ଚିନ୍ତାମଣିଶ୍ବରରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ : ବାଇକ୍‌ରେ ପିଛା କଲେ, ଘରୁ ଡାକି ହାଣିଲେ

ଭୁବନେଶ୍ବର : ଅଶାନ୍ତ ହୋଇ ପଡ଼ିଛି ରାଜଧାନୀ ଭୁବନେଶ୍ବର। ଆଜି ପୂର୍ବାହ୍ନରେ ଜନଗହଳିପୂର୍ଣ୍ଣ ସିଆର୍‌ପି ଛକରେ ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା କରାଗଲା। ଏହି ବୀଭତ୍ସ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ, ମାତ୍ର ୧୦/୧୨ ଘଣ୍ଟା ଭିତରେ ପୁଣି ଘଟିଛି ଆଉ ଏକ ଜଘନ୍ୟ କାଣ୍ଡ। ଜଣେ ଯୁବକଙ୍କୁ ବାଇକ୍‌ରେ ପିଛା କରି କରି ଦୁଇ ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ଦେଇଛନ୍ତି। ଆକ୍ରମଣର ଶିକାର ଯୁବକ ହେଲେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବରରେ ରହୁଥିବା ଅନିଲ କୁମାର ସାହୁ। ଖଣ୍ଡା ଚୋଟରେ ଯୁବକଙ୍କ ବାମ କାନ୍ଧ, ହାତ, ଛାତି, ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଚିନ୍ତାମଣିଶ୍ବରରେ ପରିବାର ସହ ଭଡ଼ାରେ ରହି ଅନିଲ ଓଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଜି ରାତି ପ୍ରାୟ ୧୦ଟାବେଳେ ସେ ସ୍କୁଟିରେ ଘରକୁ ଫେରୁଥିଲେ। ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। ତେବେ ଅନିଲ ଗ୍ରିଲ୍‌ ଖୋଲି ଘର ଭିତରକୁ ଯାଉଥିବାବେଳେ ଦୁର୍ବୃତ୍ତଦ୍ବୟ ତାଙ୍କୁ ପଛରୁ ଡାକିଥିଲେ। ଅନିଲ ବାହାରକୁ ଆସିବା ମାତ୍ରେ ଜଣେ ଯୁବକ ତାଙ୍କୁ ଖଣ୍ଡାରେ ଚୋଟ ପରେ ଚୋଟ ମାରି ଚାଲିଥିଲା। ଅନିଲ ତଳେ ପଡ଼ିଯିବା ପରେ ସେମାନେ ଫେରାର୍‌ ହୋଇ ଯାଇଥିଲେ। ଅନିଲଙ୍କ ଚିତ୍କାର ଶୁଣି ତାଙ୍କ ପତ୍ନୀ ବାହାରକୁ ଦୌଡ଼ି ଆସିଥିଲେ। ଅନିଲଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ସେ ତୁରନ୍ତ ତାଙ୍କୁ ଏକ ଅଟୋରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇ ଆସିଥିଲେ।

ସମ୍ବନ୍ଧିତ ଖବର