ଭୁବନେଶ୍ୱର : ବିଗିଡ଼ି ଗଲାଣି ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା। ଅପରାଧୀମାନେ ଏବେ ପୂରା ଉପରମୁହାଁ ହୋଇଗଲେଣି। କି’ ଦିନ, କି’ ରାତି, କିଛି ମାନୁନାହାନ୍ତି। ଯୋଉଠି ଯାହାକୁ ପାରୁଛନ୍ତି ଲୁଟୁଛନ୍ତି, ହାଣୁଛନ୍ତି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବି ଖଣ୍ଡା, ଭୁଜାଲି ବୁଲାଇବାକୁ ପଛଘୁଞ୍ଚା ଦେଉନାହାନ୍ତି। ଆଜି ଅପରାହ୍ଣରେ ବାପୁଜୀନଗର ପାଣିଟାଙ୍କି ଛକ ନିକଟରେ ଏପରି ଏକ ଆପରାଧିକ ଘଟଣା ଘଟିଛି। ରାସ୍ତା ଉପରେ ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁଇ ଦୁର୍ବୃତ୍ତ। ଆହତ ଦୁଇ ଭାଇ ହେଲେ, ପାଣିଟାଙ୍କି ବସ୍ତିର ବି. ରାମା ରାଓ ଓ ବି ଶଙ୍କର ରାଓ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ହେଁ ଶେଷ ଖବର ଲେଖା ହେବା ବେଳକୁ ଅଭିଯୁକ୍ତମାନଙ୍କ ପତ୍ତା ପାଇ ନାହିଁ। ତେବେ ଅଭିଯୁକ୍ତଦ୍ବୟ ସେହି ବସ୍ତିର ସଂପାଦକ ଓ ତାଙ୍କ ଭାଇ ବୋଲି ପୁଲିସ କହିଛି। ଏନେଇ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଛି।
/sambad/media/post_attachments/wp-content/uploads/2020/07/bapujinagar2.jpeg-300x185.jpg)
ଅପରପକ୍ଷେ ଏହି ଘଟଣା ଘଟିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଭୟଭୀତ ହୋଇଯାଇଥିଲେ। ସର୍ବସାଧାରଣରେ ଦୁର୍ବୃତ୍ତଙ୍କ ଏପରି ଆତଙ୍କ ଦେଖି ରାଜମହଲ-କଳ୍ପନା ଛକରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ କିଛି ସମୟ ଅଟକି ରହିଥିଲା। କିଛି ଲୋକେ ଭୟରେ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିବା ବେଳେ ବ୍ୟବସାୟୀମାନେ ବି ଦୋକାନର ସଟର୍ ପକାଇ ଦେଇଥିଲେ।
ପୁଲିସ୍ ସୂଚନା ମୁତାବକ, ଆହତ ଦୁଇ ଭାଇଙ୍କର କଳ୍ପନା ରେଲୱେ ଓଭରବ୍ରିଜ୍ କଡ଼ରେ ଏକ ଚିକେନ୍ ଦୋକାନ ରହିଛି। ଆଜି ଶ୍ରାବଣ ପ୍ରଥମ ସୋମବାର ହୋଇଥିବାରୁ ଏଠାରେ ଥିବା ସମସ୍ତ ଚିକେନ୍ ଦୋକାନ ବନ୍ଦ କରିବାକୁ ବସ୍ତିର ସମ୍ପାଦକ ମନୋଜ ଦାସ ଘୋଷଣା କରିଥିଲେ। କିନ୍ତୁ ଦୁଇ ଭାଇ ତାହାକୁ ଖାତିର୍ ନ କରି ଦୋକାନ ଖୋଲିଥିଲେ। କାହିଁକି ଦୋକାନ ଖୋଲିଛ ବୋଲି ସମ୍ପାଦକ ପଚାରିବାରୁ, ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସମ୍ପାଦକ ତାଙ୍କ ଭାଇଙ୍କୁ ସେଠାକୁ ଡାକିଥିଲେ। ପରେ ସେମାନେ ଦୁଇ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2020/07/bapujinagar-1.jpeg-300x138.jpg)
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚୋରା ମଦ ବିକ୍ରିକୁ କେନ୍ଦ୍ର କରି ଉଭୟପକ୍ଷ ମଧ୍ୟରେ ପୂର୍ବରୁ ବିବାଦ ରହିଛି। ଏହାକୁ ନେଇ ଉଭୟପକ୍ଷ ଅନେକବାର ମୁହାଁମୁହିଁ ମଧ୍ୟ ହୋଇଥିଲେ। ତେବେ ଆଜିର କେବଳ ଏହି ଗୋଟିଏ ଘଟଣା ନୁହେଁ, ଲଗାତାର ରାଜଧାନୀରେ ଏଭଳି ଆପରାଧିକ ଘଟଣା ଘଟୁଛି। ଛୋଟ ଛୋଟ କଥାରେ ଖଣ୍ଡା ବୁଲୁଛି। ୪ଦିନ ତଳେ ସାଲିଆସାହିରେ ଗଞ୍ଜାମ ଫେରନ୍ତା ଯୁବକଙ୍କୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଗଞ୍ଜାମ ଫେରନ୍ତାଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ବଚସା ହେବାରୁ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା। ଏଥିରେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସେହିଭଳି ୟୁନିଟ୍-୮ ଅଞ୍ଚଳରେ ନିଶା କାରବାରକୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଗୋଟିଏ ଗୋଷ୍ଠୀ ଅପରଗୋଷ୍ଠୀକୁ ଖଣ୍ଡାରେ ଆକ୍ରମଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/murder.jpg)