ବାଲି ଚୋରାଚାଲାଣକୁ ନେଇ ଉତ୍ତେଜନା: ତହସିଲଦାରଙ୍କୁ ଆକ୍ରମଣ କଲେ ହାଇୱା ମାଲିକ

ବାଲିପାଟଣା: ବାଲିପାଟଣା ତହସିଲ ଅଧୀନରେ ପ୍ରତ୍ୟେକ ଦିନ ଟ୍ରିପ ଟ୍ରିପ ବାଲି ଚୋରା ଚାଲାଣ ହେଉଛି।  ବିଭିନ୍ନ ସମୟରେ ତହସିଲ ପକ୍ଷରୁ ଚଢଉ କରାଯାଉଛି। ଆଜି ସକାଳୁ ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ଏବଂ ଟିମ ଏକ ବାଲି ବୋଝେଇ ହାଇୱାକୁ ଅଟକାଇ ଚାଲାଣ ଫର୍ମ ମାଗିଥିଲେ | ହାଇୱା ଡ୍ରାଇଭର ଭୁଲ ଚାଲାଣ ଦେଖାଇଥିଲା। ତହସିଲଦାର ଗାଡ଼ିକୁ ରୋକିବା ପାଇଁ ଟିମକୁ ନିର୍ଦେଶ ଦେଇଥିଲେ।


ଏହି ସମୟରେ ହାଇୱା ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଚକମା ଦେଇ ଚମ୍ପଟ ମାରିଥିଲା।  ତହସିଲ ଟିମ ଗାଡ଼ିର ପିଛା କରିଥିଲେ। ବାଲିପାଟଣା ଛଣାହଟ୍ଟା ଛକରେ ହାଇୱାକୁ ପୁଣି ଅଟକାଇବାକୁ ଚେଷ୍ଟା କରିଥିଲେ। ସେଠାରେ ଗାଡ଼ି ମାଲିକ ପହଞ୍ଚି ତହସିଲ ଗାଡ଼ି ଆଗରେ ନିଜ ସ୍କୁଟିକୁ ରଖି ରାସ୍ତା ଅବରୋଧ କରିଥିଲେ। ଏହାରି ସୁଯୋଗ ନେଇ ଡ୍ରାଇଭର ଗାଡ଼ି ନେଇଯାଇଥିଲା ।

ହାଇୱା ମାଲିକଙ୍କ ଗୁଣ୍ଡାଗର୍ଦ୍ଦିକୁ ଭ୍ରୁକ୍ଷେପ ନ କରି ତହସିଲ ସ୍କ୍ୱାର୍ଡ଼ ଏବଂ ପୁଲିସ ବାଲି ଗାଡ଼ି ପିଛା କରିଥିଲେ। ବେଙ୍ଗବତୀ ନିକଟରେ ହାଇୱାକୁ ଜବତ କରିଥିଲେ। ଗାଡ଼ି ମାଲିକ ତହସିଲଦାରଙ୍କୁ ଆକ୍ରମଣ କରି ଡ୍ରାଇଭରକୁ ଫେରାର କରିଦେଇଥିଲେ। ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ବାଲିପାଟଣା ଆଇଆଇସି କୃପାସିନ୍ଧୁ ବରାଡ଼ ସଦଳବଳେ ପହଞ୍ଚି ତହସିଲଦାରଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରେ ପୁଲିସ ଓ ତହସିଲ ଟିମ ଜଗି ରହିଛି।  ଏନେଇ ତହସିଲଦାର ଶ୍ରୀ ତ୍ରିପାଠୀ ଗାଡ଼ି ମାଲିକଙ୍କ ସମେତ ୩ ଜଣଙ୍କ ନାଁରେ ଥାନାରେ ଏତଲା ଦେଵେ ବୋଲି କହିଛନ୍ତି। ପ୍ରଶାସନ କାମରେ ବିରୋଧ ପ୍ରଦର୍ଶନକୁ ସାଧାରଣରେ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର