କୋର୍ଟରେ ମହିଳା ଆଇନଜୀବୀଙ୍କୁ ପିଟିଲେ ଅଭିଯୋଗକାରୀ

ଭୁବନେଶ୍ବର : ରବିବାର ଅପରାହ୍‌ଣରେ ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟରେ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି। ଏକ ଠକେଇ ଓ ଚୋରି ଅଭିଯୋଗରେ ଜଣେ ମହିଳା ଅଭିଯୁକ୍ତଙ୍କ ଜାମିନ୍‌ ଖାରଜ ହୋଇଯିବାରୁ ତାଙ୍କ ପରିବାର ଲୋକେ ଜଣେ ମହିଳା ଆଇନଜୀବୀଙ୍କୁ ମାଡ଼ ମାରିଛନ୍ତି। ଢେର୍ କିଛି ସମୟ ଧରି ଅଭିଯୁକ୍ତର ସଂପର୍କୀୟ ହୋ ହଲ୍ଲା କରିଥିଲେ। ଏହାପରେ ଅଭିଯୁକ୍ତ ମହିଳାଙ୍କ ପୁଅ ଅଭିଯୋଗକାରୀ ମହିଳା ଆଇନଜୀବୀଙ୍କୁ ମାଡ଼ ମାରିଥିଲେ। ଶେଷରେ ଆଇନଜୀବୀମାନେ ଘଟଣାର ହସ୍ତକ୍ଷେପ କରି ମହିଳା ଆଇନଜୀବୀଙ୍କୁ ଉଦ୍ଧାର କରିବା ସହିତ ଯୁବକଙ୍କୁ କାବୁ କରିବା ପରେ ପରିସ୍ଥିତିରେ ନିୟନ୍ତ୍ରଣ ହୋଇଥିଲା। ଅପରପକ୍ଷରେ ଯେଉଁଠି ନ୍ୟାୟ ପାଇଁ ପ୍ରତିଦିନ ମାଳ ମାଳ ଲୋକେ ଦ୍ବାରସ୍ଥ ହେଉଛନ୍ତି, ସେଠାରେ ଏଭଳି ଘଟଣା ଘଟିବାକୁ ନେଇ ଆଇନଜୀବୀମାନେ ନାପସନ୍ଦ କରିଛନ୍ତି।

ଖବର ଅନୁଯାୟୀ, ଅଭିଯୋଗକାରୀ ରୀତାଞ୍ଜଳି ସାହୁ(୩୯) ପେଶାରେ ଜଣେ ଆଇନଜୀବୀ। ଗତ ବର୍ଷ ଫେବ୍ରୁଆରିରେ ରୀତାଞ୍ଜଳିଙ୍କୁ ବିନୋଦିନୀ ପଣ୍ଡା ଏକ ଦୋକାନ ବିକ୍ରି କରିବାକୁ କହି ତାଙ୍କ ପାଖରୁ ୯ଲକ୍ଷ ଟଙ୍କା ନେଇ ଚୁକ୍ତି କରିଥିଲେ। ଚୁକ୍ତି ପରେ ବିନୋଦିନୀ ଆଇନଜୀବୀ ରୀତାଞ୍ଜଳିଙ୍କୁ ଆଉ ଧରାଛୁଆଁ ଦେଇନଥିଲେ। ତେଣୁ ବାଧ୍ୟ ହୋଇ ରୀତାଞ୍ଜଳି ଦୋକାନ ନେବା ପରିବର୍ତ୍ତେ ଟଙ୍କା ଫେରସ୍ତ କହିବାକୁ କହିଥିଲେ। ରୀତାଞ୍ଜଳି ଟଙ୍କା ଫେରସ୍ତ ପାଇଁ ବିନୋଦିନୀଙ୍କ ପାଖକୁ ଯାଇଥିବା ବେଳେ ସେ ଟଙ୍କା ବଦଳରେ ଦୋକାନ କାଗଜପତ୍ର କରାଇବ କହି ଅଟୋରେ ବସାଇ ତାଙ୍କୁ ନେଇଥିଲେ। କ୍ୟାପିଟାଲ ହସ୍ପିଟାଲ ନିକଟରେ ଅଟୋ ଯାଉଥିବା ବେଳେ ବିନୋଦିନୀ ମାଡ଼ ମାରି ତାଙ୍କ ବେକରୁ ମଙ୍ଗଳସୂତ୍ର ଓ ସୁନା ଚେନ୍ ଛଡ଼ାଇ ଅଟୋରୁ ଠେଲି ଦେଇ ପଳାଇଥିଲେ। ପରେ ଏନେଇ କ୍ୟାପିଟାଲ୍ ଥାନାରେ ରୀତାଞ୍ଜଳିଙ୍କ ଅଭିଯୋଗକ୍ରମେ ପୁଲିସ ଘଟଣାର ତଦନ୍ତ କରି ଆଜି ବିନୋଦିନୀଙ୍କୁ ଗିରଫ କରିଥିଲା।

ରବିବାର ଦିନ ପୁଲିସ ବିନୋଦିନୀଙ୍କୁ କୋର୍ଟରେ ହାଜର କରାଇଥିବା ବେଳେ ତାଙ୍କ ପୁଅ ଓ ପରିବାର ଲୋକେ ଜାମିନ ଆବେଦନ କରିବା ପାଇଁ କୋର୍ଟକୁ ଆସିଥିଲେ। ହେଲେ ବିନୋଦିନୀଙ୍କ ଜାମିନ୍ କୋର୍ଟ ଖାରଜ କରିଥିଲେ। କୋର୍ଟରୁ ରୀତାଞ୍ଜଳି ବାହାରକୁ ଯାଉଥିବା ବେଳେ ବିନୋଦିନୀଙ୍କ ପୁଅ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଧକ୍କା ମାରିଥିଲା। ଏନେଇ ରୀତାଞ୍ଜଳି ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର