ଭୁବନେଶ୍ବର: ନୂଆପଲ୍ଲୀ ରେସିଡେନ୍ସିଆଲ ଅଞ୍ଚଳରେ ୭୦ ବର୍ଷୀୟ ମହିଳାଙ୍କୁ ଘରେ ପଶି ଛୁରା ମାଡ଼ ଘଟଣାରେ ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଛାନ୍ଭିନ୍ କରିଛି। ପୂର୍ବାହ୍ନ ୧୧ଟା ବେଳେ ଟିମ୍ ଦୀର୍ଘ ଏକ ଘଣ୍ଟା ଧରି ଘଟଣାସ୍ଥଳରୁ ରକ୍ତ ନମୁନା ସହ ସିଡ଼ି ଓ ଅନ୍ୟାନ୍ୟ ଜାଗାରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି। ଅପରାଧୀ ଆସିବା ଓ ଫେରିବା ରାସ୍ତାରୁ ମଧ୍ୟ ପଦ ଚିହ୍ନ ମାପଚୁପ କରିଛି। ସାଇଣ୍ଟିଫିକ୍ ଟିମ୍ ସହ ନୂଆପଲ୍ଲୀ ଥାନା ଆଇଆଇସି ଓ ଜୋନ୍ ଏସିପି ମଧ୍ୟ ଭଡ଼ାଟିଆ ଓ କେୟାର ଟେକରଙ୍କୁ ପଚରା ଉଚରା କରିଛନ୍ତି।
ଅନ୍ୟପଟେ ଘଟଣାକୁ କମିସନରେଟ୍ ପୁଲିସ ଗୁରୁତର ସହ ନେଇଥିବା କହିଛନ୍ତି ନବନିଯୁକ୍ତ ଡିସିପି ଉମାଶଙ୍କର ଦାଶ। ସେ କହିଛନ୍ତି, ଘଟଣାର ତଦନ୍ତ ପାଇଁ ନୂଆପଲ୍ଲୀ ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍କୁ ନେଇ ଦୁଇଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିବ। ଅନ୍ୟ ଟିମ୍ଟି ଆଧୁନିକ ଜ୍ଞାନ କୌଶଳ ଖଟାଇ ମାମଲାର ଅନୁସନ୍ଧାନ କରିବ। ଘଟଣା ଘଟିବା ସମୟରେ କେଉଁ କେଉଁ ମୋବାଇଲ ନମ୍ବର ସକ୍ରିୟ ଥିଲା ଏହି ଟିମ୍ ତାହାର ଅନୁସନ୍ଧାନ କରୁଛି। ପାଖରେ ଥିବା ସିସିଟିଭି ଫୁଟେଜ୍ ମଧ୍ୟ ସଂଗ୍ରହ କରାଯାଉଛି। ଏହି ଗଳିକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ରହିଥିବା ସମସ୍ତ ରାସ୍ତାରେ ଯାଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଯଦି କେହି ଅପରାଧୀଙ୍କ ସମ୍ବନ୍ଧରେ ଜାଣିଥାନ୍ତି ତେବେ ଡାଏଲ-୧୦୦ରେ ସୂଚନା ଦେବାକୁ ସେ ଅନୁରୋଧ କରିଛନ୍ତି। ସେହିଭଳି ଭିଜିଲାନ୍ସ ଡିଏସ୍ପିଙ୍କୁ ବନ୍ଧୁକ ମୁନରେ ଲୁଟ୍ ଘଟଣାର ଅନୁସନ୍ଧାନ ମଧ୍ୟ ଏହି ଦୁଇ ଟିମ୍ କରୁଛି। ସିସିଟିଭି ଫୁଟେଜ୍ରୁ ସେହି ସମୟରେ ଯାଇଥିବା ସମସ୍ତ ଗାଡ଼ିର ନମ୍ବରକୁ ନେଇ ମାଲିକାନା ଯାଞ୍ଚ କରାଯାଉଛି। କେତେକ ପୋସାଦାର ଅପରାଧୀଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଘରଭଡ଼ା ବାହାନାରେ ଆକ୍ରମଣ
ଗତକାଲି ପୂର୍ବାହ୍ନ ୧୦ଟା ବେଳେ ମହର୍ଷି ପବ୍ଲିକ୍ ସ୍କୁଲ ସମ୍ମୁଖ ଏନ୍/୪-୨୬୩ରେ ରହୁଥିବା ଚକ୍ରପାଣି ମିଶ୍ରଙ୍କ ପତ୍ନୀ ତୁଳସୀ ଦେଈଙ୍କୁ ଦୁର୍ବୃତ୍ତ ଛୁରାମାଡ଼ କରି ସୁନା ଗହଣା ଲୁଟି ନେଇଥିଲେ। ତାଙ୍କ ଶରୀରରେ ୫ରୁ ୬ଟି ଜାଗାରେ ଗଭୀର କ୍ଷତ ହେବା ସହ ମୁଦି ଛଡ଼ାଇ ନେବା ବେଳେ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗି ଯାଇଥିଲା। ସ୍ବାମୀ ବଜାରରୁ ଫେରିବା ପରେ ରକ୍ତାକ୍ତ ଓ ଅଚେତ ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ତାଙ୍କର ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।
ତାଙ୍କ ଘର ସମ୍ମୁଖ ଫାଟକରେ ‘ଟୁ-ଲେଟ୍’ ଲେଖାଯାଇଥିଲା। ତିନିମହଲା ଘରର ଗୋଟିଏ ଫ୍ଲୋର ଖାଲି ଥିଲା। ଏହାକୁ ଭଡ଼ା ଲଗାଇବା ପାଇଁ ସେମାନେ ଚାହୁଥିବାରୁ ‘ଟୁ-ଲେଟ୍’ ଲେଖି ଫୋନ୍ ନମ୍ବର ଦେଇଥିଲେ। ସକାଳ ସାଢ଼େ ନ’ ଟା ବେଳେ ଚକ୍ରପାଣି ବଜାର ଯାଇଥିଲେ। ସେ ଘରୁ ବାହାରିବାର ୧୫ ମିନିଟ୍ ପରେ ଦୁର୍ବୃତ୍ତମାନେ ଘରେ ପଶିଥିଲେ। ପ୍ରଥମ ମହଲାକୁ ଯାଇ ତୁଳସୀଙ୍କୁ ଘର ଭଡ଼ା ବାବଦରେ ପଚାରିଥିଲେ। କିଛି ସମୟ କଥାବାର୍ତ୍ତା ପରେ ସେମାନେ ଅତର୍କିତ ଆକ୍ରମଣ କରିଥିଲେ। ଉପରେ ଥିବା କେୟାର ଟେକର ଗାୟତ୍ରୀ ଜେନା ଦଉଡ଼ି ଆସିବା ବେଳକୁ ତାଙ୍କୁ ଛୁରି ଦେଖାଇ ଗୋଡ଼ାଇଥିଲେ। ଗାୟତ୍ରୀ ଫୋନ୍ କରି ଜଣାଇବା ପରେ ତାଙ୍କ ସ୍ବାମୀ ବଜାରରୁ ଫେରି ମେଡିକାଲ ନେଇଥିଲେ। ଏହି ଦିଗରେ ଏହି ପୁଲିସ ତଦନ୍ତ କରୁଛି। ଘରେ ପଶି ଲୁଟ୍ ହୋଇଥିବା କେତେକ ଘଟଣାରେ ଘର ଫାଟକରେ ଟୁ-ଲେଟ୍ ଲେଖା ହୋଇଥିବା ଦେଖି ଘର ଖୋଜିବା ଆଳରେ ଲୁଟ୍ ହୋଇଥିବା ପୁଲିସ ଜାଣିବାକୁ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/f987h98h7hsfhsfhsfhsfhshsfsfh.jpg)