ଚନ୍ଦ୍ରଶେଖରପୁର: ଘର ଛାଡ଼ି ପଳାଇବାକୁ ଧମକ ଦେଇ ମହିଳାଙ୍କୁ ଆକ୍ରମଣ କଲେ। ଜେସିବି ଲଗାଇ ଗ୍ରିଲ୍‌ ତାଡ଼ିଦେବା ପରେ ପାଚେରି ଭାଙ୍ଗି ପକାଇଲେ। ଘରେ ପଶି ଲୁଟ୍‌ପାଟ୍‌ କଲେ। କଣ୍ଟେନର ରଖି ରାସ୍ତା ଅବରୋଧ କଲେ। ସେମାନଙ୍କ ଆକ୍ରମଣରୁ ମହିଳାଙ୍କ ଘରେ ରହୁଥିବା ଭଡ଼ାଟିଆମାନେ ବି ବର୍ତ୍ତିଲେ ନାହିଁ। ଏମିତି ଥିଲା ଜମିମାଫିଆଙ୍କ ଆତଙ୍କରାଜ। ପଟିଆ ଅଞ୍ଚଳରେ ଅର୍ଥାତ୍ ଖୋଦ ରାଜଧାନୀରେ ପୁଣି ଦିନ ଦିପହରରେ ଜମିମାଫିଆମାନଙ୍କ ଏଭଳି ଗୁଣ୍ଡାଗିରି ଗଭୀର ଆଲୋଡନ ସୃଷ୍ଟି କରିଛି। ଇନ୍‌ଫୋସିଟି ଥାନା ପୁଲିସ ଏହି ମାମଲାରେ ୩ ଭଡ଼ାଟିଆ ଗୁଣ୍ଡାଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ମାଫିଆ ଚନ୍ଦକା ଅଞ୍ଚଳରେ ରହୁଥିବା ଖୋର୍ଦ୍ଧା ବଣିଆଟାଙ୍ଗୀର ମାନସ ସାହୁ, ତମାଣ୍ଡୋ କଳିଙ୍ଗବିହାରରେ ରହୁଥିବା ଖୋର୍ଦ୍ଧା ଜଙ୍କିଆର ଜଗଦୀଶ ପାଟ୍ଟଶାଣୀ ଓ ପଟିଆ ରଥଗଡ଼ା ସାହିର ନିରଞ୍ଜନ ରାଉତ ଓରଫ ନିରୁ। ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରୁ ରାସ୍ତା ଅବରୋଧ ପାଇଁ ରଖାଯାଇଥିବା କଣ୍ଟେନର, ପାଚେରି ଭଙ୍ଗ‌ାରେ ବ୍ୟବହୃତ ଜେସିବି, ଭୁଜାଲି ଆଦି ଜବତ କରିଛି। 

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ କହିଛନ୍ତି ‌ଯେ ପଟିଆ ଅଞ୍ଚଳରେ ରହୁଥିବା ପଦ୍ମାମାଳିନୀ ମହାପାତ୍ରଙ୍କ କିଟ୍‌ ଛକ ନିକଟସ୍ଥ ଜମିକୁ ଦଖଲ କରିବାକୁ ମାଫିଆମାନେ ଲାଗିଥିଲେ। ତେଣୁ ଜମି ଛାଡ଼ିବାକୁ ସେମାନେ ବହୁ ପୂର୍ବରୁ ଧମକ ଦେଇଆସୁଥିଲେ। ଏଥିରେ ମୁଖ୍ୟ ମାଫିଆ ଥିଲା ମାନସ। ସେ ପଟିଆ ଅଞ୍ଚଳର କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତିଙ୍କୁ ହାତ କରି ପଦ୍ମାଙ୍କୁ ଧମକ ଦେଇଆସୁଥିଲା। କିନ୍ତୁ ପଦ୍ମା ସେମାନଙ୍କ ଧମକରେ ଦବିଯାଇନଥିଲେ। ଧମକକୁ ଖାତିର ନ କରୁଥିବା ଦେଖି ମାନସ ବଳପ୍ରୟୋଗ କରିବାକୁ ଯୋଜନା କରିଥିଲା। ୨ ତାରିଖ ଅପରାହ୍ଣ ପ୍ରାୟ ସାଢ଼େ ୧ଟା ବେଳେ ମାନସ ତା’ ସାଙ୍ଗରେ ୧୦/୧୫ଜଣ ଗୁଣ୍ଡାଙ୍କ ସହ ଜେସିବି ଓ କଣ୍ଟେନର ଆଦି ନେଇ ପଦ୍ମାଙ୍କ ଘର ନିକଟରେ ପହଞ୍ଚିଥିଲା। ସେମାନେ ପ୍ରଥମେ ଜେସିବି ଲଗାଇ ତାଙ୍କ ଫାଟକର ଗ୍ରିଲ୍‌ ତାଡ଼ି ଦେଇଥିଲେ। ଏହାପରେ ପାଚେରି ଭାଙ୍ଗି ଦେଇଥିଲେ। ଏହି ସମୟରେ ପଦ୍ମା ମୋବାଇଲ୍‌ରେ ଭିଡିଓ ଉତ୍ତୋଳନ କରିବାରୁ ମାନସ ତାଙ୍କଠାରୁ ମୋବାଇଲ୍‌ ଛଡ଼ାଇନେଇଥିଲା ଏବଂ ଅନ୍ୟମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ।

କିଛି ଭଡ଼ାଟିଆ ପଦ୍ମାଙ୍କୁ ରକ୍ଷା କରିବାକୁ ବାହାରିବାରୁ ଗୁଣ୍ଡାମାନେ ତାଙ୍କୁ ବି ମାଡ଼ ମାରିଥିଲେ। ତୁରନ୍ତ ଭଡ଼ାଘର ଛାଡ଼ିପଳାଇବାକୁ ଧମକ ଦେଇଥିଲେ। ନଚେତ ଶୋଇଥିବା ବେଳେ ଘର ଉପରେ ଜେସିବି ଚଢ଼ାଇ ଦେବେ ବୋଲି ଚେତାବନୀ ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ପଦ୍ମା ତଳେ ପଡ଼ିଥିବା ବେଳେ ମାଫିଆମାନେ ତାଙ୍କ ଘରେ ଲୁଟ୍‌ତରାଜ ଚଳାଇଥିଲେ। ପ୍ରାୟ ଏକ ଘଣ୍ଟା କାଳ ସେମାନେ ଏମିତି ଆତଙ୍କରାଜ ଚଳାଇଥିଲେ ବି ଡରରେ କେହ‌ି ପୁଲିସକୁ ଜଣାଇ ନଥିଲେ। ପଟିଆ ଅଞ୍ଚଳର ଗୁଣ୍ଡାମାନଙ୍କୁ ଦେଖିବା ପରେ ପୁଲିସକୁ ଫୋନ୍‌ କରିବାକୁ କାହ‌ାର ଜୁ’ ନଥିଲା। ଶେଷରେ ମାଫିଆମାନେ ସାଙ୍ଗରେ ଆଣିଥିବା କଣ୍ଟେନର୍‌କୁ ରାସ୍ତାରେ ରଖିଦେଲେ। ପଦ୍ମା ଓ ତାଙ୍କ ଭଡ଼ାଟିଆମାନେ ଯେମିତି ବାହାରକୁ ବାହାରିପାରିବେ ନାହିଁ, ସେହି ଅନୁସାରେ ସେମାନେ କଣ୍ଟେନର ରଖି ରାସ୍ତା ଅବରୋଧ କଲେ। ସେମାନେ ଚାଲିଗଲା ପରେ ପଦ୍ମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିଯୋଗ ପାଇ ଇନ୍‌ଫୋସିଟି ଥାନା ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭିଗୁଡ଼ିକରୁ ଫୁଟେଜ୍‌ ସଂଗ୍ରହ କରି ଗୁଣ୍ଡାମାନଙ୍କୁ ଚିହ୍ନଟ କରିଥିଲା। 

ଡିସିପି ଶ୍ରୀ ସିଂଙ୍କ କହିବା କଥା ପଦ୍ମାଙ୍କୁ ଜମିରୁ ହଟାଇବା ଲାଗି ମାଫିଆ ମାନସକୁ ଭଡ଼ାରେ ନିୟୋଜିତ କରାଯାଇଛି। ଜଣେ ବ୍ୟକ୍ତି ଅନୁପଯୁକ୍ତ ରେକର୍ଡ ବଳରେ ପଦ୍ମାଙ୍କ ଜମିକୁ ଦଖଲ କରିବାକୁ ଉଦ୍ୟମ କରୁଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।  ଜମିଜମା ମାମଲା ହୋଇଥିବାରୁ ଏନେଇ ଅଧିକ ତଦନ୍ତ ଚାଲିଛି। ମାଫିଆଗିରିକୁ ଏଭଳି ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତି ବା ତଥାକଥିତ ଜମିକ୍ରେତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଫେରାର ହୋଇଯାଇଥିବା ଭଡ଼ାଟିଆ ଗୁଣ୍ଡାଙ୍କୁ ମଧ୍ୟ ଗିରଫ କରାଯିବ।