ଚାଟ୍‌ ଖାଉଥିବାବେଳେ ଯୁବକକୁ ପ୍ରାଣାନ୍ତକ ଆକ୍ରମଣ, ଛକରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ବର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରବିବାର ସନ୍ଧ୍ୟାରେ ପାଣ୍ଡରା ନିକଟ କିମ୍ଭିରିଆ ବସ୍ତିରେ ଜଣେ ଯୁବକକୁ ଦୁଇଜଣ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଯୁବକ ଜଣକ ରାସ୍ତା କଡ଼ରେ ଛିଡ଼ା ହୋଇ ଚାଟ୍‌ ଖାଉଥିବା ବେଳେ ଦୁଇଜଣ ଯୁବକ ଏକ ଭୁଜାଲିରେ ତାଙ୍କୁ ହାଣି ପକାଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରବଳ ରକ୍ତସ୍ରାବ ହେବା ସହ ସେ ତଳେ ପଡ଼ିଯାଇ ଛଟପଟ ହେଉଥିବା ବେଳେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ନେଇ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଯୁବକ ହେଉଛନ୍ତି ଅବିନାଶ ଦାସ। ଏହାକୁ ନେଇ ସଂପୃକ୍ତ ଅଞ୍ଚଳ‌ରେ ଆତଙ୍କ ସୃଷ୍ଟି ହୋଇଛି। ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରବିବାର ରାତି ପ୍ରାୟ ସାଢ଼େ ୮ଟା ବେଳ‌େ ଏହି ଘଟଣା ଘଟିଛି। ଏହି ସମୟରେ ଛକରେ ପ୍ରବଳ ଭିଡ଼ ହୋଇଥିଲା। ଚାଟ୍‌, ଗୁପ୍‌ଚୁପ୍‌ ସହ ଅନ୍ୟ ଜଳଖିଆ ଦୋକାନରେ ଭିଡ଼ ଜମିଥିଲା। ଦୁଇଜଣ ଯୁବକ ଏକ ପଲସର ବାଇକ୍‌ରେ ଆସି ପହଞ୍ଚିଥିଲେ। ପଛରେ ବସିଥିବା ଯୁବକ ଓହ୍ଲାଇ ପଛପଟେ ପ୍ୟାଣ୍ଟ ଭିତରେ ରଖିଥିବା ଭୁଜାଲି କାଢ଼ି ଅଚାନକ୍‌ ଆକ୍ରମଣ କରିଥିଲା। ବାମ କାନ ଉପରକୁ ମୁଣ୍ଡରେ ଗୋଟିଏ ଚୋଟ ବାଜିବା ପରେ ସେ ଚାଟ୍‌ ଥାଳି ଫିଙ୍ଗି ଦଉଡ଼ିଥିଲେ। ଅଭିଯୁକ୍ତମାନେ ଗୋଡ଼ାଇ ଗୋଡ଼ାଇ ଆଉ ତିନି ଚୋଟ ମାରିଥିଲେ। ଏହା ଦେଖି ପାଖରେ ଥିବା ଅନ୍ୟ ଦୋକାନରେ ଛିଡ଼ା ହୋଇ ଗୁପ୍‌ଚୁପ୍‌ ଓ ଚାଟ୍‌ ଖାଉଥିବା ଝିଅମାନେ ମଧ୍ୟ ଚିତ୍କାର କରି ଦଉଡ଼ିବାକୁ ଆରମ୍ଭ କରିଥିଲେ। ପ୍ରାୟ ୨୦ ମିନିଟ୍‌ କାଳ ସେହି ଛକରେ ଏକ ଅଭାବନୀୟ ଦୃଶ୍ୟ ସୃଷ୍ଟି ହୋଇଥିଲା। ଅଭିଯୁକ୍ତମାନେ ଏଭଳି ଖୋଲାଖୋଲି ଜନଗହଳିପୂର୍ଣ୍ଣ ଛକ‌ରେ ଆକ୍ରମଣ କରିବା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।

ଆକ୍ରମଣ ପଛରେ ପରକୀୟା ପ୍ରୀତି!
ଅବିନାଶଙ୍କୁ ପ୍ରାଣାନ୍ତକ ଆକ୍ରମଣ ପଛରେ ପରକୀୟା ପ୍ରୀତି ହିଁ ମୂଳ କାରଣ ବୋଲି କୁହାଯାଉଛି। ଅବିନାଶ କୁଆଡ଼େ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। କିନ୍ତୁ ପରିସ୍ଥିତିରେ ପଡ଼ି ବିବାହ କରିପାରି ନ ଥିଲେ। ଯୁବତୀଜଣକ ଅନ୍ୟ ଜଣକୁ ବିବାହ କରିବା ପରେ ମଧ୍ୟ ପ୍ରେମିକ ଅବିନାଶକୁ ଭୁଲି ପ‌ାରି ନ ଥିଲେ। ଏ ନେଇ ଯୁବତୀଙ୍କ ସ୍ବାମୀ ଜାଣିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ କେହି କାହା ସହ ସମ୍ପର୍କ ରଖିବେ ନାହିଁ ବୋଲି ସ୍ଥିର ହୋଇଥିଲା। ଆଜି ସକାଳେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ କଟକ ଯାଇଥିଲେ। ଏହାକୁ ଏକ ସୁଯୋଗ ଭାବି ମହିଳା ଜଣକ ଅବିନାଶ ସହ ସନ୍ଧ୍ୟାରେ କିମ୍ଭିରୀଆ ଛକରେ ଥିବା ଦୋକାନରେ ଚାଟ୍‌ ଖାଇବାକୁ ଯାଇଥିଲେ। କଟକରୁ ଫେରି ସ୍ବାମୀ ଖବର ପାଇଥିଲେ ଯେ ‌ପୁରୁଣା ପ୍ରେମିକ ତାଙ୍କ ପତ୍ନୀକୁ ନେଇ ମଉଜ କରୁଛି। ଏଣୁ ସିଧା ଘରୁ ଭୁଜାଲି ଧରି ବାହାରିଥିଲେ ଏବଂ ଛକରେ ଆସି ପତ୍ନୀଙ୍କ ସମ୍ମୁଖରେ ଅବିନାଶକୁ ହାଣି ପକାଇଥିଲେ। ତେବେ ପ୍ରକୃତରେ କିଏ ହାଣିଛି ସେ ନେଇ ପୁଲିସ ତଦନ୍ତ କରୁଥିବା କହିଛି।

ସମ୍ବନ୍ଧିତ ଖବର