ପରବିନ୍ଦର୍‌ଙ୍କୁ ଆକ୍ରମଣ ଘଟଣା ଅଧିକ ରହସ୍ୟମୟ ହେଉଛି

ଚାର୍ଜସିଟ୍‌ ଦାଖଲ, ଅଭିଯୁକ୍ତମାନଙ୍କ ବିରୋଧରେ ୩୦୭ଦଫା ଲଗାଇବା ଦାବିରେ ଗୁରଦ୍ବାରା ସମ୍ମୁଖରେ ବିକ୍ଷୋଭ
ଭୁବନେଶ୍ବର : ଶିଖ୍‌ ଯୁବକ ପରବିନ୍ଦର୍‌ ପାଲ ସିଂହଙ୍କୁ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାର ୩ ଅଭିଯୁକ୍ତଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନା ପୁଲିସ ଆଜି କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ୪୫ ପୃଷ୍ଠା ସମ୍ବଳିତ ଏହି ପ୍ରାଥମିକ ଚାର୍ଜସିଟ୍‌ରେ କେଉଁମାନେ ଅଭିଯୁକ୍ତ, କେଉଁ ପରିସ୍ଥିତି‌ରେ ସେମାନେ ପରବିନ୍ଦରଙ୍କୁ ଆକ୍ରମଣ କଲେ, ସାକ୍ଷ୍ୟମାନଙ୍କ ନାଁ ଆଦି ପ୍ରଦାନ କରାଯାଇଛି। ପିସିଆର୍‌ କର୍ମଚାରୀମାନଙ୍କୁ ସାକ୍ଷୀ ଭାବେ ପୁଲିସ ଉପସ୍ଥାପନ କରିଛି।

ଏ ସମ୍ପର୍କରେ ଘଟଣା ଦିନ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଯେ ଘଟଣାକୁ ପୁଲିସ ଅତ୍ୟନ୍ତ ଗୁରୁତ୍ବର ସହ ନେଇଛି। ୩ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରାଯିବ। ତଦନୁଯାୟୀ ଆଜି ତଦନ୍ତକାରୀ ଅଫିସର୍‌ କୋର୍ଟ‌‌‌ରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ଏହାଛଡ଼ା ସିସିଟିଭି ଫୁଟେଜ, ପରବିନ୍ଦରଙ୍କ ଚିକିତ୍ସା କରାଯାଇଥିବା ଚିକିତ୍ସା ରିପୋର୍ଟ ଆଦି ପ୍ରଦାନ କରାଯାଇଛି। ଏହାଦ୍ବାରା ପରବିନ୍ଦରଙ୍କ ମାମଲା କୋର୍ଟରେ ଖୁବ୍ ଶୀଘ୍ର ଶୁଣାଣି ଆରମ୍ଭ ହୋଇପାରିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ପରବିନ୍ଦର କେମିତି ଶୀଘ୍ର ନ୍ୟା୍ୟ ପାଇ‌ବେ, ସେ ଦିଗରେ ପୁଲିସ ଯତ୍ନବାନ ବୋଲି ପୁଲିସ କମିସନର୍‌ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପରବିନ୍ଦରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଶିଖ୍ ସମ୍ପ୍ରଦାୟ ନିନ୍ଦା କରିଛି। ଆଜି ସଂଧ୍ୟାରେ ଗୁରୁଦ୍ବାରା ସମ୍ମୁଖରେ ଶିଖ୍ ସମ୍ପ୍ରଦାୟ ପୁରୁଷ ଓ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଦାବି କରିଥିଲେ, ପରବିନ୍ଦରଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ କୋହଳ ଦଫା ଲଗାଇ ଥିବାରୁ ସମସ୍ତେ ତୁରନ୍ତ ଜାମିନ ପାଇ ଯାଇଛନ୍ତି। ତେଣୁ ଅଭିଯୁକ୍ତମାନଙ୍କ ବିରୋଧରେ ଦଫା ୩୦୭ ଲଗାଯାଉ। ସେହିପରି ସେମାନେ କହିଛନ୍ତି, ଶିଖ୍‌ମାନଙ୍କ ପଗଡ଼ି ହେଉଛି ସେମାନଙ୍କ ସ୍ବାଭିମାନ। ପରବିନ୍ଦରଙ୍କ ଆକ୍ରମଣ ବେଳେ ଯେଉଁଭଳି ଢଙ୍ଗରେ ତାଙ୍କ ପଗଡ଼ି ତଳେ ପକାଇ ଆକ୍ରମଣ କରାଗଲା, ତାହା ସମ୍ପ୍ରଦାୟ ପ୍ରତି ଅପମାନ। ଏଥିପାଇଁ ସେମାନେ କ୍ଷମା ମାଗିବା ଆବଶ୍ୟକ। ସେହିପରି ପୂର୍ବତନ ଡିଜି ପ୍ରକାଶ ମିଶ୍ର ଟୁଇଟର୍‌ରେ ନିଜ ମତ ରଖି କହିଛନ୍ତି, ପରବିନ୍ଦର ପାଲ୍‌ ସିଂ ଘଟଣା ଧୀରେ ଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଆଶା କରୁଛି, ପୁଲିସ ଚାପରେ ନ ଆସି ଏହି ଘଟଣାକୁ ନିରପେକ୍ଷ ଭାବେ ତଦନ୍ତ କରି ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଆଶଙ୍କାକୁ ଶୀଘ୍ର ଦୂର କରିବେ।

ସମ୍ବନ୍ଧିତ ଖବର