ଭୁବନେଶ୍ୱର : ପ୍ରେମିକା ପାଇଁ ଜଣେ ନାବାଳକକୁ ଅପହରଣ ସହ ଆକ୍ରମଣ ଭଳି ଏକ ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅଞ୍ଚଳରେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅପହରଣକାରୀଙ୍କ କବଳରୁ ନାବାଳକଙ୍କୁ ଉଦ୍ଧାର କରିଛି।

Advertisment

ସୂଚନା ମୁତାବକ, ବିଜୁ ପଟ୍ଟନାୟକ କଲେଜ୍‌ +୨ ଦ୍ବିତୀୟ ବର୍ଷର ଦୁଇ ନାବାଳକ ଛାତ୍ର (ରାକେଶ ଓ ରାଜେଶ-ଛଦ୍ମ ନାମ) ଜଣେ ନାବାଳିକାଙ୍କୁ ଭଲ ପାଉଥିଲେ। ନାବାଳିକାଙ୍କ ସହ ନ ମିଶିବା ଓ ତାଙ୍କୁ ଭଲ ନ ପାଇବା ପାଇଁ ରାକେଶ ରାଜେଶକୁ ବାରମ୍ବାର ତାଗିଦ୍ କରିବା ସହ ଧମକ ଦେଉଥିଲା। ହେଲେ ରାଜେଶ କିଛି ଶୁଣି ନ ଥିଲା। ଏହି କାରଣକୁ ‌ନେଇ ମଧ୍ୟ ସପ୍ତାହ ତଳେ ଉଭୟଙ୍କର ପାଟିତୁଣ୍ଡ ହୋଇଥିଲା। ରାଜେଶକୁ ପାନେ ଦେବା ପାଇଁ ରାକେଶ ଯୋଜନା କରିଥିଲା। ଆଜି ଦିନ ପ୍ରାୟ ୧୨ଟାରେ ରାଜେଶ କଲେଜ୍‌ରୁ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ରାକେଶ ଓ ତାର ୩ ସହଯୋଗୀ ତାକୁ ଘେରି ଯାଇଥିଲେ। ତାଙ୍କ ସ୍କୁଟିରେ ବସିବାକୁ ବାଧ୍ୟ କରଥିଲେ। ସେ ଖସିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ରାକେଶ ଓ ତାର ସହଯୋଗୀମାନେ ତା ବେକରେ ଛୁରି ଲଗାଇ ସ୍କୁଟିରେ ବସିବାକୁ ବାଧ୍ୟ କରିଥିଲେ ଓ ତାଙ୍କୁ ଦେବରାୟ କଲେଜ୍‌ ନିକଟ ଏକ ଭଙ୍ଗା ଘରକୁ ନେଇଯାଇଥିଲେ। ସେଠାରେ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ଏଥିରେ ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। କୌଣସି ସୂତ୍ରରୁ ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଦେବରାୟ କଲେଜ୍ ନିକଟ ଏକ ଘରୁ ରାଜେଶକୁ ଉଦ୍ଧାର କରିବା ସହ ରାକେଶକୁ ଧରିଥିଲା। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ରାଜେଶଙ୍କୁ ତାଙ୍କ ପରିବାରଲୋକଙ୍କୁ ଜିମା ଦେଇଥିବା ବେଳେ ରାକେଶକୁ ଥାନାରେ ରଖି ପଚରାଉଚରା କରୁଛି।