ସରକାରୀ କ୍ୱାର୍ଟର୍ସ ଭିତରେ ଘର କରିବାକୁ ବିରୋଧ କରିବାରୁ ରାସ୍ତାରେ ଗଡ଼େଇ ତଡ଼େଇ ପିଟିଲେ

ଭୁବନେଶ୍ୱର : ଶନିବାର ପ୍ରାୟ ୨ଟା। କ୍ୟାପିଟାଲ୍ ଥାନା ଅନ୍ତର୍ଗତ ରାଧାକୃଷ୍ଣ ଏନ୍‌କ୍ଲେଭ୍ ନିକଟରେ ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ୨/୩ଜଣ ଯୁବକ ଠେଙ୍ଗା, ବାଡି, ରଡ୍ ଭଳି ମାରଣାସ୍ତ୍ର ଧରି ନିସ୍ତୁକ ମାଡ଼ ମାରୁଥାନ୍ତି। ବ୍ୟକ୍ତି ଜଣକ ରକ୍ତାକ୍ତ ହୋଇ ଭୁଲ୍ ହୋଇଯାଇଛି ବୋଲି କହୁଥାନ୍ତି। ହେଲେ ନିର୍ଦ୍ଦୟଙ୍କ ଭଳି ଯୁବକମାନେ ତାଙ୍କୁ ପିଟି ଚାଲିଥାନ୍ତି। ଏପରିକି ବ୍ୟକ୍ତି ଜଣକୁ ନ ମାରିବା ପାଇଁ ଲୋକେ ଅଟକାଇବାକୁ ଯିବାରୁ ଆଉ କିଛି ଯୁବକ ବାରଣ କରିବା ସହିତ ଧମକଚମକ ମଧ୍ୟ ଦେଉଥାନ୍ତି। ଏହିଭଳି ଅମାନବୀୟ ଘଟଣା ପଛରେ ସ୍ଥାନୀୟ ଅଞ୍ଚଳର ଜଣେ ନେତାଙ୍କ ଇଙ୍ଗିତ ରହିଛି ବୋଲି ଜଣାପଡ଼ିଛି।

ମାଡ଼ ଖାଇ ଗୁରୁତର ଆହତ ହୋଇଥିବା ବ୍ୟକ୍ତି କେ ସିନୁ ସେଠୀଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛିଦିନ ତଳେ ୟୁନିଟ୍-୬ କ୍ୟାପିଟାଲ୍ ଥାନା ଅଞ୍ଚଳରେ କିଛି ମୁଷ୍ଟିମେୟ ଯୁବକ ଓ ନେତା ଆଇଭିଆର୍-୧୨୬ ସରକାରୀ କ୍ବାର୍ଟର୍ସରୁ ଝରକା, କବାଟ ଲୁଟିବା ପରେ ପାଚେରି ଭାଙ୍ଗି କ୍ବାର୍ଟର୍ସ ପରିସରରେ ଜବରଦଖଲ କରି ଘର ତିଆରି କରୁଥିଲେ। ଏହାକୁ ବିରୋଧ କରିବାରୁ ଆଜି ସେ ସେମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିବା ଯୁବକଙ୍କୁ ସେ ଛାଡ଼ିବାକୁ ନେହୁରା ହୋଇଥିଲେ ବି ସେମାନେ ଆକ୍ରମଣ କରି ତାଙ୍କ ହାତ ଭାଙ୍ଗିବା ସହିତ ମୁଣ୍ଡ ଫଟାଇ ଦେଇଥିବା ସେ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ସୂଚନା ମୁତାବକ, ସିନୁ ଜଣେ ଗାଡ଼ି ମେକାନିକ। ଉକ୍ତ ଅଞ୍ଚଳରେ ସେ ୪ଚକିଆ ଗାଡ଼ି ଗ୍ୟାରେଜ୍ କରିଛନ୍ତି। ତେବେ ଉକ୍ତ ଅଞ୍ଚଳର କିଛି ଯୁବକଙ୍କ ସହିତ ପୂର୍ବରୁ ତାଙ୍କର ସରକାରୀ ଜାଗାରେ ଘର ତିଆରିକୁ ନେଇ ଝଗଡ଼ା ଥିଲା। ଆଜି ଅପରାହ୍‌ଣରେ କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଲୋକେ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେମାନେ ଶୁଣିନଥିଲେ। ତେଣୁ ଶେଷରେ ନିରୁପାୟ ହୋଇ ମୋବାଇଲ୍‌ରେ ଭିଡିଓ କରିବା ଆରମ୍ଭ କରିବାରୁ ଯୁବକମାନେ ଘଟଣାସ୍ଥଳରୁ ଫେରାର୍ ହେବା ସହ ସିନୁଙ୍କୁ ଧମକ ଦେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର