ରାତି ଅଧରେ ପରବିନ୍ଦରଙ୍କ ଘରକୁ ବିଧାୟକ, ପୁଲିସ ଡିଏସ୍ପିଙ୍କ ଯିବା ନେଇ ଚର୍ଚା
ଶିଖ୍ ପ୍ରତିନିଧି ବୋର୍ଡ କହିଲା ପୁଲିସ ତଦନ୍ତ ସନ୍ତୋଷଜନକ
ଭୁବନେଶ୍ବର : ପରବିନ୍ଦର ସିଂହ ପାଲଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ଜଟିଳ ହେବାରେ ଲାଗିଛି। ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ହେବାର ମାତ୍ର କେଇ ଘଣ୍ଟା ଜାମିନ୍ ମିଳିଯିବା ଏବଂ ପରବିନ୍ଦର ଓ ତାଙ୍କ ପରିବାରକୁ ସାନ୍ତ୍ବନା ଦେବା ନାଁରେ ବିଳମ୍ବିତ ରାତିରେ ସ୍ଥାନୀୟ ବିଧାୟକ ତାଙ୍କ ଘର କବାଟ ବାଡ଼େଇବା ଘଟଣାକୁ ନେଇ ଜୋରଦାର ଚର୍ଚା ଚାଲିଛି।
ଏହି ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଜେନା ଏବଂ ତାର ଦୁଇ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତିଙ୍କୁ ସେହି ଦିନ ଜାମିନ ମିଳିଯିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରବିନ୍ଦର। ପୁଲିସର ତଦନ୍ତକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଯେ ଯୁବକମାନେ ମୋତେ ଯେଉଁ ଭଳି ଢଙ୍ଗରେ ଆକ୍ରମଣ କରିଥିଲେ, ପୁଲିସ ୩୦୭ ଦଫା ଲଗାଇଥା’ନ୍ତା? ପୁଲିସ ସମ୍ମୁଖରେ ଇଟାରେ ମୋ’ ମୁଣ୍ଡକୁ ଆକ୍ରମଣ କରାଗଲା। କିନ୍ତୁ ପୁଲିସ କୋହଳ ଦଫା ଲଗାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କଲା। ଫଳରେ ଅଭିଯୁକ୍ତମାନେ ମାତ୍ର କେଇ ଘଣ୍ଟା ମଧ୍ୟରେ ଜାମିନ୍ ପାଇବାକୁ ସକ୍ଷମ ହେଲେ। କେଉଁଠି ନା କେଉଁଠି ପୁଲିସର ତଦନ୍ତରେ ତ୍ରୁଟି ରହିଛି। ନଚେତ୍ ପୁଲିସ ଚାପରେ ପଡ଼ି ଏଭଳି କରିଛି ବୋଲି ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ପରବିନ୍ଦର କହିଛନ୍ତି।
ପରବିନ୍ଦରଙ୍କ କହିବା ଅନୁଯାୟୀ, ଗତରାତିରେ ଅତିରିକ୍ତ ପୁଲିସ କମିସନର୍ ଅନୁପ ସାହୁ ଘରକୁ ଆସି କେତେ ସୁନ୍ଦର କଥା କହିଥିଲେ। ଆଶ୍ବସନା ଦେଇଥିଲେ, ବିଶ୍ବାସ ରଖ ତୁମର କିଛି ହେବ ନାହିଁ। କିନ୍ତୁ ଆଜି ସକାଳୁ ଶୁଣିଲି, ଅଭିଯୁକ୍ତମାନଙ୍କୁ ଜାମିନ୍ ମିଳି ଯାଇଛି। ଏ କି’ ପ୍ରକାର ନ୍ୟାୟ? ବୋଲି ପରବିନ୍ଦର ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ଗତକାଲି ଅଭିଯୁକ୍ତମାନଙ୍କ ଜାମିନ୍ ମିଳିଯିବା ପରେ ଆଜି ପରବିନ୍ଦର ଘର ଓ ପରିବାରଲୋକଙ୍କୁ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ପରବିନ୍ଦରଙ୍କ ଘର ସମ୍ମୁଖରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଏଭଳି ପରିସ୍ଥିତିରେ ଆଜି ସକାଳୁ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଖୋର୍ଧା ପୁଲିସର ଡିଏସ୍ପି ଅନୁପ କାନୁନ୍ଗୋ, ଗୁରୁଦ୍ବାରା କମିଟି ପକ୍ଷରୁ ସତପାଲ ସିଂହ ପ୍ରମୁଖ ପରବିନ୍ଦରଙ୍କ ଘରକୁ ଯିବା ନେଇ ଜୋରଦାର ଚର୍ଚ୍ଚା। ଏହାର ଦୃଶ୍ୟ ସିସି କ୍ୟାମେରାରେ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ପରବିନ୍ଦରଙ୍କ ପତ୍ନୀ କମଲଜିତ କହିଛନ୍ତି ଯେ ଗତକାଲି ରାତି ୧ଟା ବେଳେ କିଛି ଲୋକ ଆସି କବାଟ ବାଡ଼େଇଥିଲେ। କିନ୍ତୁ ଭୟରେ ଆମେ କବାଟ ଖୋଲି ନ ଥିଲୁ। ଆଜି ସେହିମାନେ ପୁଣି ଥରେ ସକାଳୁ ସକାଳୁ ଆସିଥିଲେ। ଆଶ୍ବସନା ଦେଇ କହିଥିଲେ, ତୁମର କିଛି ହେବ ନାହିଁ, ଆମେ ଅଛୁ, ଧୈର୍ଯ୍ୟ ଧର।
/sambad/media/post_attachments/wp-content/uploads/2020/01/sikh_2.jpg)
ତେବେ ଏ ସମ୍ପର୍କରେ ବିଧାୟକ ଶ୍ରୀ ଜେନା କହିଛନ୍ତି ଯେ ଦିନସାରା କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲି। ପରବିନ୍ଦର ମୋ ନିର୍ବାଚନମଣ୍ଡଳୀ ଲୋକ। ବିଧାୟକ ହିସାବରେ ମୁଁ ତାଙ୍କୁ ସାକ୍ଷାତ କରିବାକୁ ଯାଇଥିଲି। ମୁଁ ତାଙ୍କୁ ଆଶ୍ବାସନା ଦେଇଛି। ତେବେ ବିଧାୟକ ଶ୍ରୀ ଜେନାଙ୍କ ଏଭଳି କଥାକୁ ଗ୍ରହଣ କରି ପାରୁନାହିଁ ବିଜେପି। ବିଜେପି ନେତା ଜଗନ୍ନାଥ ପ୍ରଧାନ, ଲେଖାଶ୍ରୀ ସାମନ୍ତରାୟ ପ୍ରମୁଖ ଆଜି ସକାଳୁ ପରବିନ୍ଦରଙ୍କ ପରିବାର ନିକଟକୁ ଯାଇ ଆଶ୍ବାସନା ଦେଇଛନ୍ତି। ଉଭୟ ଗଣମାଧ୍ୟମକୁ କହିଛନ୍ତି ଯେ ଅଣ୍ଡା ପକାଇଲେ ପୁଲିସ ୩୦୭ଦଫା ଲଗାଉଛି। ଅଭିଯୁକ୍ତମାନେ ଦୁଇ ମାସ ଜେଲ୍ରେ ରହୁଛନ୍ତି। କିନ୍ତୁ ଇଟାରେ ଛେଚିଲେ, ପୁଲିସ ମାମୁଲି ଦଫା ଲଗାଉଛି।
ସେହିପରି କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ଓ ସନ୍ତୋଷ ସିଂହ ସାଲୁଜା ମଧ୍ୟ ପୁଲିସ ଉପରେ ବର୍ଷିଛନ୍ତି। ସୁରେଶ ରାଉତରାୟ କହିଛନ୍ତି ଯେ ରାଜଧାନୀରେ ଆଇନକାନୁନ ବିଗିଡ଼ି ଗଲାଣି। ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। କେଉଁ ପରିସ୍ଥିତିରେ ମଧ୍ୟ ବିଧାୟକ ଶ୍ରୀ ଜେନା ଅଭିଯୋଗକାରୀଙ୍କ ଘରକୁ ଯାଇଥିଲେ, ତା’ର ତଦନ୍ତ ହେଉ। ଅପରାହ୍ଣରେ ଓଡ଼ିଶା ଶିଖ୍ ପ୍ରତିନିଧି ବୋର୍ଡ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ପୁଲିସର କାର୍ଯ୍ୟାନୁଷ୍ଠାନ ସନ୍ତୋଷଜନକ। ବିଧାୟକ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ପରବିନ୍ଦରଙ୍କ ଘରକୁ ଯାଇ ତାଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ଦେଇଛନ୍ତି। କିଛି ଲୋକ ଏହାକୁ ପୁରୀର ମଙ୍ଗୁ ମଠ ଭଙ୍ଗା ସହିତ ଯୋଡ଼ି ରାଜନୀତି କରୁଛନ୍ତି। କିନ୍ତୁ ମଙ୍ଗୁ ମଠ ସହ ଏହି ଘଟଣାର କୌଣସି ସମ୍ପର୍କ ନାହିଁ ବୋଲି ଶିଖ ବୋର୍ଡ ପ୍ରତିନିଧି ଜଣାଇଛନ୍ତି।
ଅନ୍ୟପଟରେ ପରବିନ୍ଦର କହିଛନ୍ତି, ଶିଖ୍ ପ୍ରତିନିଧି ବୋର୍ଡ ମୋ ବିଷୟରେ ମତାମତ ଦେବାକୁ କିଏ? ମୁଁ ଯନ୍ତ୍ରଣା ଭୋଗୁଥିବା ବେଳେ ଥରୁଟିଏ ବି ସେମାନେ ମୋତେ ଆଶ୍ବାସନା ଦେବାକୁ ଆସିନାହାନ୍ତି। ଏବେ ପୁଲିସ ଓ ସରକାରଙ୍କ ପ୍ରତିନିଧି ସାଜି ଆସି ମୋ ସଂପର୍କରେ ମତାମତ ରଖୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Parveender-Asking-About-Police-Investigation_Thumbnail.jpg)