ଭୁବନେଶ୍ବର: ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍‌ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ୪ ଜଣଙ୍କୁ କାବୁ କରିଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦୁଇ ନାବାଳକଙ୍କୁ ବାଳ ସୁଧାରଗୃହକୁ ପଠାଇଦିଆଯାଇଛି। ଜେଲ୍‌ ହାଜତକୁ ଯାଇଥିବା ଅଭିଯୁକ୍ତ ହେଲେ ରାଜଧାନୀ କଲେଜ୍‌ ନିକଟ ଅଳିଆବସ୍ତିର ନୃସିଂହ ବାରିକ ଓରଫ୍‌ ମାନସ(୨୦) ଓ ବରମୁଣ୍ଡା ହାଉସିଂବୋର୍ଡ କଲୋନିର ତୋଫାନ ବାରିକ(୨୨)। ସେମାନଙ୍କଠାରୁ ଗୋଟିଏ ଖଣ୍ଡା ଓ ୩ଟି ମୋବାଇଲ୍‌ ଜବତ କରାଯାଇଛି।

Advertisment

ସୂଚନା ମୁତାବକ, ଗତ ୧୯ ତାରିଖ ରାତି ପାଖାପାଖି ୧୧ଟା ବେଳେ ଇଂଜିନିୟରିଂ ଛାତ୍ର ଦେବବ୍ରତ ବେହେରା ତାଙ୍କ ସାଙ୍ଗକୁ ନୂଆପଲ୍ଲୀରେ ଛାଡ଼ି ଜଗନ୍ନାଥବିହାର ରାସ୍ତାରେ ଫେରୁଥିଲେ। ବାଟରେ ନୃସିଂହ, ତୋଫାନ ଏବଂ ଦୁଇ ନାବାଳକ ତାଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ଗୁରୁତର ଦେବବ୍ରତ ରକ୍ତାକ୍ତ ହୋଇ ତଳେ ପଡ଼ିଯିବା ପରେ ସେମାନେ ତାଙ୍କର ୨ଟି ମୋବାଇଲ ଓ ମନି ପର୍ସ ଛଡ଼ାଇ ପଳାଇଥିଲେ। ସୌଭାଗ୍ୟକୁ ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍‌ ଦେବବ୍ରତଙ୍କୁ ଗୁରୁତର ଅବସ୍ଥ‌ାରେ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତମାନଙ୍କୁ ଠାବ କରିବାକୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା।