ବାଲିପାଟଣା : ଗତରାତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ, ସୋମଣା ଶାସନ ଗ୍ରାମର ଗୋପାଳ ବେହେରା। ଶାବଳ ମାଡ଼ରେ ତାଙ୍କର ୨ ହାତ ଓ ୨ ଗୋଡ଼ର ହାଡ଼ ଭାଙ୍ଗି ଚୁନା ହୋଇଯାଇଛି। ଗୁରତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କଲା ବେଳେ ଯୁବତୀଜଣକ ତାଙ୍କୁ ଶାବଳରେ ଏଭଳି ଆକ୍ରମଣ କରିଥିବା ପୁଲିସକୁ ଲିଖିତ ଭାବେ ଜଣାଇଛନ୍ତି। କିନ୍ତୁ ଚାରି ଜଣ ଦୁର୍ବୃତ୍ତ ତାଙ୍କୁ ଏକ କାର୍‌ରେ ଟେକି ନେଇ ଶାବଳରେ ପିଟି ପିଟି ଏମିତି କରିଛନ୍ତି ବୋଲି ଗୋପାଳଙ୍କ ପକ୍ଷରୁ ଥାନା‌ରେ ପାଲଟା ଅଭିଯୋଗ ହୋଇଛି। ବାଲିପାଟଣା ଥାନା ପୁଲିସ ଦୁଇପକ୍ଷର ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସରଗରମ ଚର୍ଚ୍ଚା ଚାଲିଛି। ପ୍ରକୃତରେ ଗୋପାଳ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ କି ତାଙ୍କ ଉପରେ ପ୍ରତିଶୋଧ ନେବାକୁ ଏଭଳି ନାଟକ ରଚନା କରାଯାଇଛି, ତାହାକୁ ନେଇ ସାଧାରଣରେ ଉତ୍କଣ୍ଠା ବୃଦ୍ଧି ପାଇଛି।

Advertisment

ସୂଚନାନୁସାରେ, ଗୋପାଳ ବିବାହିତ ଓ ତାଙ୍କର ସନ୍ତାନସନ୍ତତି ମଧ୍ୟ ଅଛି। କିନ୍ତୁ ସେହି ଗ୍ରାମର ଜଣେ ଯୁବତୀଙ୍କୁ ସେ ଏକପାଖିଆ ଭଲ ପାଉଥିଲେ। ଯୁବତୀ ଜଣକ ଗୋପାଳ କଥାରେ ରାଜି ନ ହେବାରୁ ଏକଦା ସେ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ତେଣୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଗୋପାଳ ଜେଲ୍‌ ଯାଇଥିଲେ। ଜେଲ୍‌ରୁ ଫେରିବା ପରେ ସେ ପୁଣି ଯୁବତୀଙ୍କୁ ବାରମ୍ବାର ହଇରାଣ ହରକତ କରୁଥିଲେ। ଅନେକ ସମୟରେ ମଦ ପିଇ ସେ ଯୁବତୀ ଓ ତାଙ୍କ ପରିବାରଲୋକଙ୍କୁ ଗାଳି ମନ୍ଦ କରୁଥିଲେ। ଏମିତିକି ଯୁବତୀଙ୍କ ବାହାଘରରେ ସେ ଏକ ବଡ଼ ପ୍ରତିବନ୍ଧକ ହୋଇ ଠିଆ ହୋଇଥିଲା। ଫଳରେ ଯୁବତୀଜଣକ ଅତିଷ୍ଠ ହୋଇପଡ଼ିଥିଲେ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଗତରାତି ପ୍ରାୟ ୧ଟା ସମୟରେ ଗୋପାଳ ତାଙ୍କ ଘରକୁ ଯାଇଥିଲେ ଏବଂ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ତେଣୁ ପୂର୍ବରୁ ଆଶଙ୍କାରେ ଥିବା ଯୁବତୀ ମୁଣ୍ଡ ପାଖରେ ରଖିଥିବା ଶାବଳରେ ପାଲଟା ଆକ୍ରମଣ କରିଥିଲେ। ଏ ନେଇ ଆଜି ନିଜେ ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଗୋପାଳଙ୍କ ଅଭିଯୋଗ ଅନୁସାରେ, ଗତକାଲି ରାତିରେ ତାଙ୍କର ଜଣେ ପରିଚିତ ବ୍ୟକ୍ତି ତାଙ୍କୁ ଗାଁ ମୁଣ୍ଡକୁ ଡାକିଥିଲେ। ସେ ଗାଁ ମୁଣ୍ଡରେ ପହଞ୍ଚିବା ପରେ ଏକ ନାଲିରଙ୍ଗର କାର୍‌ରେ ୪ଜଣ ଯୁବକ ତାଙ୍କୁ ଜୋର୍‌ କରି ଉଠାଇ ନେଇଥିଲେ। ଚିତଲପୁର ରାସ୍ତାକୁ ନେଇ ଶାବଳରେ ୨ ଗୋଡ଼ ଏବଂ ହାତକୁ ପିଟିଥିଲେ। ଜଣେ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲା। ଏହା ପରେ ସେମାନେ ତାଙ୍କୁ ଗାଁ ମୁଣ୍ଡ ଟ୍ରାନ୍ସଫର୍ମର ପାଖରେ ଫିଙ୍ଗି ଦେଇ ଫେରାର୍ ହୋଇ ଯାଇଥିଲେ। ଗୋପାଳଙ୍କ ଏହି କଥାକୁ ଦର୍ଶାଇ ତାଙ୍କ ବାପା କୈଳାସ ବାଲିପାଟଣା ଥାନା‌ରେ ଲିଖିତ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ ଏବେ ଗୋପାଳକୁ ଫୋନ୍‌ କରି ଡାକିଥିବା ଯୁବକଙ୍କ ବାବଦରେ ଛାନ୍‌ଭିନ୍‌ କରିବା ସହ ‌ମୋବାଇଲ୍‌ ଫୋନ୍‌ କଲ୍‌ ରେକର୍ଡ ସଂଗ୍ରହ କରୁଥିବା ସୂଚନା ମିଳିଛି।