ବାଲିପାଟଣା: ଗତକାଲି ଫକୀରପଡ଼ାରେ ସମ୍ପର୍କୀୟ ଶଳା ପ୍ରଶାନ୍ତ ଭୋଇଙ୍କୁ ଟାଙ୍ଗିଆରେ ହାଣି ଗୁରୁତର କରିଥିବା ଅଭିଯୁକ୍ତ ଭିଣୋଇ ସୁଜିତ ମହାନ୍ତି ଓରଫ୍ ପପୁ ଆଜି ବାଲିପାଟଣା ଥାନାରେ ଆତ୍ମସମର୍ପଣ କରିଛି। ପୁଲିସ ତାକୁ ପଚରାଉଚରା କରୁଥିଲେ ବି ଟାଙ୍ଗିଆ ଜବତ କରିପାରିନଥିବା ଜଣାପଡ଼ିଛି। ଏଣେ ଆଜି ପ୍ରଶାନ୍ତଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆସନ୍ତାକାଲି ପପୁକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି।
ସୂଚନାନୁଯାୟୀ ସୁମିତ୍ରା ଓ ପପୁ ପ୍ରେମ ବିବାହ କରିଥିଲେ ହେଁ ସେମାନଙ୍କ ଦାମ୍ପତ୍ୟ ଜୀବନ ଭଲ ନଥିଲା। ବିବାହ ପରଠୁ ପପୁ ସବୁବେଳେ ନିଶାସକ୍ତ ହୋଇ ସୁମିତ୍ରାଙ୍କୁ ମାର୍ଧର କରୁଥିଲା। ଗତକାଲି ସେ ପୁଣି ସୁମିତ୍ରାଙ୍କୁ ମାଡ଼ ମାରିବାରୁ ସେ ବାପଘରକୁ ଚାଲି ଯାଇଥିଲେ। ସୁମିତ୍ରାଙ୍କ ବାପା ସୁରେନ୍ଦ୍ର ଓ ସମ୍ପର୍କୀୟ ଭାଇ ପ୍ରଶାନ୍ତ ଏନେଇ ପଚାରିବାକୁ ପପୁକୁ ଭେଟିବା ବେଳେ ସେ ଉତ୍କ୍ଷିପ୍ତ ହୋଇଉଠିଥିଲା ଏବଂ ଏକ ଟଙ୍ଗିଆରେ ପ୍ରଶାନ୍ତକୁ ଆକ୍ରମଣ କରିଥିଲା। ଏବେ ପ୍ରଶାନ୍ତ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି।