ଖଣ୍ଡଗିରି: ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିରେ କଲେଜ ଅଫ୍ ଇଂଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି(ସିଇଟି)ରେ ଅନଶନରତ ଛାତ୍ରମାନଙ୍କୁ ଆଜି ଆକ୍ରମଣ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଅନଶନକୁ ଭଣ୍ଡୁର କରିବା ପାଇଁ କିଛି ଅଣଛାତ୍ର ଗଣ୍ଡଗୋଳ କରିବା ସହ ଧାରଣାସ୍ଥଳରେ ତମ୍ବୁକୁ ଭଙ୍ଗାରୁଜା କରିଛନ୍ତି। ଆକ୍ରମଣକାରୀମାନଙ୍କ ପରିଚୟ ମିଳିନାହିଁ। ପୁଲିସ ଏହାର ତଦନ୍ତ ଆରମ୍ଭ କରୁଛି। ଅଭିଯୋଗ ଅନୁସାରେ ଗତକାଲି ଅନଶନ କରୁଥିବା ୩ ଜଣ ଛାତ୍ର ଅସୁସ୍ଥ ହୋଇ ମେଡିକାଲରେ ଭର୍ତି ହୋଇଥିବା ସତ୍ୱେ ଅନଶନ ଜାରି ରହିଥିଲା। ଆଜି ସକାଳେ ପ୍ରାୟ ୩୦/୪୦ ଜଣ ଯୁବକ ଧାରଣାସ୍ଥଳରେ ପହଞ୍ଚି ଅନଶନରେ ବସିଥିବା ଛାତ୍ରମାନଙ୍କୁ ଗାଳିକରିବା ସହ ତମ୍ବୁ ଭଙ୍ଗାରୁଜା କରିଥିଲେ। ପ୍ରତିବାଦ କରିବାରୁ ସେମାନେ ଅନଶନରେ ବସିଥିବା ଛାତ୍ରମାନଙ୍କୁ ଧକ୍କା ମାରି ସେଠାରୁ ହଟାଇ ଦେଇଥିଲେ। ସେତେବେଳେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଛାତ୍ର ଦିବ୍ୟରଂଜନ ବିଶ୍ୱାଳ ଘଟଣାସ୍ଥଳରେ ନଥିଲେ। ଗଣ୍ଡଗୋଳକାରୀମାନେ ଦିବ୍ୟରଂଜନଙ୍କୁ ଖୋଜିଥିଲେ। ମାତ୍ର ତାଙ୍କୁ ନ ପାଇ ସେ ଅନ୍ୟମାନଙ୍କୁ ଧମକ ଦେଇଥିଲେ। ଦିବ୍ୟରଂଜନଙ୍କ କଥାରେ ପରିଚାଳିତ ହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇ ପଳାଇଥିଲେ। ଏ ନେଇ ଦିବ୍ୟରଂଜନ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଗଣ୍ଡଗୋଳ ପରେ ଛାତ୍ରମାନେ କଲେଜ ମୁଖ୍ୟ ଫାଟକ ନିକଟରୁ ଉଠି ଏବେ ଅଧ୍ୟକ୍ଷଙ୍କ ଅଫିସ ସମ୍ମୁଖରେ ବସିଛନ୍ତି। ଏ ସବୁ ଘଟିବା ସତ୍ୱେ ଶିକ୍ଷା ବିଭାଗର କୌଣସି ଅଧିକାରୀ ସେମାନଙ୍କ ସହ ଆଲୋଚନା କରିନଥିବାରୁ ଛାତ୍ରମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସିଇଟିରେ ଅନଶନରତ ଛାତ୍ରଙ୍କୁ ଆକ୍ରମଣ ଅଭିଯୋଗ
/sambad/media/post_attachments/wp-content/uploads/2018/03/cet-bhubaneswar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)