ଖଣ୍ଡଗିରି : ଜମାଟୋ କର୍ମଚାରୀଙ୍କୁ ଗୋଡ଼ାଇ ହାଣିଲେ

ଖଣ୍ଡଗିରି : ଖାଦ୍ୟ ପାର୍ସଲ ପହଞ୍ଚାଇବାରେ ସାମାନ୍ୟ ବିଳମ୍ବକୁ ନେଇ ଜମା‌ଟୋ କର୍ମଚାରୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଛି। ଭୁଜାଲି ଚୋଟରେ ଖଣ୍ଡଗିରି ଥାନା ଜାଗମରା ଗାଁର ଦୀପକ ପାତ୍ର ଗୁରୁତର ହୋଇଥିବାବେଳେ ମନୋରଞ୍ଜନ ମହାନ୍ତି ସାମାନ୍ୟ ଆହତ ହୋଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ପାର୍ସଲ ମଗାଇଥିବା ଯୁବକଙ୍କୁ ଖୋଜୁଛି। କିନ୍ତୁ ସେମାନଙ୍କ ଠିକଣାରେ ଚଢ଼ଉ ପୂର୍ବରୁ ସେମାନେ ଫେରାର୍ ହୋଇ ଯାଇଥିବାରୁ କାହାକୁ ଗିରଫ କରାଯାଇନାହିଁ।

ସୁଚନାନୁସାରେ ସୌଭାଗ୍ୟନଗରରେ ରହୁଥିବା ଜଣେ ଯୁବକ ଜମାଟୋ ଜରିଆରେ ଖାଇବା ମଗାଇଥି‌ଲେ। କିନ୍ତୁ ରାତି ୯ଟା ବାଜିବା ପରେ ମଧ୍ୟ ତାଙ୍କ ପାଖରେ ଖାଦ୍ୟ ପହଞ୍ଚିନଥିଲା। ତେଣୁ ସେ ବାରମ୍ବାର ଫୋନ୍‌ କରିଥିଲେ। ପାର୍ସଲ ନେଇ ଯାଉଥିବା ମନୋରଂଜନ ଓ ଦୀପକ ରାସ୍ତାରେ ଅଛନ୍ତି ଓ ଖୁବ୍‌ ଶୀଘ୍ର ପହଞ୍ଚୁଛନ୍ତି ବୋଲି କହିଥିଲେ। କିନ୍ତୁ ସେମାନେ ଉକ୍ତ ଠିକଣାରେ ପହଞ୍ଚିବା ପରେ ସେଠାରେ କେହି ନଥିଲେ। ତେଣୁ ଦୀପକ ଫୋନ୍‌ କରିଥିଲେ ଓ କେହି ଫୋନ୍‌ ନ ଉଠାଇବାରୁ ସେମାନେ ବରମୁଣ୍ଡା ନୂଆ ସଡ଼କକୁ ଚାଲି ଆସି ଅପେକ୍ଷା କରିଥିଲେ। କିଛି ସମୟ ପରେ ୩ ଜଣ ଯୁବକ ସେମାନଙ୍କ ପାଖରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ପାର୍ସଲ ପହଞ୍ଚାଇବା ବିଳମ୍ବକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ହଠାତ୍ ୩ ଜଣଯାକ ଯୁବକ ଭୁଜାଲି ଓ ଫାର୍ଶା ଭଳି ମାରଣାସ୍ତ୍ରରେ ଦୀପକ ଓ ମନୋରଂଜନକୁ ଆକ୍ରମଣ କରିଥିଲେ। ମନୋରଂଜନ ଓ ଦୀପକ ନିଜକୁ ବଞ୍ଚାଇବାକୁ ଦୌଡ଼ିଥିଲେ। କିନ୍ତୁ ସେମାନେ ଗୋଡ଼ାଇ ଗୋଡ଼ାଇ ଦୀପକଙ୍କୁ ହାଣି ପକାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର