ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ୩ ସୁପାରି କିଲର ଗିରଫ

ବାଲିପାଟଣା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଲିପାଟଣା ଥାନା ଝିଣ୍ଟିଶାସନ ଗ୍ରାମର ସୁଧାକର ଜେନା (ବାପି)ଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ୩ ସୁପାରି କିଲରଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନିଆଳି ଗ୍ରାମର ବିଶ୍ବଜିତ୍‌ ବାରିକ ଓରଫ୍ ଚନ୍ଦନ (୨୨), ଟାଙ୍ଗି ଅଞ୍ଚଳର ସ୍ବାଗତ ବିଶ୍ବାଳ ଓରଫ୍ ପୁପୁନ୍‌ (୨୨) ଏବଂ ବାଙ୍କିର ପିଣ୍ଟନ କୁମାର ଦଳେଇ ଓରଫ୍ ଦୀପୁ (୨୬)। ଘଟଣାରେ ସମ୍ପୃକ୍ତ ଆଉ କିଛି ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଭାର୍ଗବୀ ନଦୀ ବାଲିଘାଟ ନିଲାମରେ ବାପିଙ୍କ ସହିତ ଫେଲୁର ଭାଗୀଦାରି ଥିଲା। କୌଣସି କାରଣରୁ ସେମାନଙ୍କ ଭିତରେ ଶତ୍ରୁତା ହୋଇଥିଲା। ତେଣୁ ଫେଲୁ ବାପିଙ୍କୁ ଜୀବନରୁ ମାରିଦେବା ପାଇଁ ଉକ୍ତ ତିନି ଅଭିଯୁକ୍ତଙ୍କୁ ସୁପାରି ଦେଇଥିଲା। ଗତ ୪ ତାରିଖ ସକାଳେ ବାପି ରାଜସ ମଠସାହି ଯାଇଥିଲେ। ଗାଡ଼ିରେ ଯାଉଥିବା ବେଳେ ୪ ଜଣ ଯୁବକ ୨ଟି ବୁଲେଟ୍‌ରେ ଆସି ତାଙ୍କ ମୁଣ୍ଡକୁ ଏକ କଟୁରିରେ ଚୋଟ ମାରିଥିଲେ। କଟୁରି ବାପିଙ୍କ ମୁଣ୍ଡରେ ପଶି ଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ମୁଣ୍ଡରେ କଟୁରି ଲାଗିଥିବା ଅବସ୍ଥାରେ ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଅଭିଯୋଗ ପରେ ବାଲିପାଟଣା ପୁଲିସ ଘଟଣାର ତଦନ୍ତ କରି ଫେଲୁ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଜାଣିବାକୁ ପାଇଥିଲା। ଫେଲୁ ସହ ଚନ୍ଦନ, ପୁପୁନ, ଦୀପୁ ଆକ୍ରମଣରେ ସାମିଲ ଥିବା ସୂଚନା ପାଇଥିଲା। ଗତକାଲି ନିଆଳି ଅଞ୍ଚଳରେ ଚଢ଼ଉ କରି ପୁଲିସ ଉକ୍ତ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନାଁରେ ଅନ୍ୟ ଥାନାରେ ମାମଲା ଥିବା ପୁଲିସ କହିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି। ମୁଖ୍ୟ ଷଡ଼ଯନ୍ତ୍ରକାରୀ ଫେଲୁକୁ ଧରିବା ପାଇଁ ପୁଲିସ ଜାଲ ବିଛାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର