ଗାଡ଼ି ସାଇଡ୍‌ମରାକୁ ନେଇ ତୁମୁଳକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର

ଭୁବନେଶ୍ୱର : ଶନିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଲୁଇସ୍‌ ରୋଡ୍‌ରେ କାର୍‌ ସାଇଡ୍‌ମରାକୁ ନେଇ ତୁମୁଳକାଣ୍ଡ ଘଟିଛି। ଗୋଟିଏ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଯୁବକ ହେଲେ ଚନ୍ଦ୍ରଶେଖରପୁର ଅଞ୍ଚଳର ଜ୍ଞାନ ରଞ୍ଜନ ମିଶ୍ର(୩୫)। ଆକ୍ରମଣକାରୀ ଯୁବକମାନେ ଫେରାର୍ ହୋଇଯାଇଛନ୍ତି। ଅଭିଯୋଗ ପାଇବା ପରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ କାର୍‌ ନମ୍ବରକୁ ଆଧାର କରି ଆକ୍ରମଣକାରୀମାନଙ୍କୁ ଧରିବାକୁ ଉଦ୍ୟମ କରୁଛି।

ସୂଚନାନୁସା‌ରେ, ଜ୍ଞାନ ଓ ତାଙ୍କ ବନ୍ଧୁ ଲକ୍ଷ୍ମୀପ୍ରସାଦ ରାଉତ କାର୍‌ ଯୋଗେ ଚନ୍ଦ୍ରଶେଖରପୁର ଫେରୁଥିଲେ। ସେମାନେ ରବି ଟକିଜ୍‌ ଛକଠାରେ ଟ୍ରାଫିକ୍‌ ସିଗ୍‌ନାଲ୍‌କୁ ଅପେକ୍ଷା କରିଥିବା ବେଳେ ପଛପଟୁ ଏକ କାର୍‌(ଓଡି୦୧ଏନ୍‌୩୯୬୧) ଆସି ଜ୍ଞାନଙ୍କ କାର୍‌କୁ ଘଷି ଦେଇଥିଲା। ଏହାକୁ ନେଇ ଜ୍ଞାନ ପ୍ରତିବାଦ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଧକ୍କା ଦେଇଥିବା କାର୍‌ର ଦୁଇ ଯୁବକ ଫୋନ୍‌ କରିବାରୁ ସ‌ଙ୍ଗେସଙ୍ଗେ ୩ଜଣ ଯୁବକ ସେଠ‌ାରେ ପହଞ୍ଚିଥିଲେ। ସେହିଭଳି ଜ୍ଞାନଙ୍କ ଫୋନ୍‌ ପାଇ ମୈତ୍ରୀବିହାରରୁ ତାଙ୍କ ସାଙ୍ଗ ପ୍ରୀତିରଞ୍ଜନ ସେଠାରେ ପହଞ୍ଚିଥିଲେ। ଏହା ପରେ ଦୁଇ ପକ୍ଷ ମଧ୍ୟରେ ହାତାହାତି ଯାଏ କଥା ଯାଇଥିଲା। ଅପରପକ୍ଷରେ ୫ଜଣ ଜ୍ଞାନ ଓ ତାଙ୍କ ଦୁଇବନ୍ଧୁଙ୍କ ଉପରେ ଭାରି ପଡ଼ିଥିଲେ। ସେମାନଙ୍କ ଆକ୍ରମଣରେ ଜ୍ଞାନ ଗୁରୁତର ହୋଇଥିଲେ। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସେହିଭଳି ଲକ୍ଷ୍ମୀପ୍ରସାଦ ଓ ପ୍ରୀତିରଂଜନ ମଧ୍ୟ ଆହତ ହୋଇଥିଲେ। ରାସ୍ତା ଉପରେ ପ୍ରାୟ ଅଧଘଣ୍ଟା ଧରି ମାର୍‌ପିଟି ଚାଲିଥିଲେ ମଧ୍ୟ ପୁଲିସ ନିକଟରେ ଖବର ପହଞ୍ଚି ନଥିଲା।

ସମ୍ବନ୍ଧିତ ଖବର