମୋବାଇଲ ଫୋନ୍ ଓ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ସେଠାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀ ଆହତ ସୁରକ୍ଷା କର୍ମୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଏ ସଂକ୍ରାନ୍ତରେ ଖଣ୍ଡଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର