ଭୁବନେଶ୍ୱର : ବ୍ରାଉନସୁଗାର ବେପାରକୁ ବିରୋଧ କରିବାରୁ ଯୁବକଙ୍କୁ ଖଣ୍ଡାଚୋଟ

ଭୁବନେଶ୍ୱର : ବୁଧବାର ରାତିରେ ନୂଆପଲ୍ଲୀ ଥାନା ୟୁନିଟ୍‌-୮ ପାଣିଟାଙ୍କି ବସ୍ତିରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଖଣ୍ଡା ଚୋଟରେ ଗୁରୁତର ଆହତ ଯୁବକ ହେଲେ ହେମନ୍ତ ବେହେରା। ବ୍ରାଉନସୁଗାର କାରବାରକୁ ନେଇ ତାଙ୍କୁ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ପୁଲିସ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ବି ସେମାନଙ୍କ ଟେର୍ ପାଇନାହିଁ। ରାଜଧାନୀରେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ୧୨ ଘଣ୍ଟିଆ କର୍ଫ୍ୟୁ ପରିସ୍ଥିତି ଜାରି ରହିଥିବାବେଳେ ଦୁର୍ବୃତ୍ତମାନେ ଏହି ଉନ୍ମତ୍ତ କାଣ୍ଡ ଘଟାଇବାକୁ ସକ୍ଷମ ହେଉଛନ୍ତି। ଅଥଚ ପିସିଆର୍‌ ଘନଘନ ବୁଲୁଥିବା ସତ୍ତ୍ବେ ସେମାନଙ୍କ ପତ୍ତା ମିଳୁନାହିଁ।

ସୂଚନାନୁସାରେ ବାହାରୁ ଆସୁଥିବା କିଛି ଯୁବକ ପ୍ରତ୍ୟେକ ସନ୍ଧ୍ୟାରେ ଏହି ଅଞ୍ଚଳରେ ବ୍ରାଉନ୍‌ସୁଗାର ବେପାର କରନ୍ତି। ଏହି କାରବାରକୁ ହେମନ୍ତ ଓ ତାଙ୍କ ସାଙ୍ଗମାନେ ବିରୋଧ କରୁଥିଲେ। ୪ ଦିନ ତଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀ ପରସ୍ପରକୁ ଧମକଚମକ ଦେଇଥିଲେ। ସେହିଦିନଠାରୁ ନିଶା ବେପାରୀ ଗୋଷ୍ଠୀ ହେମନ୍ତଙ୍କୁ ଟାର୍ଗେଟ୍‌ କରିଥିଲେ। ଆଜି ସନ୍ଧ୍ୟାରେ ଦୁଇଟି ବାଇକ୍‌ରେ ୫ ଜଣ ଅଭିଯୁକ୍ତ ଖଣ୍ଡା ଭୁଜାଲି ଧରି ପହଞ୍ଚିଥିଲେ। ହେମନ୍ତ ଓ ତାଙ୍କ ସାଙ୍ଗମାନଙ୍କୁ ସାହି ଭିତରେ ଗୋଡ଼ାଇଥିଲେ। କିଛି ସମୟ ଛକାପଞ୍ଝା ପରେ ହେମନ୍ତ ସାମ୍ନାରେ ପଡ଼ି ଯାଇଥିଲେ। ୫ ଜଣ ମିଶି ତାଙ୍କୁ ଖଣ୍ଡାରେ ଚୋଟ ପରେ ଚୋଟ ମାରି ଚାଲିଥିଲେ। ଏତିକିବେଳେ ବସ୍ତିବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ଫେରାର୍ ହୋଇ ଯାଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ଗୁରୁତର ହେମନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହି ଖବର ପରେ ହେମନ୍ତଙ୍କ ସପକ୍ଷବାଦୀମାନେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ଏବେ ବସ୍ତିରେ ପୁଲିସ ମୁତୟନ କରାଯାଇଛି। ତାଲା ବନ୍ଦ ଲାଗି ରହିଥିବାବେଳେ ପୁଲିସ ପଇଁତରା ବଢ଼ିଛି। ଅଥଚ ଏଭଳି ପରିସ୍ଥିତିରେ ଦୁର୍ବୃତ୍ତମାନେ ଗାଡ଼ିରେ ମାରଣାସ୍ତ୍ର ଧରି କିଭଳି ବୁଲୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ କଟକ ରୋଡ୍‌ରେ ଏଭଳି ଏକ ଘଟଣା ଘଟିଥିଲା ଓ ଗତ ଦୁଇ ଦିନ ପୂର୍ବେ ବିଜୁ ପଟନାୟକ କ‌ଲେଜ ଛକ ବଜାରରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର