ଯୁବକଙ୍କୁ ଇଟାରେ ଛେଚିଦେଲେ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଗୋପୀନାଥପାଟଣା ଗ୍ରାମର ବଳରାମ ପୃଷ୍ଟି (୩୦) ନାମକ ଜଣେ ଯୁବକଙ୍କୁ ଆଜି ଅପରାହ୍ଣରେ ସ୍ଥାନୀୟ ଚାରିମାଣିଆ ଗ୍ରାମର ଦୁଇଜଣ ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଯୁବକଦ୍ବୟ ତାଙ୍କୁ ଇଟାରେ ଛେଚି ଦେଇଛନ୍ତି। ଏ ନେଇ ବଳରାମ ଚାରିମାଣିଆ ଗ୍ରାମର ଉମାକାନ୍ତ ଓ ପପୁଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରିବାର ଲୋକ ବଳରାମଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ତାଙ୍କ ସାନ ଭାଇ ବିଷ୍ଣୁ ଚରଣ ପୃଷ୍ଟି କହିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଜାମୁତୋଟାସ୍ଥିତ ଏକ ଘରୋଇ ସ୍କୁଲ ସମ୍ମୁଖରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ହମ୍ପ୍‌ସ ନିର୍ମାଣ ହୋଇଛି। ଆଜି ଅପରାହ୍ଣ ସାଢ଼େ ଗୋଟାଏ ସମୟରେ ଉମାକାନ୍ତ ବାଇକ ନେଇ ଏହି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡ଼ିଥିଲେ। ଏଭଳି ହମ୍ପ୍‌ସ ନିର୍ମାଣକୁ ବିରୋଧ କରି ଉମାକାନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ବଳରାମ ଓ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ହେଲେ ଉମାକାନ୍ତ ଓ ପରେ ସେଠାରେ ପହଞ୍ଚିଥିବା ପପୁ ଉତ୍ତ୍ୟକ୍ତ ହୋଇ ବଳରାମଙ୍କୁ ମାଡ଼ ମାରିବା ସହ ଇଟାରେ ଛେଚି ପକାଇଥିଲେ।

ସମ୍ବନ୍ଧିତ ଖବର